ଗ୍ରୀଷ୍ମ ପ୍ରବାହର ମୁକାବିଲା ନିମନ୍ତେ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ।

0 292

ମାଲକାନଗିରି, ୧୨/୦୩(ପିପିଟି) : ଚଳିତ ଗ୍ରୀଷ୍ମ ପ୍ରବାହର ସଠିକ୍ ମୁକାବିଲା ନିମନ୍ତେ ଜିଲ୍ଲାପାଳ ସଚିନ ପାୱାରଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଗ୍ରୀଷ୍ମ ପ୍ରବାହ ନିମନ୍ତେ ବିଭାଗୀୟ ଅଧିକାରୀ ମାନେ ସଠିକ୍ ଭାବେ ସଜାଗ ଓ ପ୍ରସ୍ତୁତ ରହି ଏହାର ମୁକାବିଲା କରିବା ସହ ଜିଲ୍ଲାରେ ଅଂଶୁଘାତ ଜନିତ ମୃତ୍ୟୁ ସଂଖ୍ୟା ଶୂନରେ ରଖିବା ଉପରେ ଯତ୍ନବାନ ହେବା ନିମନ୍ତେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଛନ୍ତି। ଜଳକ୍ଲିଷ୍ଟ ଅଞ୍ଚଳରେ ସ୍ଥାୟୀ ଉପଚାର କରିବା ସହିତ ପଶୁପକ୍ଷୀ ମାନଙ୍କ ପାଇଁ ଜଳ ଯୋଗାଣ ନିମନ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସଂପ୍ରତି ଜଙ୍ଗଲ ଗୁଡିକରେ ନିଆଁ ଲାଗିବା ହେତୁ ପଶୁପକ୍ଷୀ ମାନେ ନାହିଁ ନଥିବା ଅସୁବିଧାର ଶିକାର ହେଉଛନ୍ତି, ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବନଖଣ୍ଡ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବା ସହ ପାନୀୟ ଜଳର ବ୍ୟବସ୍ଥା କରିବା ପାଇଁ ପରାମର୍ଶ ଦେଇଛନ୍ତି। ଗ୍ରୀଷ୍ମ ପ୍ରବାହକୁ ଆଖି ଆଗରେ ରଖି ଶ୍ରମିକମାନଙ୍କୁ ପୂର୍ବାହ୍ନ ୧୧ ଟାରୁ ଅପରାହ୍ନ ୩.୩୦ ଘଟିକା ପର୍ଯ୍ୟନ୍ତ କାମ ନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଖରାରେ ଯେଭଳି ବାହାରିବେ ନାହିଁ ସେଥିପ୍ରତି ବିଶେଷ ଧ୍ୟାନ ରଖିବାକୁ କୁହାଯାଇଛି। ଅଂଶୁଘାତର ମୁକାବିଲା ପାଇଁ ପ୍ରତ୍ୟେକ ଚିକିତ୍ସାଳୟରେ ଆବଶ୍ୟକ ଔଷଧ, ପର୍ଯ୍ୟାପ୍ତ ପରିମାଣରେ ଓଆରଏସ ଓ ଆନୁଷଙ୍ଗିକ ବ୍ୟବସ୍ଥା ଗ୍ରହଣ କରିବାକୁ କୁହାଯାଇଛି। ଏଥି ନିମନ୍ତେ ସୂଚନା ପ୍ରଦାନ ପାଇଁ ଜିଲ୍ଲା, ଉପଖଣ୍ଡ, ତହସିଲ ଓ ବ୍ଲକ୍ କାର୍ଯ୍ୟାଳୟରେ ଏକ ଆପତକାଳୀନ କଣ୍ଟ୍ରୋଲ ରୁମ୍ ଖୋଲିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ତାଙ୍ଗୁଲ, ଉପ ଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇଙ୍କ ସମେତ ସମେତ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.