***ଗ୍ରୀଷ୍ମେ ଅନୁଚିନ୍ତା***

0 28

କୋଇଲି କଣ୍ଠରୁ ଝରୁ ନାହିଁ ଆଉ
କୁହୁ କୁହୁ ମିଠା ସ୍ବର….
ଗ୍ରୀଷମ ବିଷମ ତାତି ଅତିଶୟ
ଶୁଖିଲାଣି ବନୁ ଝର….!!
ମରିଲାଣି ଯେତେ ପାଦପ ସକଳ
ଲଣ୍ଡିତ ପର୍ବତ ମାଳ….
ଗ୍ରାସିଲାଣି ସର୍ବ ତରୁ ଲତା ଗୁଳ୍ମ
କରାଳ ଜିହ୍ୱା ଅନଳ…!!
ପ୍ରାଣ ରକ୍ଷା ଲାଗି ଅରଣ୍ଯ ବରଜି
ପଶୁ ପକ୍ଷୀ ପ୍ରାଣୀ ଯେତେ….
ପଲ୍ଲୀ ପୁରେ ଆସି ପଶନ୍ତି ଶରଣ
ସୁରକ୍ଷା ଚିନ୍ତିଣ ଚିତ୍ତେ….!!
ପ୍ରଚଣ୍ଡ ଗ୍ରୀଷମ ଝଞ୍ଜାନଳ ବହେ
ଚର୍ମେ ଘର୍ଷଣେ ଅସହ୍ୟ….
ପିଣ୍ଡ ପ୍ରାଣ ଏବେ ହେଲାଣି ଅଥୟ
ଲାଗେ ଜୀବନକୁ ଭୟ…!!
ଅଂଶୁଘାତେ କାହା ଗଲାଣି ଜୀବନ
ପ୍ରକୃତି ପ୍ରକୋପ କଲା….
ଜଳ ଶୂନ୍ୟ ଏବେ ଜଳାଶୟ ଯେତେ
ତୃଷାର୍ତ୍ତୀ ଜୀବନ ଗଲା…!!
ପ୍ରଖର ଉତ୍ତପ୍ତ ଧରଣୀ ହୋଇଲା
ପକ୍ଷୀଙ୍କ କାକଳି ଶୂନ୍ୟ….
ପ୍ରାଣ ରକ୍ଷା ଲାଗି ଶୀତଳ ଛାୟାରେ
ଆଶ୍ରୟ ଲୋଡ଼ନ୍ତି ଜନ….!!
ସବୁ ଠାରୁ ବୁଦ୍ଧିମାନ ନର ବୋଲି
ଏତିକି କରେ କାମନା….
ବୃକ୍ଷ ଛେଦ ନାହିଁ ଜୀବନରେ କେବେ
ଅରଣ୍ୟ ନ ଲଗା ନିଆଁ…!!
ବାଡି ବଗିଚାରେ ବୃକ୍ଷକୁ ରୋପିଲେ
ରୋପିଲେ ଗୃହ ପାର୍ଶ୍ଵରେ….
ଶୀତଳ ଛାୟା ଯେ ଶୀତଳ ପବନ
ପାଉଥିବ ପଲକରେ…!!
ବୃକ୍ଷର ମହତ୍ତ୍ଵ ପଥିକ ବୁଝିବ
ଟାଣ ଖରା ମାଡ ଖାଇ….
ଅନୁଭବି ସିନା ହୃଦୟ ଚିହ୍ନିବ
ମନୁ ପାଶୋରିବ କାହିଁ….?
ଜଳ ଅପଚୟ ନକର ଜୀବନେ
ଜଳଟି ଜୀବନ ଜାଣ….
ଗ୍ରୀଷ୍ମ ଋତୁ ହେଲେ ଜଳର ଗୁରୁତ୍ବ
ବଢୁଥାଏ ପ୍ରତି କ୍ଷଣ…!!

(କବି କେଶବ ଚନ୍ଦ୍ର ନାୟକ)
(ସଭାପତି, ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି)
ମୋନ:୯୪୩୭୭୭୯୪୪୭

Leave A Reply

Your email address will not be published.