ଭଞ୍ଜନଗର, ୨୧/୦୨(ପିପିଟି):ଚଳିତବର୍ଷ ହେବାକୁ ଥିବା ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ଅଣ୍ଟା ଭିଡ଼ିଛି। ଏହି ପରିପ୍ରେକ୍ଷୀରେ ଶନିବାର ଭଞ୍ଜନଗର ଉପଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷରେ ଗ୍ରୀଷ୍ମପ୍ରବାହ ପରିଚାଳନା ସମ୍ପର୍କିତ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।ଉପ ଜିଲ୍ଲାପାଳ ଉମାଶଙ୍କର ବେହେରା ଏଥିରେ ଅଧ୍ୟକ୍ଷତା କରି ଗ୍ରୀଷ୍ମପ୍ରବାହ ପରିଚାଳନାକୁ ନିୟମିତ ସମ୍ପାଦନ କରିବାକୁ ପରାମର୍ଶ ଦେଇଥିଲେ। ଗ୍ରୀଷ୍ମକୁ ନଜରରେ ରଖି ଉପଖଣ୍ଡର ବିଭିନ୍ନ ସ୍ଥାନରେ ଯୁଦ୍ଧକାଳୀନ ଭିତ୍ତିରେ ପାନୀୟଜଳ ସମସ୍ୟାର ସମାଧାନ ପାଇଁ ଉପ ଜିଲ୍ଲାପାଳ ପ୍ରାଥମିକତା ଦେଇଛନ୍ତି। ଖରାପ ହୋଇ ପଡ଼ିରହିଥିବା ନଳକୂପର ତୁରନ୍ତ ମରାମତି, ସମସ୍ତ ବ୍ଲକକୁ ଆବଶ୍ୟକତା ଅନୁସାରେ ଚଳିତମାସ ଶେଷସୁଦ୍ଧା ପାନୀୟ ଜଳବଣ୍ଟନ ମୋବାଇଲ୍ ଭ୍ୟାନ୍ ଯୋଗାଣ ଓ ଅନ୍ୟାନ୍ୟ ଜଳକ୍ଲିଷ୍ଟ ଅଞ୍ଚଳରେ ପାନୀୟଜଳ ସମସ୍ୟା ସମାଧାନ ଦିଗରେ ପଦକ୍ଷେପ ନେବାକୁ ଏବଂ ସମସ୍ତ ଟ୍ୟୁବୱେଲ୍ଗୁଡ଼ିକୁ ଠିକ୍ କରିବା, ଅଭିଯୋଗ ରେଜିଷ୍ଟର ଠିକ୍ ରଖିବା ଏବଂ ଅଭିଯୋଗ ଆସିଥିବା ଖରାପ ଟ୍ୟୁବୱେଲ୍ଗୁଡ଼ିକୁ ୨୪ ଘଣ୍ଟା ଭିତରେ ତୁରନ୍ତ ଠିକ୍ କରିବା ପାଇଁ ଉପଜିଲ୍ଲାପାଳ ଶ୍ରୀ ବେହେରା ବିଭାଗୀୟ ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଏହା ପୁର୍ବରୁ ଉପଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତାରେ ଭଞ୍ଜନଗର ଗ୍ରାମ୍ୟ ପାଇପ ଜଳ ଯୋଗାଣ ବିଭାଗ ଅଧୀନରେ ଚାଲିଥିବା ରାଜ୍ୟର ସବୁଠୁ ବଡ ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରାଯାଇଥିଲା। ପ୍ରକଲ୍ପ କାମ କିଭଳି ଭାବେ ତ୍ବାରାନ୍ବିତ ହେବ ସେନେଇ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ବୟ ରଖି ଶିଘ୍ର କାମ କରିବାକୁ ଉପଜିଲ୍ଲାପାଳ ଶ୍ରୀ ବେହେରା ବିଭାଗୀୟ ଅଧିକାରୀ ଓ ଠିକା ସ଼ଂସ୍ଥାକୁ ନିର୍ଦ୍ଦେଶ ଦେଇଥିଲେ। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସହାୟକ ଜିଲ୍ଲାପାଳ ରଚିତା ମହାପାତ୍ର, ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ମୁନା କାଲୁଣ୍ଡିଆ ଓ ଠିକା ସଂସ୍ଥାର କର୍ମଚାରୀଙ୍କ ସମେତ ଉପଖଣ୍ଡର ଅଧିକାରୀ ମାନେ ତଥା ବିଭିନ୍ନ ବ୍ଲକରୁ ଆସିଥିବା ଗ୍ରାମ୍ୟ ଜଳ ଯୋଗାଣ ବିଭାଗର ପଦାଧିକାରୀ ଉପସ୍ଥିତ ଥିଲେ।
ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)