ବୋଲଗଡ଼,୧୯/୦୮(ପିପିଟି) : ପୁରାଣ ଅନୁସାରେ ଅଷ୍ଟମ ଅବତାରରେ ବିଷ୍ଣୁ ବଳରାମ ନାମରେ ଶ୍ରାବଣ ପୂର୍ଣ୍ଣିମା ତିଥିରେ ପୃଥିବୀ ପୃଷ୍ଠରେ ଅବତୀର୍ଣ୍ଣ ହୋଇଥିଲେ । ହଳଧର ରୂପେ ବିଦିତ ପ୍ରଭୁ ବଲଭଦ୍ର ଗୋ ସଂପଦର ପାଳନ କର୍ତ୍ତା ଓ ରକ୍ଷକ । ମାନବର ଦୀର୍ଘ ଏବଂ ନିରାମୟ ଜୀବନ ନିମିତ୍ତ ଗୋମାତାଙ୍କ ଦାନ ଅତୁଳନୀୟ ।ତେଣୁ ଶ୍ରାବଣ ପୂର୍ଣ୍ଣିମା ଦିନ ଶ୍ରୀ ବଳଭଦ୍ରଙ୍କ ସମେତ ଗୋଜାତିକୁ ପୂଜା କରାଯାଏ ।ଏହି ଦିବସକୁ ପୂର୍ବ କାଳରେ ଗୋପୂର୍ଣ୍ଣିମା କୁହାଯାଉଥିଲା। ପରେ ଗୋପୂର୍ଣ୍ଣିମା ଶବ୍ଦଟି ଅପଭ୍ରଂଶ ହୋଇ ଗହ୍ମାପୂର୍ଣ୍ଣିମା ରେ ପରିଣତ ହୋଇଛି ।ଲୀଲାକ୍ଷେତ୍ର ପୁରୀ ଶ୍ରୀମନ୍ଦିରରେ କନିଷ୍ଠ ଭଗ୍ନୀ ଶୁଭଦ୍ରା ଏହି ତିଥିରେ ବଳଭଦ୍ର ଓ ଜଗନ୍ନାଥଙ୍କୁ ପାଟ ରାକ୍ଷୀ ପରିଧାନ କରାନ୍ତି । ପାଣ୍ଡବଙ୍କ ମାତା କୁନ୍ତୀ କୌରବମାନଙ୍କ କବଳରୁ ନିଜ ସନ୍ତାନମାନଙ୍କୁ ରକ୍ଷା କରିବା ଦାୟିତ୍ୱଶ୍ରକୃଷ୍ଣଙ୍କୁ ଅର୍ପଣ କରି ରାକ୍ଷୀ ପିନ୍ଧାଇଥିଲେ ।୧୨ବର୍ଷ ଧରି ଚାଲିଥିବା ଯୁଦ୍ଧରେ ଦାନବ ମାନଙ୍କ ଠାରୁ ଦେବତା ପରାସ୍ତ ହୋଇଥିଲେ । ଇନ୍ଦ୍ର ବ୍ରହ୍ମାଙ୍କ ଅନୁମତି ନେଇ ନିଜର ପ୍ରଧାନ ଶତ୍ରୁ ବୃତ୍ତାସୁରଙ୍କ ସହ ଯୁଦ୍ଧ କରିବାକୁ ଯିବାବେଳେ ଇନ୍ଦ୍ରାଣୀ ଶ୍ରାବଣ ପୂର୍ଣ୍ଣିମା ଦିନ ଯୁଦ୍ଧରେ ସଫଳ ହେବାପାଇଁ ତାଙ୍କ ଦକ୍ଷିଣ ହସ୍ତରେ ରାକ୍ଷୀ ବାନ୍ଧିଥିଲେ । ଇନ୍ଦ୍ର ବିଜୟୀ ହେବାରୁ ସେହି ଦିବସଠାରୁ ରାକ୍ଷୀ ବନ୍ଧନ ପାଳିତ ହୋଇଆସୁଛି । ସମସ୍ତ ସଂକଟକୁ ମୁକାବିଲା କରିବାର ଉପାୟ ଯୁଧିଷ୍ଠିର ଭଗବାନ ଶ୍ରୀକୃଷ୍ଣଙ୍କୁ ପଚାରିବାରେ ସେନାଙ୍କହସ୍ତରେ ରାକ୍ଷୀ ବନ୍ଧନ କରିବାକୁସେ ପରାମର୍ଶ ପ୍ରଦାନ କରିଥିଲେ ।ଶିଶୁପାଳ ବଦ୍ଧ ସମୟରେ କୃଷ୍ଣଙ୍କଶରୀରରେ ଆଘାତ ଲାଗିଥିଲା ।ରକ୍ତଶ୍ରାବ ବନ୍ଦ କରିବାକୁ ଦ୍ରୌପଦୀ ନିଜର ଶାଢ଼ୀ ଚିରି ଶ୍ରୀକୃଷ୍ଣଙ୍କ କ୍ଷେତ ସ୍ଥାନରେ ବାନ୍ଧିଥିଲେ । ସେଥିପାଇଁ ଶ୍ରାବଣ ପୂର୍ଣ୍ଣିମା ରାକ୍ଷୀ ପୂର୍ଣ୍ଣିମା ରୂପେ ପରିଚିତ। ରାକ୍ଷୀ ପୂର୍ଣ୍ଣିମାରେ ଭଉଣୀ ଭାଇକୁ କାଠ ନିର୍ମିତ ପିଢ଼ା ଉପରେ ବସାଇ ସିନ୍ଦୂର ଟିକା ଲେପନ କରି ଦକ୍ଷିଣ ହସ୍ତରେ ରାକ୍ଷୀ ବାନ୍ଧିବା ପରେ ଆରତି କରି ମିଷ୍ଟାନ୍ନଖୁଆଇ ତା’ର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହ ଶୁଭ ମନାସିଥାଏ । ଭାଇତା ‘ର ଭଉଣୀକୁ ସୁରକ୍ଷା ଦେବାକୁ ସଂକଳ୍ପ ନେଇଥାଏ ।ଭାଇ ରାକ୍ଷୀ ପୂର୍ଣ୍ଣିମା ଦିନ ଭଉଣୀ ହାତରୁ ପ୍ରାପ୍ତ ହୋଇଥିବା ବିଜୟ ଟିକା ବଳରେ ସମାଜର ଅସୁମାରି ବାଧାବିଘ୍ନକୁ ଅତିକ୍ରମ କରିପାରିବାର ବିଶ୍ୱାସ ରଖିଥାଏ ।ପ୍ରତ୍ୟେକ ଓଡ଼ିଆ ଏହି ଦିନ ନିଜର ଗୋରୁଗାଈଙ୍କୁ ଗାଧୋଇ, ମସ୍ତକରେ ସିନ୍ଦୂର, ଚନ୍ଦନ, ପୁଷ୍ପ ଲଗାଇ ବନ୍ଦନା କରିବା ସହ ରାକ୍ଷୀ ବାନ୍ଧି ଥାଆନ୍ତି ।
(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)