ଗୋବରା ମୁଖ୍ୟ ସଡ଼କରେ ଅଷ୍ଟଶମ୍ଭୁ ମହାମିଳନ , ୫୦ ହଜାର ଭକ୍ତଙ୍କ ସମାଗମ ।

0 242

ବେଲଗୁଣ୍ଠା,୦୮/୦୪(ପିପିଟି):ବେଲଗୁଣ୍ଠା ବ୍ଳକ୍ ଗୋବରା ମୁଖ୍ୟ ସଡ଼କରେ ଆଜି ଅଷ୍ଟଶମ୍ଭୁ ମହାମିଳନ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ମହା ମିଳନରେ ବେଲଗୁଣ୍ଠା, ବେଲଗୁଣ୍ଠା ଖଦାଳ ସାହି, ଏକରଡାବାଡ଼ି,ଡ଼ାକରାବାଡ଼ି, ଭଞ୍ଜନଗର ,ଡେଙ୍ଗାପଦର,ଗୋବରା ଏବଂ ବଣପଲ୍ଲୀଦଣ୍ଡପୁଞ୍ଜା ଅଂଶ୍ରଗହଣ କରିଥିଲେ । ଆଜି ପୂର୍ବ ବିଧି ମୁତାବକ ସକାଳ ସାତ ଘଣ୍ଟା ସମୟରେ ଦଣ୍ତ ବରଣ କରାଯାଇଥିବା ବେଳେ ପ୍ରତ୍ୟେକ ଦଣ୍ଡ ଦଳ ପକ୍ଷରୁ ବନ୍ଦନା କରାଯାଇଥିଲା । ଏହାପରେ ଗୋବରା ମୁଖ୍ୟ ସଡ଼କରେ ସକାଳ ୧୦:୪୫ ସମୟରୁ ୧୨:୧୫ ସମୟ ପର୍ଯ୍ୟନ୍ତ ଧୂଳି ଦଣ୍ଡ ପରିବେଷଣ କରିଥିଲେ । ଧୂଳି ଦଣ୍ଡ ଦେଖିବାକୁ ପ୍ରାୟ ୨୦ ହଜାରରୁ ୩୦ ହଜାର ଭକ୍ତଙ୍କ ସମାଗମ ହୋଇଥିଲା I ଅପରାହ୍ଣ ଗୋଟାଏ ସମୟରେ ଗ୍ରାମର ବଡ଼ବନ୍ଧ ପୋଖରୀରେ ପାଣି ଦଣ୍ଡ, ଅଗ୍ନି ଦଣ୍ଡ ଅନୁଷ୍ଠିତ ହେବା ସହିତ ପଣା ଭୋଗ ଅନୁଷ୍ଠିତ ହୋଇଥିଲା I ଏହାପରେ ଗୋବରା ମୁଖ୍ୟ ସଡ଼କ ପାର୍ଶ୍ୱରେ ଥିବା ପଡ଼ିଆରେ ଅଷ୍ଟ ଶମ୍ଭୁଙ୍କ ମହା ମିଳନ ଅନୁଷ୍ଠିତ ହୋଇଥିଲା । ମହା ମିଳନ ଦେଖିବା ପାଇଁ ୫୦୦୦୦ ରୁ ଊର୍ଦ୍ଧ୍ଵ ଭକ୍ତଙ୍କ ମହା ସମାଗମ ହୋଇଥିଲା । ପ୍ରବଳ ଗ୍ରୀଷ୍ମ ପ୍ରବାହ ସତ୍ତ୍ୱେ ଭକ୍ତଙ୍କ ମଧ୍ୟରେ ଅଷ୍ଟ ଶମ୍ଭୁ ମହା ମିଳନ ଦେଖିବା ପାଇଁ ଭକ୍ତଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା । ମହାମିଳନ ପରେ ଅଷ୍ଟ ଶମ୍ଭୁ ନଗର ପରିକ୍ରମା କରିଥିଲେ । ସେହିପରି ରୀତିନୀତି ମୁତାବକ ସନ୍ଧ୍ୟା ଆଳତି ଏବଂ ମଧ୍ୟ ରାତ୍ରରେ ପ୍ରସାଦ ସେବନ କାର୍ଯ୍ୟକ୍ରମ ହୋଇଥିଲା ବେଳେ ଆଳତି ଦର୍ଶନ ଏବଂ ପ୍ରସାଦ ସେବନ ପାଇଁ ଜନ ସମୁଦ୍ର ଦେଖିବାକୁ ମିଳିଥିଲା ।ରାତିରେ ସମସ୍ତ ଦଣ୍ଡଦଳ ପକ୍ଷରୁ ଭାରତ ଲୀଳା ପରିବେଷଣ କରାଯାଇଥିଲା । ଆଜି ସମସ୍ତ କାର୍ଯ୍ୟକ୍ରମରେ ଅଷ୍ଟଦଣ୍ଡ କମିଟିର ତତ୍ତ୍ୱାବଧାନରେ ଗୋବରା ଗ୍ରାମବାସୀ, ଗୋବରା ମୁଖ୍ୟ ସଡକବାସୀ,ବାସୁଦେବପୁର ଗ୍ରାମବାସୀ, ଅଞ୍ଚଳର ଯୁବକ ସଂଘ, ସ୍ଵେଚ୍ଛାସେବୀ ସଂଘ ପ୍ରମୁଖ ସହଯୋଗ କରିଥିଲେ । ଆଡିସନାଲ୍ ତହସିଲଦାର ମାଜିଷ୍ଟ୍ରେଟ୍ ଦାୟିତ୍ୱରେ ଥିବା ବେଳେ ଗାଙ୍ଗପୁର ଥାନା ଅଧିକାରୀ ଶୁଭଲକ୍ଷ୍ମୀ ପୂଜାରୀଙ୍କ ନେତୃତ୍ୱରେ ଦୁଇ ପ୍ଲାଟୁନ ପୋଲିସ୍ ବାହିନୀ ଆଇନ୍ ଶୃଙ୍ଖଳା ପରିସ୍ଥିତି ଉପରେ ନଜର ରଖିବା ସହିତ ଟ୍ରାଫିକ୍ ନିୟନ୍ତ୍ରଣ କରିଥିବା ବେଳେ ଖଲ୍ଲିକୋଟ ଅଗ୍ନିଶମ ବାହିନୀ ଦର୍ଶକଙ୍କ ଉପରେ ଜଳ ସିଞ୍ଚନ କରିଥିଲେ ।

ରିପୋର୍ଟ- ସୁଶାନ୍ତ କୁମାର ବେହେରା

Leave A Reply

Your email address will not be published.