ପୋଲସରା, ୨୭/୦୮(ପିପିଟି) : ଆଠଗଡ ତାଲୁକା, ଭିତିରି ମୁଠା, ଷୋହଳଖଣ୍ଡ ଗୋପାଳ ସମାଜ ପରିଚାଳନା ପରିଷଦ ପକ୍ଷରୁ ପୋଲସରା ବ୍ଳକ ଅନ୍ତର୍ଗତ ମହୁଲପଲ୍ଲୀ ଗ୍ରାମର ଗୋପାଳ ସମାଜ ଗୃହରେ ନନ୍ଦ ମହୋତ୍ସବ ଅଗଷ୍ଟ ୨୭ ତାରିଖ, ମଙ୍ଗଳବାର ଦିନ ମହାଆଡମ୍ବର ସହ ପାଳିତ ହୋଇଯାଇଛି। ସମାଜର ସଭାପତି ନିରଞ୍ଜନ ଗୌଡଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମକୁ ମାନ୍ୟବର ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ଯମ ଉଦ୍ଯୋଗ ବିଭାଗର ମନ୍ତ୍ରୀ ଗୋକୁଳାନନ୍ଦ ମଳିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ମାନ୍ୟବର ମନ୍ତ୍ରୀ ଶ୍ରୀ ମଳିକ ଗୋପାଳ ସମାଜ ପ୍ରତି ନିଜର ଆନ୍ତରିକତା ଜ୍ଞାପନ କରି, ସମାଜର ସମସ୍ତ ସଦସ୍ୟ କର୍ମଠ ଓ ସତ୍ଯବାଦୀ ହୋଇଥିବା ବେଳେ ଏକ ନିଆରା ଶ୍ରେଣୀର ବ୍ୟକ୍ତିତ୍ୱ ବୋଲି ପ୍ରକାଶ କରିଥିଲେ। ମୁଖ୍ୟବକ୍ତା ଭାବେ ବର୍ତ୍ତିନି ବିଜ୍ଞାନ ମହାବିଦ୍ୟାଳୟ ପ୍ରାଣୀ ବିଜ୍ଞାନ ଅଧ୍ଯାପକ ମନୋଜ କୁମାର ସାହୁ ଏବଂ ସମ୍ମାନିତ ଅତିଥି ଭାବେ ଘୁମୁସର ଜିଲ୍ଲା ବିଜେପି ଉପସଭାପତି ପ୍ରଭାକର ପଣ୍ଡା, ଯୁବ ମୋର୍ଚ୍ଚା ସଭାପତି ଦୀପକ ପ୍ରଧାନ, ମଣ୍ଡଳ ସଭାପତି ରଘୁନାଥ ପଣ୍ଡା, ମହେଶ୍ବର ପରିଡା, ଦୀପକ କୁମାର ପୋଲାଇ, ପ୍ରଶନ କୁମାର ଡାକୁଆ, ଆଠଗଡ ତାଲୁକା ସଭାପତି ମୋହିନୀ ମୋହନ ମହାଙ୍କୁଡ ,ମନୋଜ କୁମାର ଖଟୁଆ, ସଞ୍ଜିବ ପାତ୍ର ପ୍ରମୁଖ ଅତିଥି ବୃନ୍ଦ ମଞ୍ଚାସୀନ ଥିଲେ। ଗୋପାଳ ସମାଜ ପକ୍ଷରୁ ସୋମବାର ମହାସ୍ଥାପନ, ମଣ୍ଡଳଧିବାସ, ବେଦପାଠ ଓ ନାମଯଜ୍ଞ ହୋଇଥିବା ବେଳେ ମଙ୍ଗଳ ବାର ସକାଳ ସମୟରେ ରାଣିପଡା ଧନେଇ ସେତୁ ଠାରୁ ଗଙ୍ଗା ଆବାହନ କରାଯାଇ କଳସ ଶୋଭାଯାତ୍ରାରେ ବାହାରି ପୋଲସରା ନଗର ପରିକ୍ରମା କରି ମହୁଲପଲ୍ଲୀ ଷୋହଳ ଖଣ୍ଡ ଗୋପାଳ ସମାଜ କୁଳଗୃହକୁ ଶୋଭାଯାତ୍ରା ପହଞ୍ଚିଥିଲା।ପରବର୍ତ୍ତୀ ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମ, ସାଧାରଣ ସଭା ଓ ଅତିଥି ମାନଙ୍କ ଦ୍ବାରା ସମାଜର କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଟ୍ରଫି ସହିତ ମାନପତ୍ର ଦେଇ ପୁରସ୍କୃତ କରାଯାଇଥିଲା। ଅପରାହ୍ନ ସମୟରେ ବେଦପାଠ ପଠନ, ଭଗବତ ପଠନ ସହିତ ପୂର୍ଣ୍ଣାହୁତି ଓ ଯଜ୍ଞ ଉଦଯାପିତ ହୋଇଥିଲା। କାର୍ଯ୍ୟକ୍ରମକୁ ସମ୍ପାଦକ ରମେଶ ଚନ୍ଦ୍ର ଗୌଡ ସଂଯୋଜନା କରିଥିବା ବେଳେ ଗୋପାଳ ସମାଜର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ।
ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା