ବ୍ରହ୍ମପୁର,୦୩/୦୧(ପିପିଟି): ଚଳିତ ବର୍ଷ ଗୋପାଳପୁର ବେଳାଭୂମି ମହୋତ୍ସବ ପାଳନ ନିମନ୍ତେ ବ୍ରହ୍ମପୁର ସ୍ଥିତ ସ୍ଵତନ୍ତ୍ର ପ୍ରଦକ୍ଷଣ ସମ୍ମିଳନୀ ଗୃହରେ ବାଣିଜ୍ୟ,ପରିବହନ,ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୁତି ଭୂଷଣ ଜେନାଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, ଗଞ୍ଜାମ ଜିଲ୍ଲାପାଳ ୱି କୀର୍ତ୍ତି ୱାସନ, ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡ଼ ସର୍ବଣ ବିବେକ ଏମ୍, ବ୍ରହ୍ମପୁର ମହାନଗର ନିଗମ କମିଶନର ପ୍ରଥମେଶ ଅରବିନ୍ଦ ରାଜଶିର୍କେ,ବ୍ରହ୍ମପୁର ଉପଜିଲ୍ଲାପାଳ ଅବିନାଶ କୁମାର ପ୍ରମୁଖ ଉପସ୍ଥିତ ରହିଥିଲେ । ବିଗତ ବର୍ଷ ଭଳି ଚଳିତ ବର୍ଷ ଏହି ମହୋତ୍ସବ ୫ଦିନ ପାଳିତ ହେବ । ଆସନ୍ତା ୨୨ ତାରିଖରୁ ୨୬ ତାରିଖ ପର୍ଯ୍ୟନ୍ତ ଏହି ଉତ୍ସବ ଗୋପାଳପୁର ବେଳାଭୂମିରେ ପାଳନ କରାଯିବ । ବିଭିନ୍ନ ପ୍ରତିଯୋଗିତା ଯେପରି ଝୋଟି,ଆଲୋଚନା ଚକ୍ର, କବିତା ପାଠୋତ୍ସବ,ଭଲିବଲ୍, ଫୁଟବଲ,ବୋଟ ରେସିଂ ଇତ୍ୟାଦି ପ୍ରତିଯୋଗିତା ଆୟୋଜିତ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଶାମୁକା ସ୍ମରଣିକା ଉନ୍ମୋଚନ କରାଯିବ । ପ୍ରଥମେ ଗଞ୍ଜାମ ଜିଲ୍ଲାର କଳା ସଂସ୍କୃତି ପ୍ରାଥମିକତା ଦିଆଯିବ ତାସହ ବିଭିନ୍ନ ଜିଲ୍ଲା,ରାଜ୍ୟ ଓ ଦେଶର ନୃତ୍ୟ ଓ ସଙ୍ଗୀତ ପରିବେଷଣ କରାଯିବ । ଓଡିଆ,ତେଲୁଗୁ ଓ ହିନ୍ଦୀ କଣ୍ଠ ଶିଳ୍ପୀ ସଙ୍ଗୀତ ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଛି । ପଲ୍ଲୀଶ୍ରୀ ମେଳା, ଖାଦ୍ୟ ମେଳା ଏବଂ ବିଭିନ୍ନ ଅନୁଷ୍ଠାନର ମେଳା ପ୍ରଦର୍ଶିତ ହେବ । ଓଡିଶାର ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କୁ ଅତିଥି ନିମନ୍ତେ ଅନୁରୋଧ କରାଯିବ । ଗଞ୍ଜାମ ଜିଲ୍ଲାର ବିଭିନ୍ନ ଶକ୍ତିପୀଠରୁ ମଶାଲ ଶୋଭାଯାତ୍ରା, ପଦଯାତ୍ରା ଓ ସମୁଦ୍ରରେ ଲେଜର ଶୋ ଆୟୋଜନ କରାଯିବା ପାଇଁ ନିଷ୍ପତି ନିଆଯାଇଥିଲା । ବିଭିନ୍ନ କମିଟି ଗଠନ କରି ଏହି ଉତ୍ସବ ପାଳନ କରିବା ନିମନ୍ତେ ନିଷ୍ପତି ନିଆଯାଇଥିଲା । ଚଳିତ ବର୍ଷ ଗୋପାଳପୁର ବେଳାଭୂମି ମହୋତ୍ସବକୁ କିଛି ନୂଆ ରୂପରେ ପାଳନ କରିବା ସହ ଲୋକଙ୍କ ନିମନ୍ତେ ଟ୍ରାଫିକ ବ୍ୟବସ୍ଥା, ପାର୍କିଂ ସ୍ଥଳ,ଆଇନ ଶୃଙ୍ଖଳା ଇତ୍ୟାଦି ବିଷୟରେ ଆଲୋଚନା କରାଯାଇଥିଲା । ୩୦୦ ଟି ଷ୍ଟଲର ଆୟୋଜନ କରିବା ନିମନ୍ତେ ନିଷ୍ପତ୍ତି ନିଆଯାଇଛି । ଏହି ବୈଠକରେ ସମସ୍ତ ବିଭାଗୀୟ ଅଧିକାରୀ,ବିଭିନ୍ନ ଅନୁଷ୍ଠାନ ସଭ୍ୟ ସଭ୍ୟା ଓ ହୋଟେଲ ସଙ୍ଘର ସଭାପତି ଉପସ୍ଥିତ ରହିଥିଲେ ।