ପୋଲସରା,୨୮/୦୩(ପିପିଟି):ଆଜି ଠାରୁ ପୋଲସରା ସ୍ଥିତ ପ୍ରତିଷ୍ଠିତ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟରେ ଦୁଇ ଦିବସୀୟ ପିଏମ୍ ଶ୍ରୀ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଉତ୍ସବ ପ୍ରଧାନ ଶିକ୍ଷକ ତଥା ବିଇଓ ଶଙ୍କର୍ଷଣ ସଡଙ୍ଗୀଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଆରମ୍ଭ ହୋଇଯାଇଛି। ପ୍ରାରମ୍ଭରେ ବିଦ୍ୟାଳୟରୁ ଏକ ମଶାଲ ଯାତ୍ରା ବାହାର କରାଯାଇ ସ୍ଥାନୀୟ ରତନୀ ଠାକୁରାଣୀ ମନ୍ଦିରରେ ପହଞ୍ଚିବାପରେ ମାଁଙ୍କ ମନ୍ଦିରରେ ଅଗ୍ନି ପ୍ରଜ୍ବଳନ ପୁର୍ବକ ଜ୍ୟୋତି କ୍ରୀଡ଼ା ମଶାଲାକୁ ନେଇ ଛାତ୍ରଛାତ୍ରୀମାନେ ବିଦ୍ୟାଳୟରେ ପହଞ୍ଚିଥିଲେ। ସେଠାରେ ଏକ ସଭାର ଆୟୋଜନ କରାଯାଇଥିଲା।ଏଥିରେ ଅନୁଷ୍ଠାନର ପ୍ରଧାନ ଶିକ୍ଷକ ତଥା ବିଇଓ ଶଙ୍କର୍ଷଣ ପ୍ରଧାନ ଯୋଗଦେଇ କାର୍ଯ୍ୟକ୍ରମଟିକୁ ଶୁଭ ଉଦଘାଟନ କରିଥିବାବେଳେ ନିକଟରେ ବିଦ୍ୟାଳୟର ପୁର୍ବତନ ଶିକ୍ଷକ ସୁରେନ୍ଦ୍ର ନାଥ ପାଢ଼ି ଓ ପୁର୍ବତନ ପ୍ରଧାନ ଶିକ୍ଷକ ନିରଂଜନ ରାଉତ, ଏସ୍ଏମସି ସଭାପତି ରତ୍ନାକର ସାହୁ ଓ ସଂପାଦକ ରବିନ୍ଦ୍ର ସାହୁ ଓ ଶିକ୍ଷକ ପ୍ରଭାକର ପ୍ରଧାନ ପ୍ରମୁଖ ସମ୍ମାନୀତ ଅତିଥିଭାବେ ଯୋଗଦେଇ ସହଯୋଗ କରିଥିଲେ। ଏହି ଅବସରରେ ଅତିଥିବୃନ୍ଦ ସରକାରଙ୍କ ଏଭଳି କ୍ରୀଡ଼ା କାର୍ଯ୍ୟକ୍ରମ ଦ୍ବାରା ବିଦ୍ୟାଳୟର ଅଧ୍ୟୟନରତ ବାଳକ ବାଳିକାମାନଙ୍କ ଜ୍ଞାନ ଆହରଣ ସମେତ ନିରାମୟ ଜୀବନ ଏଵଂ ଉଜ୍ଜ୍ୱଳ ଭବିଷ୍ୟତ ଗଠନକୁ ନେଇ ଛାତ୍ରଛାତ୍ରୀମାନଙ୍କୁ ଦିଗ୍ ଦର୍ଶନ ଦେବାସହ କ୍ରୀଡ଼ାରେ ଭାଗନେଇଥିବା ପ୍ରତିଯୋଗୀମାନଙ୍କ ସଫଳ କାମନା କରିଥିଲେ। ସାମୁହିକ ଭାବେ ଶପଥ ପାଠ କରାଯାଇଥିଲା। ପରେ କ୍ରୀଡ଼ା ଶିକ୍ଷକ ଜ୍ଞାନରଂଜନ ଜାଲିଙ୍କ ପରିଚାଳନା ଏଵଂ ଅନ୍ୟ ଶିକ୍ଷକ ଶିକ୍ଷୟତ୍ରୀଙ୍କ ସହଯୋଗରେ ବିଦ୍ୟାଳୟର କ୍ରୀଡ଼ାଙ୍ଗନରେ ବିଭିନ୍ନ ପ୍ରକାର ଖେଳ ଆରମ୍ଭ ହୋଇଥିଲା। ସଭାକାର୍ଯ୍ୟକୁ ବିଜ୍ଞାନ ଶିକ୍ଷକ ଡ. ଅମରେଶ ପଟ୍ଟନାୟକ ପରିଚାଳନା କରିଥିବାବେଳେ ଉପସ୍ଥିତ ଅନ୍ୟ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରିମାନେ ଉପସ୍ଥିତ ରହି ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା।
ରିପୋର୍ଟ୍:ସନ୍ତୋଷ କୁମାର ପଣ୍ଡା