ବ୍ରହ୍ମପୁର,୦୮/୦୧(ପିପିଟି): ଅଖିଳ ଭାରତ କିଶାନ୍ ମଜଦୂର ସଭା (ଏଆଇକେଏମଏସ୍) ପକ୍ଷରୁ ଆଜି ଦିଗପହଣ୍ଡି ଓ ସାନଖେମୁଣ୍ଡି ବ୍ଳକର ବାସହୀନ ଓ ଭୂମିହୀନ ଦଳିତ ତଥା ଆଦିବାସୀ ଲୋକଙ୍କ ଏକ ଗଣବିକ୍ଷୋଭ ସ୍ଥାନୀୟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ ହୋଇଯାଇଛି । ଗୃହହୀନ ଲୋକଙ୍କୁ ତୁରନ୍ତ ଘରଡିହ ଓ ଭୂମିହୀନ ଲୋକଙ୍କୁ ଜମି ତଥା ଜଙ୍ଗଲ ଜମିପଟ୍ଟା ପ୍ରଦାନ ଦାବିରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପୂର୍ବାହ୍ନ ୧୧ଟା ସମୟରେ ସ୍ଥାନୀୟ ଟାଟାବେଞ୍ଜ ଛକ ନିକଟସ୍ଥ ଗଣେଶ ମନ୍ଦିର ଠାରୁ ଜିଲ୍ଲାର ସାନଖେମୁଣ୍ଡି ଓ ଦିଗପହଣ୍ଡି ବ୍ଳକରୁ ଆସିଥିବା ଦଳିତ ଓ ଆଦିବାସୀ ଲୋକଙ୍କ ଏକ ବିଶାଳ ଶୋଭାଯାତ୍ରା ବାହାରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚିବା ପରେ ସେଠାରେ ଏକ ବିକ୍ଷୋଭ ସଭା ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମ ଶେଷରେ ସଂଗଠନ ପକ୍ଷରୁ ଛଅ ଦଫା ଦାବି ସମ୍ବଳିତ ଏକ ସ୍ମାରକପତ୍ର ଉପଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିଲା । ଫାଶୀଗୁଡା ଗ୍ରାମର ବାସହୀନ ଦଳିତ ଲୋକଙ୍କୁ ବାସୋପଯୋଗୀ ସରକାରୀ ଜମି ପ୍ରଦାନ, ସହଦେବ ଟିକରପଡା ପଞ୍ଚାୟତର ଉସ୍ତପଲ୍ଲୀ ଓ ବିଷ୍ଣୁ ସାଗର ଗାଁର ଆଦିବାସୀମାନଙ୍କୁ ଚାଷଜମି ଓ ଜଙ୍ଗଲ ଜମିପଟ୍ଟା ପ୍ରଦାନ,ସାନଖେମୁଣ୍ଡି ବ୍ଳକର ବ୍ରାହ୍ମଣପଙ୍କ ଓ କଳାଖଣ୍ଡି ଗାଁର ବାସହୀନ ଦଳିତ ପରିବାରମାନଙ୍କୁ ଘରଡିହ ପଟ୍ଟା ପ୍ରଦାନ, ପୋଡାମାରୀ ପଞ୍ଚାୟତର ରାଜନାପଲ୍ଲୀ, ବାଲିସାହି, ମାର୍ଥାପଲ୍ଲୀ ଆଦି ଗାଁରେ ଅଣ ଆଦିବାସୀଙ୍କ ଦ୍ଵାରା ଜବରଦଖଲ ହୋଇଥିବା ଆଦିବାସୀଙ୍କ ଜମି ଜବରଦଖଲମୁକ୍ତ କରିବ ଆଦି ଦାବିରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା ।
ଆଜିର ଏହି ଗଣ ବିକ୍ଷୋଭରେ ଏଆଇକେଏମଏସ୍ ଜାତୀୟ ସମ୍ପାଦକ ଭାଲଚନ୍ଦ୍ର ଷଡ଼ଙ୍ଗୀ,ରାଜ୍ୟ ସମ୍ପାଦକ ପ୍ରତାପ ନାୟକ,ଜିଲ୍ଲା କମିଟି ସଦସ୍ୟ ଲଡୁ କିଶୋର ଡାକୁଆ,ଦିଗପହଣ୍ଡି ବ୍ଳକ୍ ସମ୍ପାଦକ ସନ୍ତୋଷ ଗୌଡ଼, ଆଇଏଫଟିୟୁର ସଭାପତି ପ୍ରତାପ ଚନ୍ଦ୍ର ପ୍ରଧାନ, ମାନବ ଅଧିକାର ସୁରକ୍ଷା ମଞ୍ଚର ଆବାହକ ଅବନୀ କୁମାର ଗୟା,ସାମାଜିକ କର୍ମୀ ଲକ୍ଷ୍ମୀ ନୃସିଂହ ରଥ,ମାନବବାଦୀ ହେତୁବାଦୀ ସଂଗଠନର ଜିଲ୍ଲା ସମ୍ପାଦକ କେ ନନ୍ଦେଷୁ ସେନାପତି, ମାଣିକ ଶବର, ରୀତା ଦାସ,ସବିତା ନାୟକ,ସୁରେନ୍ଦ୍ର ସେଠୀ,ସୁଶାନ୍ତ ଶବର ପ୍ରମୁଖ ଯୋଗ ଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ ।