ଭଞ୍ଜନଗର ୦୭/୦୨(ପିପିଟି):ଗଞ୍ଜାମ ପୋଲିସ ଜିଲ୍ଲା ପକ୍ଷରୁ ଶନିବାର ଖାଲିଥିବା ଗୃହରକ୍ଷୀ (ହୋମଗାର୍ଡ) ପଦବୀ ପୂରଣ ପାଇଁ ବିଭିନ୍ନ କେନ୍ଦ୍ରରେ ସାଧାରଣ ଡ୍ୟୁଟି ପାଇଁ ଦୌଡ ଏବଂ ଲମ୍ବ ଡିଆଁ ପରୀକ୍ଷା ଅନୁଷ୍ଠିତ ହୋଇଛି। ଏହା ପୁର୍ବରୁ ଆବେଦନକାରୀମାନଙ୍କ ସୁଗାର, ବିପି, ହାର୍ଟ ସମ୍ପର୍କରେ ଯାଞ୍ଚ ହୋଇଛି। ଗଞ୍ଜାମ ପୋଲିସ ଜିଲ୍ଲାର ଭଞ୍ଜନଗର, ଆସିକା, କବିସୂର୍ଯ୍ୟନଗର ଏବଂ ଛତ୍ରପୁର ରେ ଏନେଇ ଶନିବାର ଦୌଡ ଏବଂ ଲମ୍ବ ଡିଆଁ ପରୀକ୍ଷା କରାଯାଇଛି।ଗଞ୍ଜାମ ଏସପି ଶୁଭେନ୍ଦୁ କୁମାର ପାତ୍ରଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ କଡ଼ା ସୁରକ୍ଷା ମଧ୍ୟରେ ପରୀକ୍ଷା ଅନୁଷ୍ଠିତ ହୋଇଛି। ଚଳିତ ମାସ ଶେଷ ସୁଦ୍ଧା ଅନ୍ୟାନ୍ୟ ପ୍ରକ୍ରିୟା ଶେଷ କରି ଯୋଗ୍ୟ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବାର ସମ୍ଭାବନା ରହିଛି। ଏହିଭଳି ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଖେଳ ପଡ଼ିଆରେ ମଧ୍ୟ ଶନିବାର କଡ଼ା ସୁରକ୍ଷା ମଧ୍ୟରେ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଭଞ୍ଜନଗର ଏଏସପି ରଞ୍ଜନ କୁମାର ଦେ, ଏସଡିପିଓ ଡ. ଦୀପକ କୁମାର ମିଶ୍ର, ଥାନା ଅଧିକାରୀ ଜୀବନାନନ୍ଦ ଜେନା, ତାରସିଂ ଥାନା ଅଧିକାରୀ ଶୁଭଲକ୍ଷ୍ମି ପୂଜାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପରୀକ୍ଷା କରାଯାଇଛି।ଆଜି ମୋଟ ୧୦୪ ପରୀକ୍ଷାର୍ଥୀ ଙ୍କ ମଧ୍ୟରୁ ୧୦୦ଜଣ ପରୀକ୍ଷା ଦେଇଥିଲେ।ଅନ୍ୟ୪ଜଣ କୌଣସି କାରଣରୁ ଅନୁପସ୍ଥିତ ଥିଲେ।ଦୌଡ଼ରେ କେବଳ ଜଣେ ଯୁବକ ପଡ଼ିଯାଇ ଆହତ ହୋଇଥିବା ବେଳେ ଅନ୍ୟ ସମସ୍ତ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଶାନ୍ତି ଶୃଙ୍ଖଳାରେ ସମସ୍ତ କାର୍ଯ୍ୟ ସମାପନ ହୋଇଛି।ଏଥିରେ ଭଞ୍ଜନଗର, ବେଲଗୁଣ୍ଠା,ଜଗନ୍ନାଥ ପ୍ରସାଦ, ବୁଗୁଡ଼ା ଓ ଗାଙ୍ଗପୁର ଥାନାର ସମସ୍ତ ପୋଲିସ କର୍ମଚାରୀ ସହଯୋଗ କରିଥିଲେ।
ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)