ଗୁରୁ ପି. କେଦାର ଦୋରା ଥିଲେ ଜଣେ ସମର୍ପିତ ସଂକୀର୍ତ୍ତନ ନିର୍ଦ୍ଦେଶକ ।

0 186

ବେଗୁନିଆପଡା,୧୪/୧୨(ପିପିଟି):ବେଗୁନିଆପଡା ସନ୍ନିକଟ ରାଗପୁର ଗ୍ରାମ ଠାରେ ପ୍ରଥିତଯଶା ସଂକୀର୍ତ୍ତନ ଗୁରୁ ପି. କେଦାର ଦୋରାଙ୍କ ଦ୍ୱାଦଶାହ ଅବସରରେ ଏକ ସଂକୀର୍ତ୍ତନ ସମାରୋହ ନାଟ୍ୟ ଗୁରୁ ଇନ୍ଦ୍ରମଣି ସାସମଲ ଏବଂ ଗ୍ରାମବାସୀଙ୍କ ସହଯୋଗରେ ଅନୁଷ୍ଠିତ ହୋଇଯାଇଛି। ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ମହାସଚିବ ସୁବାସ ଚନ୍ଦ୍ର ସାହୁ ରୋଶନ୍ ଏହି କାର୍ଯ୍ୟକ୍ରମର ଶୁଭ ଉଦଘାଟନ ସହ କେଦାର ବାବୁଙ୍କ ଫୋଟୋ ଚିତ୍ରରେ ପୁଷ୍ପାଞ୍ଜଳି ଦେଇ ସେ ଜଣେ ଆଗଧାଡିର ସମର୍ପିତ ସଂକୀର୍ତ୍ତନ ଗୁରୁ ଥିଲେ ଏବଂ ତାହାଙ୍କ ଅବର୍ତ୍ତମାନ ରାଜ୍ୟ ସଂକୀର୍ତ୍ତନ କଳା କ୍ଷେତ୍ରର ଅଶେଷ କ୍ଷତି ସାଧିତ ହେଲାବୋଲି ମତବ୍ୟକ୍ତ କରିଥିଲେ। ବେଗୁନିଆପଡା ବ୍ଲକ କଳା-ସଂସ୍କୃତି ସଂଘ ସଂଯୋଜକ ମହେଶ୍ବର ବରାଡ଼ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଖଲ୍ଲିକୋଟ ବ୍ଲକ ଉପସଭାପତି ଦିଗାମ୍ବର ମହାରଣା, ବେଗୁନିଆପଡା ବ୍ଲକ ଅଧ୍ୟକ୍ଷା ପ୍ରତିନିଧି ଦୁର୍ଯ୍ୟୋଧନ ଗୌଡ଼, ସରପଞ୍ଚ କାଶୀନାଥ ବେହେରା,ବରିଷ୍ଠ ସଂକୀର୍ତ୍ତନ ତଥା ମୃଦଙ୍ଗ ଗୁରୁ ବି. ଇନ୍ଦ୍ରମଣି ଦୋରା, ଗୁରୁ ସୁବାସ ସାହୁ, ଗୁରୁ ଭାସ୍କର ଦାସ, ଗୁରୁ କୈଳାସ ଘୋଷ ଏବଂ ବରିଷ୍ଠ ଶିକ୍ଷାବିତ୍ ନାଟ୍ୟକାର ବିଜୟ କୁମାର ମହାନ୍ତି ପ୍ରମୁଖ ଅତିଥି ଭାବରେ ଯୋଗଦେଇ କେଦାର ବାବୁଙ୍କ ସ୍ମୃତି ଚାରଣ ସହ ତାହାଙ୍କ କଳା କୃତି ସମ୍ପର୍କରେ ସିଂହାବଲୋକନ କରିଥିଲେ। ସଙ୍ଗୀତ ଗୁରୁ ଗୋବର୍ଦ୍ଧନ ପଣ୍ଡା ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ସ୍ବର୍ଗତ ଆତ୍ମାର ସଦ୍ଗତି କାମନା ପୂର୍ବକ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଗୁରୁ କେଦାର ଦୋରାଙ୍କ ନିର୍ଦ୍ଦେଶିତ ଜିଲ୍ଲା ଓ ବାହାର ଜିଲ୍ଲାର ସଂକୀର୍ତ୍ତନ ଦଳ ସହ ବ୍ଲକ ପରିସରସ୍ଥ ବିଭିନ୍ନ ଗ୍ରାମରୁ ସମାଗତ ସଂକୀର୍ତ୍ତନ ଦଳ ନିଜ ନିଜ କଳାନୈପୁଣ୍ୟ ପ୍ରଦର୍ଶନ ମାଧ୍ୟମରେ ସ୍ବର୍ଗତ ଆତ୍ମା ପ୍ରତି ଭକ୍ତି ନୈବେଦ୍ୟ ଅର୍ପଣ କରିଥିଲେ। ପରେ ପରେ ସାଇ କ୍ରିଷ୍ଣା ଭଜନ ଗ୍ରୁପ ତରଫରୁ ଭଜନ ପରିବେଷଣ କରାଯାଇଥିଲା। ରାଗପୁର ଗ୍ରାମବାସୀ କାର୍ଯ୍ୟକ୍ରମ ପରିଚାଳନାରେ ପୂର୍ଣ୍ଣ ସହଯୋଗ କରିଥିଲେ। ପରିଶେଷରେ ଗୁରୁ ଇନ୍ଦ୍ରମଣି ସାସମଲ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.