ଭଞ୍ଜନଗର, ୧୬/୦୮(ପିପିଟି):ଗତ ମାସ ୩୦ତାରିଖରୁ ନିଖୋଜ ଥିବା ଜଣେ ବ୍ୟକ୍ତିଙ୍କର ହାଡ଼ କଙ୍କାଳ ଶୁକ୍ରବାର ଭଞ୍ଜନଗର ପୋଲିସ କଳିଙ୍ଗା ଘାଟି ତଳୁ ଉଦ୍ଧାର କରିଛି।ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ତାକୁ ହତ୍ୟା କରି ପ୍ରମାଣ ନଷ୍ଟ ପାଇଁ ପୋତି ଦେଇଥିବା ଅଭିଯୋଗରେ ୩ଜଣଙ୍କୁ ଗିରଫ କରାଯାଇଛି।ଗତ ୧୦ତାରିଖରେ ଭଞ୍ଜନଗର ଥାନା ଜି. ରମ୍ଭାର ସୁବାସିନୀ ପ୍ରଧାନ ତାଙ୍କ ସାନଭାଇ ଯଜ୍ଞ ପ୍ରଧାନ(୪୦) ନିଖୋଜ ଥିବା ଥାନାରେ ଅଭିଯୋଗ କରିଥିଲେ।ଏଥିରେ ଗାଲେରୀ ଗ୍ରାମ ମଶାଣି ସାହିର ମିଟୁ ଗୌଡ଼ଙ୍କ ହାତ ଥିବା ସନ୍ଦେହ କରିଥିଲେ।ସୂଚନା ମୁତାବକ ଗତ ୩୦ତାରିଖରେ ଅପରାହ୍ନ ୪ଟା ବେଳେ ମିଟୁ ଓ ତାର ଜଣେ ସହଯୋଗୀ ଜି. ରମ୍ଭା ବନ୍ଧ ସହିରୁ ଯଜ୍ଞକୁ ଘରୁ ଡାକି ଏକ ମୋଟର ସାଇକେଲରେ ନେଇଥିଲେ।ସେହିଦିନ ଠାରୁ ଯଜ୍ଞ ଘରକୁ ଫେରି ନଥିଲା। ସୁବାସିନୀ ଗତକାଲି ତାଙ୍କ ଭାଇକୁ ମିଟୁ ହତ୍ୟାକରି କେଉଁଠି ଲୁଚେଇ ରଖିଛି ବୋଲି ଖବର ପାଇବା ପରେ ପୁଣିଥରେ ଭଞ୍ଜନଗର ଥାନାରେ ଏସମ୍ପର୍କରେ ଅଭିଯୋଗ କରିଥିଲେ।ଏହି ଘଟଣାରେ ପୋଲିସ ମିଟୁକୁ ଆଣି ପଚରା ଉଚରା କରିବାରେ ସେ ଯଜ୍ଞକୁ ହତ୍ୟା କରିଥିବା ସ୍ୱୀକାର କରିଥିଲା।ମିଟୁର କହିବାନୁସାରେ ସେ ଅଧିକାଂଶ ସମୟରେ ଜି. ରମ୍ଭା ଗ୍ରାମକୁ ଯିବା ଆସିବା କରୁଥିଲା ଏବଂ ସେଠାକାର ଲୋକଙ୍କ ସହ ତାର ଭଲ ସଂପର୍କ ଥିଲା।ଏହା ଭିତରେ ଯଜ୍ଞ ସହ ମିଟୁର କୌଣସି କାରଣକୁ ନେଇ ଅଶାନ୍ତି ସୃଷ୍ଟି ହୋଇଥିଲା। ଗତ ୨ମାସ ହେଲା ମିଟୁର ଦେହ ଖରାପ ହେବାରୁ ସେ ମେଡ଼ିକାଲ ଯିବା ବଦଳରେ ଯଜ୍ଞ ତାକୁ ଗୁଣି ଗାରେଡି କରିଥିବା ସନ୍ଦେହ କରିଥିଲା।ତେଣୁ ତାକୁ ରାସ୍ତାରୁ ନ ହଟେଇଲେ ମିଟୁର ଜୀବନ ଚାଲିଯିବ ଭାବି ସେ ଯଜ୍ଞକୁ ମଉକା ଦେଖି ହତ୍ୟା କରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲା।ତେଣୁ ଗତ ୩୦ତାରିଖ ଅପରାହ୍ନରେ ମିଟୁ ଓ ତାର ଜଣେ ସାଙ୍ଗ ଯଜ୍ଞକୁ ଘରୁ ଡାକି ବ୍ରାହ୍ମଣ ପଦର ଜଙ୍ଗଲିଆ ରାସ୍ତାରେ ମିଟୁ ବାଇକରୁ ଓହ୍ଲାଇ ଯଜ୍ଞର ମୁହଁକୁ ବାରମ୍ବାର ମାଡ଼ ମାରିବା ସହ ଏକ ଗାମୁଛାରେ ତାର ବେକକୁ ଚିପି ହତ୍ୟା କରିଥିଲା।ଏହାପରେ ପୁଣିଥରେ ରାତି ପ୍ରାୟ ୯ଟାରେ ମିଟୁ ତାର ବାଲିଆ ପଟା ଗ୍ରାମର ଦୁଇ ସହଯୋଗୀ ଟିଟୁ ନାୟକ(୪୦) ଏବଂ ସମ୍ବାଜି ପ୍ରଧାନ ଓରଫ ବାରହା (୨୩) ମିଶି ବାଇକରେ ଯଜ୍ଞର ମୃତଦେହକୁ ନେଇ କଳିଙ୍ଗା ଘାଟିର ଅନ୍ଧାର କୋଟ ପୂର୍ବରୁ ଏକ ବୁଲାଣି ରାସ୍ତାରେ ଘାଟି ଉପରୁ ତଳକୁ ଫିଙ୍ଗି ଦେଇଥିଲେ।ହେଲେ ଧରା ପଡ଼ିଯିବା ଭୟରେ ପୁଣି ତା ପରଦିନ ମିଟୁ ଓ ବାରହା ସେଠାକୁ ଯାଇ ପୋତି ଦେବା ପାଇଁ ଚେଷ୍ଟା କରିଥିଲେ।ବାରହା ମୃତ ଯଜ୍ଞକୁ ଘାଟି ତଳକୁ ଟାଣି ନେଇ ଏକ ଗାତରେ ଲୁଣ, ମାଟି ଓ ପଥର ପକାଇ ପୋତି ଦେଇଥିଲା।ଆଜି ମାଜିଷ୍ଟ୍ରେଟ ଅବିନାଶ ମାହାର, ଏସଡ଼ିପିଓ ସୁଜିତ କୁମାର ନାୟକ, ଆଇଆଇସି କୁମାର ମୁଦୁଲି,ଯଜ୍ଞର ପରିବାର ଲୋକ ଓ ସାକ୍ଷୀଙ୍କ ସାମ୍ନାରେ ସୀନ ରି କ୍ରିଏସନ କରିବା ସହ ଶବ ପୋତିଥିବା ଉକ୍ତ ସ୍ଥାନକୁ ଚିହ୍ନଟ କରିଥିଲା।ସେଠାରୁ ମୃତ ଯଜ୍ଞର ପଚା ସଢା ଶରୀର ଉଦ୍ଧାର ହେବା ସହ ତାର ପୋଷାକକୁ ଘରଲୋକ ଚିହ୍ନଟ କରିଥିଲେ।ଏହାପରେ ଉକ୍ତ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ଏଫଏମଟି କୁ ପଠାଯାଇଛି।ଏହି ଘଟଣାରେ କେସ ନଂ ୭୨୦/୨୪ରେ ମାମଲା ରୁଜୁ କରି ମୁଖ୍ୟ ଅଭିଯୁକ୍ତ ମିଟୁ ଓ ତାର ସହଯୋଗୀ ଟିଟୁ ଓ ବାରହାକୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଥିବା ଏସଡ଼ିପିଓ ସୁଜିତ କୁମାର ନାୟକ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
(ରିପୋର୍ଟ -ଜେ. କେ ପଟ୍ଟନାୟକ)