***ଗାଁ’ରେ ରଜ***

0 34

 

ଝାଳ ଗମ ଗମ ପହିଲି ରଜ
ବରଷାର ଦେଖା ନାହିଁ…..
ଦୋଳି ବାନ୍ଧିବାକୁ ବୃକ୍ଷ ଶାଖା ଶୂନ୍ୟ
ଝୁଲିବ କେଉଁଠି ଯାଇ….!!
ଗାଁ ଝିଅମାନେ ହୋଇ ସଜବାଜ
ଖୋଜିଛନ୍ତି ତୋଟା ମାଳ….
ସବୁଠି ପଡିଆ ପଡ଼ିଅଛି ଭୂଇଁ
ମହାବାତ୍ୟା ହେଲା କାଳ….!!
ଚାରିଆଡେ ଦେଖ ଟାଙ୍ଗରା ପଡିଆ
ଖରା ମାରେ ଝାଇଁ ଝାଇଁ…..
କିଚିରି ମିଚିରି ଚଢେଇଙ୍କ ରାବ
କର୍ଣ୍ଣ ବିକଳେ ଶୁଭୁ ନାହିଁ….!!
ଗାଁ ରେ ନାହିଁନ୍ତି କିଶୋର ଯୁବକ
ଗାଁ ମାଟି ଶୂନ ଶୂନ…..
ପେଟ ପାଇଁ କିଏ ଭିଟା ମାଟି ଛାଡି
ଖଟଇ ସାଜି ଦାଦନ….!!
ଯୁବତୀ କଣ୍ଠରୁ ଝରୁ ନାହିଁ ଆଉ
ସେହି ରଜ ଦୋଳି ଗୀତ…..
ଓଡ଼ିଆ ଗୀତରେ ମନ ନ ରସଇ
ହିନ୍ଦୀ ସଂଗୀତରେ ତୃପ୍ତ….!!
ଝୁଲଣାରେ ଝୁଲି ଗାଏ ନାହିଁ ଗୀତ
ସିନେମା ସଂଗୀତେ ମନ….
ଡିଜେ ବଜାଇଣ ନାଚନ୍ତି ଆନନ୍ଦେ
ରଜର ମଉଜ ଭିନ୍ନ…..!!
ପିଠା ମିଠା ଆଉ ନିଜକୁ ନ ଆସେ
ଦୋକାନରୁ ହୁଏ କିଣା….
ଓଡ଼ିଆ ସଂସ୍କୃତି ଓଡ଼ିଆ ଅସ୍ମିତା
ଯାଇଛି ଭୁଲି ଠିକଣା….!!
ବଦଳି ଗଲାଣି ଗାଁ ର ଚଳଣି
ଆଧୁନିକ କଲା ବାଇ….
ନାହିଁ ସଞ୍ଜ ବେଳେ ଖଞ୍ଜଣି ଭଜନ
ନାହିଁ ସେ ଛଟକ ଛଇ….!!
ଗାଁ କୁ ଆସୁନି କେନ୍ଦରା ବଜାଇ
ଯୋଗି ପୁଅ ଗୀତ ଗାଇ….
ପାପ ପୂଣ୍ୟ ବାଣୀ ଶୁଣାଇ ସକଳେ
ମନକୁ ତୋଷିବା ପାଇଁ….!!
ଗାଁ କୁ ଆସୁନି ସାପୁଆ କେଳା ଯେ
ସାପ ଖେଳ କରିବାକୁ….
ଡେଉଁରିଆ ବିକି ସାପ ଗପ କହି
ପଦ୍ମ ତୋଳା ଗାଇବାକୁ….!!
ଆସୁନି ଗାଁ କୁ ଚକୁଳିଆ ପଣ୍ଡା
ଗୀତ ଗାଇ ଘୂରି ଘୂରି….
ଦେଇ ଥିଲେ ପାଇ ବୁଣିଥିଲେ ଦାଇ
ଦ୍ବାର ଦ୍ବାର ଭିକ୍ଷା କରି…!!
ଦେଖା ଯାଉ ନାହିଁ ମୁଣ୍ଡ ପୋତା କେଳା
କଳା କଉଶଳ କରି….
ଚିତ୍ତବିନୋଦନ କରି ଜନମନ
ନେଉଥିଲା ମୋହ କରି…!!
ଗାଁ କୁ ଆସୁନି ବନସ୍ତୁ ଶବର
ଚେର ମୂଳ ଓଷ ଧରି….
କେଉଁ ରୋଗ ପାଇଁ କି କି ଔଷଧ
ଦେଉଥିଲା ରାମ ସ୍ମରି…!!
ଗାଁ ରେ ନାହିଁ ଟି ଗୁଣିଆ ବାପୁଡ଼ା
ତନ୍ତ୍ର ମନ୍ତ୍ର ଝଡା ଫୁଙ୍କା….
ଭୂତ ପ୍ରେତ ଆଉ ଡାହାଣୀ କାହାଣୀ
କହି କରୁଥିଲା ବୋକା….!!
ନାହିଁ ଚାଳ ଘର ଗାଁ ରେ କାହାର
ନାହିଁ କାଦୁଅର ପଥ…
ସିମେଣ୍ଟ ଜଙ୍ଗଲ ସବୁଠି ବିରାଜେ
ବଦଳି ଯାଇଛି ଚିତ୍ର …!!

(କବି କେଶବ ଚନ୍ଦ୍ର ନାୟକ)

(ସଭାପତି, ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି)
ମୋନ:୯୪୩୭୭୭୯୪୪୭

Leave A Reply

Your email address will not be published.