ଗର୍ଭବତୀ ମହିଳାଙ୍କ ମୃତ୍ୟୁକୁ ନେଇ ମେଡ଼ିକାଲରେ ଉତ୍ତେଜନା ।

0 256

ଭଞ୍ଜନଗର, ୨୯/୦୩(ପିପିଟି) : ଭଞ୍ଜନଗର ମେଡ଼ିକାଲ ଉପରେ ଗଞ୍ଜାମ ସମେତ କନ୍ଧମାଳ ଓ ନୟାଗଡ଼ ଜିଲ୍ଲାର ବହୁ ରୋଗୀ ନିର୍ଭର କରୁଛନ୍ତି।ହେଲେ ଏଠାରେ ଆବଶ୍ୟକତା ଠାରୁ ଅଧା ଡାକ୍ତରରେ ଚିକିତ୍ସା ଚାଲିଛି।ଯାହା ଫଳରେ ଅଧିକାଂଶ ସମୟରେ ରୋଗୀ ହଇରାଣ ହରକତ ହେବା ସହ ବ୍ରହ୍ମପୁର ମେଡ଼ିକାଲକୁ ରେଫର କରାଯାଉଛି।ଏହି ମେଡ଼ିକାଲରେ ଶନିବାର ସକାଳୁ ସକାଳୁ ଜଣେ ଗର୍ଭବତୀ ମହିଳା ଚିକିତ୍ସା ଅବହେଳାରୁ ମୃତ୍ୟୁବରଣ କରିଥିବା ଅଭିଯୋଗ ହୋଇଛି। ମହିଳାଜଣକ ହେଲେ ବେଲଗୁଣ୍ଠା ବ୍ଲକ ପୁରୁଣା ଉଡ୍ରା ଗ୍ରାମର ଟିକିନା ସାମଲ। ଟିକିନାଙ୍କ ମୃତ୍ୟୁକୁ ନେଇ ଶନିବାର ମେଡ଼ିକାଲରେ କିଛି ଘଣ୍ଟା ଉତ୍ତେଜନା ଦେଖା ଦେଇଥିଲା। ଏହାପରେ ପୋଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ହୋଇଥିଲା। ଏଥିସହ ପୋଲିସ ଉପସ୍ଥିତିରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଥିଲା।

ଘଟଣାରୁ ପ୍ରକାଶ ଯେ, ଟିକିନାଙ୍କୁ ତାଙ୍କ ପରିବାର ଲୋକେ ଗତ ୨୬ ତାରିଖରେ ଚିକିତ୍ସା ପାଇଁ ଭଞ୍ଜନଗର ମେଡ଼ିକାଲରେ ଭର୍ତ୍ତି କରିଥିଲେ। ୨୭ରେ ତାଙ୍କୁ ଗୋଟିଏ ରକ୍ତ ପ୍ୟାକେଟ ଦିଆ ଯାଇଥିଲା।

୨୮ ତାରିଖ ରାତିରେ ଟିକିନାଙ୍କୁ ଆଉ ଗୋଟିଏ ରକ୍ତ ଦିଆଯାଇଥିଲା। ରାତି ପ୍ରାୟ ୩ଟା ସମୟରେ ସେ ନିଃଶ୍ୱାସ ପ୍ରଶାସ ନେବାରେ କଷ୍ଟ ଅନୁଭବ କରିଥିଲେ। ଏହାପରେ ତାଙ୍କ ସ୍ବାମୀ ଡ୍ୟୁଟିରେ ଥିବା ନର୍ସଙ୍କୁ ଡାକିଥିଲେ। ନର୍ସ ଦେଖିବା ପରେ ଏମିତି ହେବ କିଛି ଅସୁବିଧା ନାହିଁ କହି ଟିକେ ଦେଖିବା ପରେ ଚାଲି ଯାଇଥିଲେ। ଏହାର କିଛି ସମୟ ପରେ ଟିକିନା ମୃତ୍ୟୁବରଣ କରିଥିଲେ। ଚିକିତ୍ସା ଅବହେଳାରୁ ଟିକିନାଙ୍କ ମୃତ୍ୟୁ ହୋଇଥିବା ଦର୍ଶାଇ ପରିବାର ଲୋକ ମେଡ଼ିକାଲରେ ହୋହାଲ୍ଲା କରିଥିଲେ। ଦୋଷୀଙ୍କ ବିରୋଧରେ କାର୍ଯାନୁଷ୍ଠାନ ଦାବି ନେଇ ମୃତଦେହକୁ ଧରି ପରିବାର ଲୋକ ମେଡ଼ିକାଲରେ ଆନ୍ଦୋଳନ କରିଥିଲେ। ଯାହାକୁ ନେଇ ମେଡ଼ିକାଲରେ ଏକ ପ୍ରକାର ଅପ୍ରୀତିକର ପରିସ୍ଥିତି ଦେଖା ଦେଇଥିଲା। ଏହାପରେ ପୋଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା।ଚିକିତ୍ସାରେ ଅବହେଳା ଘଟଣାକୁ ମେଡ଼ିକାଲ ଅଧିକ୍ଷକ ଡ଼ା ସିତାଂଶୁ ଶେଖର ଶତପଥି ଖଣ୍ଡନ କରିଛନ୍ତି।

ରିପୋର୍ଟ- (ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.