ଭଞ୍ଜନଗର, ୧୦/୧୦(ପିପିଟି):ଆଜି ବି ସମାଜରେ ବହୁ ଵୃଦ୍ଧ, ଅସହାୟ ଓ ଗରୀବ ଲୋକ ଦୁଃଖ କଷ୍ଟରେ ଚଳୁଛନ୍ତି।ସେମାନଙ୍କର ନା ଅଛି ଘରଦ୍ୱାର, ନା ଅଛି ପରିବାର।ତେଣୁ ସେମାନେ କେବଳ ଅବହେଳିତ ଅବସ୍ଥାରେ ଅନ୍ୟର ଦୟା ଓ ପର ଆଶ୍ରାରେ ବଞ୍ଚି ରହିଛନ୍ତି।ଏଭଳି କିଛି ଲୋକଙ୍କୁ ସାହାଯ୍ୟ ସହଯୋଗ କରିବା ପାଇଁ ଆଗେଇ ଆସିଛି ଭଞ୍ଜନଗର ସହରରେ ନୂତନ ଭାବେ ଗଢ଼ି ଉଠିଥିବା ସ୍ବେଚ୍ଛାସେବୀ ସଙ୍ଗଠନ ରାଇଜିଙ୍ଗ ହ୍ୟାଣ୍ଡ ୟୁଥ କ୍ଲବ।ବହୁ ଧନୀ ଶ୍ରେଣୀର ବ୍ୟକ୍ତିବିଶେଷ ଦାନ, ଧର୍ମ ଓ ସେବା ଭଳି ମହତ୍ତ୍ କାର୍ଯ୍ୟ ଠାରୁ ନିଜକୁ ଦୂରେଇ ରଖିଥିବା ବେଳେ ମାନବ ସେବା ହିଁ ମାଧବ ସେବା ଉକ୍ତିକୁ ପାଥେୟ କରି ରାଇଜିଙ୍ଗ ହ୍ୟାଣ୍ଡ ୟୁଥ କ୍ଲବର ବହୁ ଛାତ୍ର ଓ ଯୁବଗୋଷ୍ଠୀ ସଙ୍ଗଠିତ ହୋଇଛନ୍ତି।ଗୁରୁବାର କ୍ଲବର ସଦସ୍ୟମାନେ ନିଜ ନିଜ ପକେଟ ଖର୍ଚ୍ଚକୁ ଏକାଠି କରି ଭଞ୍ଜନଗର ସହରର ବସ ଷ୍ଟାଣ୍ଡ ଓ ମନ୍ଦିର ନିକଟରେ ଥିବା ବହୁ ଭିକ୍ଷୁକ ଓ ଅସହାୟ ଅବସ୍ଥାରେ ଥିବା ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦେଇଛନ୍ତି। ଆଗାମୀ ଦିନରେ ମଧ୍ୟ ରକ୍ତର ଆବଶ୍ୟକତା ଦୂର କରିବା, ଦୁର୍ଘଟଣାରେ ଶିକାର ବ୍ୟକ୍ତିକୁ ଚିକିତ୍ସା ଯୋଗାଇବା, ଗରୀବ ଓ ଅସହାୟ ଲୋକଙ୍କୁ ସାହାଯ୍ୟ ଭଳି ସେବା କାର୍ଯ୍ୟ ଜାରି ରହିବ ବୋଲି କ୍ଲବର ସଦସ୍ୟ ମାନେ କହିଛନ୍ତି।ଯୁବଗୋଷ୍ଠୀଙ୍କ ଏଭଳି ମହାନ କାର୍ଯ୍ୟକୁ ସ୍ଥାନୀୟ ଜନସାଧାରଣ ବେଶ ପ୍ରଶଂସା କରିଛନ୍ତି।
ରିପୋର୍ଟ୍ -ଜେ.କେ ପଟ୍ଟନାୟକ