ଗଞ୍ଜେଇ ଚୋରା ଚାଲାଣ ପାଇଁ ରଖିଥିଲେ କୋଟିଏ ଟଙ୍କାର ଗଞ୍ଜେଇ , ରାତି ପାହିବା ପୂର୍ବରୁ ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ଜବତ ।

0 1,106

ବ୍ରହ୍ମପୁର,୧୫/୦୧(ପିପିଟି):ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗକୁ ଆଉ ଏକ ବଡ଼ ସଫଳତା ମିଳିଛି । ଗଞ୍ଜେଇ ଚୋରା ଚାଲାଣ ପାଇଁ ଲାଞ୍ଜିପଲ୍ଲି ବାଇପାସ ନିକଟରେ ଏକ ପରିତ୍ୟକ୍ତ ଘରେ ରଖାଯାଇଥିବା ୧୦ କୁଇଣ୍ଟାଲ ଗଞ୍ଜେଇ ଯାହାକି କୋଟିଏ ଟଙ୍କା ମୂଲ୍ୟର ଗଞ୍ଜେଇକୁ ଅବକାରୀ ବିଭାଗ ପକ୍ଷରୁ ଜବତ କରାଯାଇଛି । ଲାଞ୍ଜିପଲ୍ଲୀ ଜାତୀୟ ରାଜପଥ ସମ୍ରାଟ ଢ଼ାବା ପଛରେ ଥିବା ଶିବାଶକ୍ତି ନଗର ୧୦ମ ଲାଇନ ଠାରେ ଏକ ପରିତ୍ୟକ୍ତ ଘରେ ବିପୁଳ ପରିମାଣର ଗଞ୍ଜେଇ ଗଛିତ ରହିଛି ବୋଲି ବିଶେଷ ସୂତ୍ରରୁ ଅବକାରୀ ବିଭାଗକୁ ଖବର ମିଳିଥିଲା । ରାଜ୍ୟ ଅବକାରୀ ବିଭାଗ କମିଶନର ଆଶିଷ କୁମାର ସିଂଙ୍କ ଆଦେଶ କ୍ରମେ ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ବ୍ରହ୍ମପୁର ଡେପୁଟି ସୁପରିଟେଣ୍ଡେଣ୍ଟ କୁବେରୀ ସେଠୀଙ୍କ ତତ୍ତ୍ୱାବଧାନରେ ଆଜି ସକାଳୁ ସକାଳୁ ସେହି ଘରେ ଚଢଉ କରାଯାଇଥିଲା । ଦକ୍ଷିଣାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ଡେପୁଟି କମିଶନର ରାଜେନ୍ଦ୍ର ଭାତ୍ରାଙ୍କ ନିର୍ଦ୍ଦେଶକ୍ରମେ ଇନ୍ସପେକ୍ଟର ହୃଦୟଚନ୍ଦ୍ର ସାମନ୍ତଙ୍କ ନେତୃତ୍ବରେ ବିଭାଗର ଏକ ଟିମ ରାତି ପାହିବା ପୁର୍ବରୁ ସେହି ଘରକୁ ଅକ୍ତିଆର କରିନେଇଥିଲେ । ଏହି ଗଞ୍ଜେଇ ଗଜପତି ଜିଲ୍ଲା ଅଡ଼ବାରୁ ଅଣାଯାଇ ଅନ୍ୟ ରାଜ୍ୟକୁ ଚାଲାଣ କରାଯିବାର ଯୋଜନା ରହିଥିଲା । ଜବତ ଗଞ୍ଜେଇର ମୂଲ୍ୟ ଏକ କୋଟି ଟଙ୍କା ହେବ ବୋଲି ବିଭାଗ ପକ୍ଷରୁ ସୁଚନା ମିଳିଛି । ସେହିପରି ଘଟଣାସ୍ଥଳରୁ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଥିବା ବେଳେ ଅନ୍ୟ ଏକ ଅଭିଯୁକ୍ତ ଚମ୍ପଟ ମାରିଥିବା କହିଛି ଅବକାରୀ ଗୁଇନ୍ଦା । ଗିରଫ ଅଭିଯୁକ୍ତ ଜଣକ ହେଲେ ମୋହନା ଅଡ଼ବା ଅଞ୍ଚଳର ଜିତେନ୍ଦ୍ର ଉଠାଣ ସିଂ । ଏହି ଚୋରା ଚାଲାଣରେ ଆଉ କିଏ କିଏ ସମ୍ପୃକ୍ତ ଅଛନ୍ତି ତାହାର ତଦନ୍ତ ପକ୍ରିୟା ଜାରି ରହିଛି । ଖବରନୁସାରେ ଗତ ଏକ ସପ୍ତାହ ମଧ୍ୟରେ ଫାଷ୍ଟ ଗେଟ ନିକଟରୁ ୪୫ଲକ୍ଷ ଟଙ୍କାର ୫୦୦କେଜି ଗଞ୍ଜେଇ ଜବତ କରାଯାଇଥିବା ବେଳେ କୋଦଳାରୁ ୨୫ଲକ୍ଷ ଟଙ୍କାର ୩୧୫ କେଜି ଗଞ୍ଜେଇ ଜବତ କରାଯାଇ ସାରିଛି । ଆଜିର ଚଢ଼ଉରେ ଅବକାରୀ ଗୁଇନ୍ଦା ବିଭାଗର ଡେପୁଟି ସୁପରିଟେଣ୍ଟ କୁବେର ସେଠି , ଇନ୍ସପେକ୍ଟର ହୃଦୟଚନ୍ଦ୍ର ସାମନ୍ତଙ୍କ ସମେତ ବିଶ୍ୱଜିତ ଦାସ , ବଳରାମ ଜେନା , ତରୁଣ କୁମାର ପାତ୍ର , ସୁରେନ୍ଦ୍ର ପ୍ରଧାନ , କୁମୁଦ ଚନ୍ଦ୍ର ପ୍ରଧାନ , ବ୍ରଜବିହାରି ନାୟକ,ଅନ୍ତର୍ଯ୍ୟାମୀ ସାହୁ , ସୁବ୍ରତ ବେହେରା , ରଶ୍ମିରଞ୍ଜନ ନାୟକ , ପୂଜା ନାୟକ , ସୁମିତ୍ରା ସାହୁ ପ୍ରମୁଖ ଚଢାଉ ବେଳେ ସାମିଲ ଥିଲେ ।
(ରିପୋର୍ଟ- ଆରତ କୁମାର ହୋତା। )

Leave A Reply

Your email address will not be published.