ଭଞ୍ଜନଗର, ୨୦/୧୦(ପିପିଟି) : ଭଞ୍ଜନଗର ଥାନା ବାଗଦେବୀ ରୋଡ ଠାରେ ବାଇକରେ ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ ପୁଲିସ ଜଣଙ୍କୁ ଗିରଫ କରିଛି।ସେ ହେଉଛନ୍ତି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ବିଲୁପଦର ଗ୍ରାମର ରଞ୍ଜିତ ସାହାଣୀ (୪୦)। ସକାଳ ସମୟରେ ଭଞ୍ଜନଗର ପୁଲିସ ପେଟ୍ରୋଲିଙ୍ଗ କରୁଥିବା ବେଳେ ବାଇକ ଚାଳକ ଜଣକ ପୁଲିସକୁ ଦେଖି ଗାଡି ବୁଲାଇ ପଳାଉଥିବା ବେଳେ ସେହି ଗାଡିକୁ ପିଛା କରି ଅଟକାଇ ଥିଲା।ପୁଲିସ ଛାନ୍ ଭିନ ବେଳେ ଏକ ଜରି ଅଖାରେ ଗଞ୍ଜେଇ ରହିଥିବା ଜଣା ପଡିଥିଲା।ଫଳରେ ଉକ୍ତ ବ୍ୟକ୍ତିକୁ ପୁଲିସ ଅଟକ ରଖି ଗଞ୍ଜେଇ ଜବତ କରିଥିଲା।ଥାନା ଏସଆଇ କେଶବ ଶଢଙ୍ଗୀଙ୍କ ଏତଲାକୁ ଭିତ୍ତିକରି ଅତିରିକ୍ତ ତହସିଲଦାର ଅଭିଷେକ ମାହାରଙ୍କ ଉପସ୍ଥିତିରେ ଉକ୍ତ ଗଞ୍ଜେଇ ଅଖାକୁ ଓଜନ କରିବା ପରେ ସେଥିରେ ୨୨.୦୭୦କେଜି ଗଞ୍ଜେଇ ଥିବା ଜଣାପଡିଛି। ରଞ୍ଜିତ ଉକ୍ତ ଗଞ୍ଜେଇକୁ କନ୍ଧମାଳ ଜିଲ୍ଲାରୁ ବ୍ରହ୍ମପୁର ଚୋରା ଚାଲାଣ କରୁଥିବା ଜଣାପଡିଛି।ଏହି ଘଟଣାରେ କେଶ ନମ୍ବର ୯୭୮/୨୩ରେ ଏକ ମାମଲା ରୁଜୁକରି ଉକ୍ତ ବ୍ୟକ୍ତିଙ୍କୁ ପୁଲିସ କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି।