ଗଞ୍ଜେଇ ଚାଷରେ ସଂପୃକ୍ତ ଯୁବକ କର୍ଣ୍ଣାଟକରୁ ଗିରଫ ।

0 272

ମାଲକାନଗିରି ,୧୭/୦୪(ପିପିଟି) : କାଲିମେଳା ପୋଲିସ ଜଣେ ଗଞ୍ଜେଇ ଚାଷୀକୁ ଗିରଫ କରିବାରେ ସଫଳ ହୋଇଛି। ଆନ୍ଧ୍ର ଓ ଓଡ଼ିଶା ସୀମାନ୍ତ କୁର୍ମାନୁର ଜଙ୍ଗଲରେ ପ୍ରାୟ ୩ବର୍ଷ ହେଲା ହାଇଟେକ ପଦ୍ଧତିରେ ଗଞ୍ଜେଇ ଚାଷ କରୁଥିବା କର୍ଣ୍ଣାଟକର ମହୀଶୁର ଅଞ୍ଚଳର ୪୧ ବର୍ଷୀୟ ଲୋହିତ ଆଥଗୁର ସଦାଶିବ ନାମକ ଏହି ଗଞ୍ଜେଇ ବେପାରୀକୁ ପୋଲିସ ଗିରଫ କରିବାରେ ସଫଳ ହୋଇଛି। ଏହି ଗଞ୍ଜେଇ ବେପାରୀ ଜଣେ ଆଇଟି କର୍ମଚାରୀ ବୋଲି ଜଣାପଡିଛିି। ଏସଡ଼ିପିଓଙ୍କ ନେତୃତ୍ୱରେ ଏକ ପୋଲିସ ଦଳ ମହୀଶୁର ଯାଇ ଏହି ଗଞ୍ଜେଇ ବେପାରୀକୁ ଗିରଫ କରିଛି।
ଅନଲାଇନରୁ ଗଞ୍ଜେଇ ମଞ୍ଜି ମଗାଇ ହାଇଟେକ୍ ପଦ୍ଧତିରେ ଗୁରାଲୁର ଜଙ୍ଗଲରେ ଗଞ୍ଜେଇ ଚାଷ କରୁଥିବା ବେଳେ ସେ ଏମଭି-୯୦ ଗ୍ରାମର ଅସୀତ ମଣ୍ଡଳ ନାମକ ଜଣେ ଗଞ୍ଜେଇ ବେପାରୀଙ୍କ ସହିତ ମିଶି ଏହି ଚୋରା ଗଞ୍ଜେଇ ଚାଷ ୩ ବର୍ଷ ହେଲା କରିଆସୁଥିଲା। ହାଇଟେକ ପଦ୍ଧତିରେ ଚାଷ କରାଯାଉଥିବା ଏହି ଗଞ୍ଜେଇର ମୂଲ୍ୟ ଖୋଲ ବଜାରରେ କିଲୋ ପ୍ରତି ଗଞ୍ଜେଇର ମୂଲ୍ୟ ଏକ ଲକ୍ଷ ଟଙ୍କାରେ ବିକ୍ରି ହେଉଥିବା କୁହାଯାଉଛି।
ଗତ ଜାନୁଆରି ୨୮ ତାରିଖରେ କାଲିମେଳା ପୋଲିସ ଗୁରାଲୁର ଜଙ୍ଗଲରେ ପ୍ରାୟ ୪ ଏକର ପାହାଡ଼ିଆ ଜମିରେ ଏହି ଗଞ୍ଜେଇ ଚାଷ କରାଯାଇଥିବା ବେଳେ ପ୍ରାୟ ୭ ହଜାର ଗଞ୍ଜେଇ ଗଛକୁ ନଷ୍ଟ କରିଦେଇଥିଲା। ସେହି ଗଞ୍ଜେଇ ଚାଷ ଏମଭି-୯୦ ଗ୍ରାମର ଅସୀତ ମଣ୍ଡଳ ନାମକ ଜଣେ ଯୁବକ କରୁଥିବା ବେଳେ ତାଙ୍କ ସହିତ ମିଶି ଏହି ଆଇଟି କର୍ମଚାରୀ ଜଣଙ୍କ ହାଇଟେକ ପଦ୍ଧତିରେ ଗଞ୍ଜେଇ ଚାଷ କରି ଆସୁଥିଲେ। ଗିରଫ ଲୋହିତ ଅର୍ଥ ଓ ଟେକନୋଲୋଜି ବ୍ୟବହାର କରୁଥିବାବେଳେ ଅସୀତ ଶ୍ରମିକ ଯୋଗାଇ ଆସୁଥିଲା। ଅସୀତ ପୂର୍ବରୁ ଗିରଫ ହୋଇ ଜେଲରେ ଥିବାବେଳେ ଏବେ ରାଜ୍ୟ ବାହାରୁ ଜଣେ ଗଞ୍ଜେଇ ବେପାରୀକୁ ଗିରଫ କରିବା ଘଟଣା ଜିଲ୍ଲାରେ ପ୍ରଥମ ବୋଲି ପୋଲିସ କହିଛି। ଏହି ଠାରେ ଚାଷ କରାଯାଉଥିବା ଗଞ୍ଜେଇ ସବୁ ବାହାର ରାଜ୍ୟକୁ ଚୋରା ଚାଲାଣ କରାଯାଉଥିଲା । ରାଜ୍ୟ ବାହାରର ଆଉ କିଏ ସଂପୃକ୍ତ ଅଛନ୍ତି ସେ ଉପରେ ଅନୁସନ୍ଧାନ କରାଯାଉଛି ବୋଲି ମାଲକାନଗିରି ଏସଡ଼ିପିଓ ସଚିନ ପଟେଲ ପ୍ରକାଶ କରିଛନ୍ତି।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.