ଗଞ୍ଜାମରେ ‘ସମ୍ପୂର୍ଣ୍ଣ ଶ୍ରୀ ମିଶନ’ ଉପରେ ଜିଲ୍ଲାସ୍ତରୀୟ କର୍ମଶାଳା ।

0 101

ଛତ୍ରପୁର,୦୯/୦୪(ପିପିଟି): ‘ସମ୍ପୂର୍ଣ୍ଣ ଶ୍ରୀ ମିଶନ’ ସମ୍ପର୍କିତ ଜିଲ୍ଲାସ୍ତରୀୟ ସମନ୍ୱୟ କର୍ମଶାଳା ଆଜି ଗଞ୍ଜାମ ଜିଲ୍ଲା ପରିଷଦର ଋଷିକୁଳ୍ୟା ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଭି କୀର୍ତ୍ତି ଭାସନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମଟି ଓଡିଶା ଜୀବିକା ମିଶନ ପକ୍ଷରୁ ଆୟୋଜିତ ହୋଇଥିଲା।

ଏହି କର୍ମଶାଳାରେ ବିଭିନ୍ନ ବିଭାଗର ସମନ୍ୱୟ ମାଧ୍ୟମରେ ଗ୍ରାମୀଣ ଜୀବିକାକୁ ସୁଦୃଢ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା।

ଏହି ମିଶନ୍‌ର ଲକ୍ଷ୍ୟ ହେଉଛି ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଉଦ୍ୟମିତା,କୃଷି,ଗ୍ରାମୀଣ ଆୟ, ପୋଷଣ ସୁଧାର ଏବଂ ମହିଳା ସଶକ୍ତିକରଣକୁ ତ୍ୱରାନ୍ୱିତ କରାଯିବ । ଏହା ସହିତ ଜିଲ୍ଲାରେ ଅଧିକ ସଂଖ୍ୟାରେ ‘ଲକ୍ଷପତି ଦିଦି’ ସୃଷ୍ଟି କରିବାକୁ ମଧ୍ୟ ଲକ୍ଷ୍ୟ ରଖାଯାଇଛି ବୋଲି ଜିଲ୍ଲାପାଳ ଶ୍ରୀ ଭାସନ ପ୍ରକାଶ କରିଥିଲେ ।

କର୍ମଶାଳାରେ ବିଭିନ୍ନ ଯୋଜନାମାନଙ୍କର ସଠିକ ସମନ୍ୱୟ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ମତ୍ସ୍ୟ ଏବଂ ପଶୁ ସମ୍ପଦ ବିକାଶ ବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଓ ପ୍ରାଣୀ ସମ୍ପଦ ସମୃଦ୍ଧି ଯୋଜନା ବିଷୟରେ ଉପସ୍ଥାପନା କରାଯାଇଥିଲା,ଯାହା ମାଧ୍ୟମରେ ଦୁଗ୍ଧ ଓ ଛେଳି ପାଳନ ପାଇଁ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନେ ଆବଶ୍ୟକୀୟ ସବସିଡି ସୁବିଧା ପାଇପାରିବେ।

ଉଦ୍ୟାନ କୃଷି ପକ୍ଷରୁ ସବୁଜ ପରିବା ଚାଷ,ଫଳ ଚାଷ,ଫ୍ଲୋରିକଲଚର ଏବଂ କ୍ଲଷ୍ଟର ଉନ୍ନୟନ ଯୋଜନା ବିଷୟରେ ସୂଚନା ଦିଆଯାଇଥିଲା। ଏହା ସହିତ ଜଳସେଚନ ସଂରଚନା ପାଇଁ ଆର୍ଥିକ ସହାୟତା ବିଷୟରେ ମଧ୍ୟ ଉଲ୍ଲେଖ କରାଯାଇଥିଲା ।

କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଇନପୁଟ୍ ସବସିଡି,ଉନ୍ନତ ବୀଜ ବିତରଣ ଓ ଫସଲ ବୃଦ୍ଧି କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱ ଦିଆଯାଇଥିଲା।

ଏହି ସମସ୍ତ ଯୋଜନାର ସଠିକ ସମନ୍ୱୟ ମାଧ୍ୟମରେ ଗ୍ରାମୀଣ ଜୀବିକା ସୁଦୃଢ ହେବ,ଆୟର ବିକଳ୍ପ ସୃଷ୍ଟି ହେବ, ପୋଷଣ ସୁରକ୍ଷା ବୃଦ୍ଧି ପାଇବ ଏବଂ ଜୀବିକା ପାଇଁ ସ୍ଥାନାନ୍ତରଣ କମିବ ବୋଲି ଜିଲ୍ଲାପାଳ ଆଶାବ୍ୟକ୍ତ କରିଛନ୍ତି ।

ଏହି କର୍ମଶାଳାରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ସମୀର କୁମାର ଜେନାଙ୍କ ସମେତ କ୍ଷେତ୍ରସ୍ତରୀୟ ଅଧିକାରୀ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଅଂଶଗ୍ରହଣ କରିଥିଲେ।

Leave A Reply

Your email address will not be published.