ପାରଳାଖେମୁଣ୍ଡି,୧୪/୧୧(ପିପିଟି): ଗଜପତି ଜିଲ୍ଲାକୁ ମରୁଡିଗ୍ରସ୍ତ ଘୋଷଣା, ଭୂମିହୀନଙ୍କୁ ଜମି, ଆଦିବାସୀ ଓ ଅନ୍ୟ ବନଜୀବିଙ୍କୁ ଜଙ୍ଗଲ ଜମି ପଟ୍ଟା ଓ ଅନ୍ୟାନ୍ୟ ଦାବି ନେଇ, ଆଜି ଅଖିଳ ଭାରତ କିଶାନ୍ ମଜଦୁର ସଭା (AIKMS) ଗଜପତି ଜିଲ୍ଲା କମିଟି ପକ୍ଷରୁ ଏକ ବିଶାଳ ରାଲି ଓ ଗଣ ବିକ୍ଷୋଭର ଆୟୋଜନ ହୋଇଥିଲା । ଆଜି ପୂର୍ବାହ୍ନ ଏଗାରଟା ବେଳେ ସ୍ଥାନୀୟ ନୂଆ ବସଷ୍ଟାଣ୍ଡରୁ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିବା ସହ ଶେଷରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିବା ପରେ ସେଠାରେ ଏକ ସାଧାରଣ ସଭାର ସଭା ଅନୁଷ୍ଠିତ ହୋଇଥିଲା ।
ସଙ୍ଗଠନର ଜିଲ୍ଲା ସମ୍ପାଦକ କେଦାର ଶବରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଏହି ସଭାରେ ଏଆଇକେଏମଏସ୍ ଜାତୀୟ ସମ୍ପାଦକ ଭାଲଚନ୍ଦ୍ର ଷଡ଼ଙ୍ଗୀ ନିଜର ବକ୍ତବ୍ୟ ରଖି, ଚଳିତ ବର୍ଷ ଗଜପତି ଜିଲ୍ଲା ସମେତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ଦେଖାଦେଇଥିବା ବର୍ଷା ଭାବ ଜନିତ ମରୁଡିକୁ ମଣିଷକୃତ ଓ ସରକାରକୃତ ବୋଲି କହିଥିଲେ । ଯଦି ପଞ୍ଜାବରେ ମୋଟ ଚାଷଜମିର ୯୭% ଜଳସେଚିତ ହୋଇଥିବା ବେଳେ ଓଡ଼ିଶାରେ ଆମ ଶାସକ ମାନେ ଗତ ୭୫ ବର୍ଷ ମଧ୍ୟରେ ମାତ୍ର ୩୪% ଜମିକୁ ହିଁ ଜଳସେଚିତ କରିପାରିବା ଲଜ୍ଜାଜନକ ବୋଲି କହିଥିଲେ । ଅତଏବ ବ୍ୟାପକ ଜଳସେଚନ ହିଁ ମରୁଡିକୁ ସମାପ୍ତ କରିପାରିବ ଏବଂ ସେଥିପାଇଁ ଦୀର୍ଘମିଆଦି ଯୋଜନା କରିବାକୁ ସେ ଦାବି କରିଥିଲେ । ସେହିପରି ପଡୋଶୀ ଆନ୍ଧ୍ରପ୍ରଦେଶ ସରକାର ବାର୍ଦ୍ଧକ୍ୟ, ବିଧବା ଓ ଭିନ୍ନକ୍ଷମମାନଙ୍କ ଭତ୍ତା ବାବଦରେ ମାସିକ ୩୦୦୦ ଟଙ୍କା ଦେଉଥିବା ବେଳେ ଓଡ଼ିଶା ସରକାର ଦେଶରେ ସବୁଠାରୁ କମ୍ ପେନସନ ମାସିକ ୫୦୦ ଟଙ୍କା ଦେବା ଲଜ୍ଜାଜନକ ବୋଲି କହିଥିଲେ ।
ରାଜ୍ୟର ନବୀନ ପଟ୍ଟନାୟକଙ୍କ ସରକାର ବଡ ବଡ କମ୍ପାନୀକୁ ଶସ୍ତାରେ ଜମି ଦେବା ପାଇଁ ଜମିବ୍ୟାଙ୍କ କରି ସବୁ ସରକାରୀ ଜମିକୁ ସଂରକ୍ଷିତ କରୁଥିବା ବେଳେ ଭୂମିହୀନ ଗରିବ ଲୋକଙ୍କୁ ସରକାରୀ ଜମି ପାଇବାରୁ ବଞ୍ଚିତ କରିବା ନିନ୍ଦନୀୟ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶ୍ରମିକ ସଂଗଠନ ଆଇଏଫଟିୟୁର ସଭାପତି ପ୍ରତାପ ଚନ୍ଦ୍ର ପ୍ରଧାନ, ଏଆଇକେଏମଏସ୍ ଜିଲ୍ଲା କମିଟି ସଭ୍ୟ ତଥା ଗଙ୍ଗାବାଡ ସରପଂଚ ହରିବନ୍ଧୁ କାର୍ଯୀ, ସମ୍ଵୁରା ମଳିକ, କାଡୁକା ଶବର, ଶ୍ରମିକ ନେତା କାରୁକା ଶବର, ସାମାଜିକ ନ୍ୟାୟ ଆନ୍ଦୋଳନର ନେତା ବାଣି ପ୍ରସାଦ ମାଳି, ମହିଳା ନେତ୍ରୀ ନିୟାପଲ୍ଲୀ ଶବର, ଗଣେଶ୍ରୀ ଶବର ପ୍ରମୁଖ ଯୋଗଦେଇଥିଲେ ।
ଏହି ଅବସରରେ ମରୁଡି ଘୋଷଣା ସହିତ ଭୂମିହୀନ ଲୋକଙ୍କୁ ଜମି ପଟ୍ଟା, ଆଦିବାସୀଙ୍କୁ ଜଙ୍ଗଲ ଜମିପଟ୍ଟା, ପେନସନକୁ ମାସିକ ୫ ହଜାର ଟଙ୍କା ବୃଦ୍ଧି, ମନରେଗାରେ କାମ ଯୋଗାଇବା,ଟସର ସାଥୀ ଓ ଟସର ମିତ୍ରମାନଙ୍କ ବକେୟା ଦରମା ପ୍ରଦାନ କରିବା ଆଦି ଆଠ ଦଫା ଦାବି ନେଇ ଏଆଇକେଏମଏସର ଏକ ପ୍ରତନିଧି ଦଳ ଜିଲ୍ଲାପାଳଙ୍କୁ ଭେଟିବା ସହ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ ।