ଗଛ କାଟୁଥିବା ବେଳେ ଗଛରୁ ପଡି ଗୁରୁତର ହେଲେ ଠିକା ବିଦ୍ୟୁତ୍ କର୍ମଚାରୀ ।

0 835

ବେଲଗୁଣ୍ଠା,୧୧/୦୪(ପିପିଟି):ବେଲଗୁଣ୍ଠା ବିଦ୍ୟୁତ୍ ବିଭାଗର ଜଣେ ଠିକା କର୍ମଚାରୀ ବଳରାମ ସାହୁ ବିଦ୍ୟୂତ୍ ବିଛିନ୍ନ ଯୋଗୁଁ ଗଛ କାଟୁଥିବା ବେଳେ ୪୦ ଫୁଟ ଉପରୁ ଗଛରୁ ପଡିଯାଇ ଗୁରୁତର ହୋଇଥିବା ବେଳେ ଉପରିସ୍ଥ ଅଧିକାରୀଙ୍କ ଦାୟିତ୍ୱହୀନତା ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ନେଇ ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁସାରେ, ଗତକାଲି ରାତିଠାରୁ ବ୍ରେକ୍ ଡାଉନ୍ ଯୋଗୁଁ ଜିରୋଳି ଓ ଗିରିଶୋଲା ଅଞ୍ଚଳରେ ବିଦ୍ୟୁତ୍ ସରବରାହ ବନ୍ଦ ଥିଲା ।ଆଜି ଦିନ ୧୧ ବେଳେ କନିଷ୍ଠ ଯନ୍ତ୍ରୀ ଦୀପକ ସାମନ୍ତରାୟ ଓ ଲାଇନ୍ ମ୍ୟାନ୍ ପ୍ରଦୀପ କୁମାର ସ୍ୱାଇଁଙ୍କ ନିର୍ଦ୍ଦେଶରେ ବଳରାମଙ୍କ ସମେତ ୪ ଜଣ ଠିକା କର୍ମଚାରୀ ସେହି ଅଞ୍ଚଳରେ ବିଦ୍ୟୁତ୍ ସରବରାହ ସଜାଡ଼ିବା ପାଇଁ ଯାଇଥିଲେ । ସେଠାରେ ୧୧ କେଭି ତାର ଉପରେ ଏକ ବିରାଟ ଗଛ ଯାଇଥିବାର ଦେଖି କନିଷ୍ଠ ଯନ୍ତ୍ରୀ ଓ ଲାଇନ୍ ମ୍ୟାନ୍ ଙ୍କୁ ଅପେକ୍ଷା କରିଥିଲେ । କିନ୍ତୁ ବହୁ ସମୟ ପରେ ମଧ୍ୟ ଅଧିକାରୀ ନ ଆସିବାରୁ ଫୋନ୍ ଯୋଗେ ଲାଇଳ୍ ମ୍ୟାନ୍ ଘଟଣା ସ୍ଥଳକୁ ନ ଆସି ଏଲ୍ ସି ଦେଇଥିଲେ ।ବଳରାମ ଗଛ ଉପରେ ଚଢ଼ି ଗଛ କାଟୁଥିବା ବେଳେ ୪୦ ଫୁଟ ଉପରୁ ତଳକୁ ପଡିଯାଇଥିଲେ ଏବଂ ତାଙ୍କର ମୁହଁ ଓ ଦୁଇ ଗୋଡ଼ରେ ଗଭୀର ଆଘାତ ଲାଗିଥିଲା । ସହକର୍ମୀ ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଭଞ୍ଜନଗର ଓ ପରେ ବ୍ରହ୍ମପୁର ବଡଡାକ୍ତରଖାନା ସ୍ଥାନାନ୍ତର କରିଥିବା ସୂଚନା ମିଳିଛି ।ଖବର ଲେଖା ହେବା ବେଳକୁ ବଳରାମ ଙ୍କ ଦୁଇ ଗୋଡ଼ରେ ଗଭୀର ଆଘାତ ଲାଗିବା ଯୋଗୁଁ ଦୁଇ ଗୋଡ ହରାଇ ପାରନ୍ତି ବୋଲି ସୂଚନା ମିଳିଛି । ବିଭାଗୀୟ ଅଧିକାରୀଙ୍କ ଦାୟିତ୍ୱହୀନତା ଯୋଗୁଁ ଏପରି ଘଟିଛି ବୋଲି ବହୁ କର୍ମଚାରୀ ଅଭିଯୋଗ ଅଭିଯୋଗ ଆଣିଛନ୍ତି । କୁଶଳୀ ଲାଇନ୍ ମ୍ୟାନ୍ ଥିବା ସତ୍ତ୍ବେ ଅଧିକାରୀ ମାନେ ଅଣକୁଶଳୀ କର୍ମଚାରୀ ତଥା ଠିକା କର୍ମଚାରୀ ମାନଙ୍କୁ ଅଧିକ କାମ ପାଇଁ ଚାପ ପକାଉଥିବା ଅଭିଯୋଗ ହେଉଛି । ବିଦ୍ୟୁତ୍ ଠିକା କର୍ମଚାରୀ ସଂଘ ବଳରାମଙ୍କ ଉପଯୁକ୍ତ ଚିକିତ୍ସା ଓ ସହାୟତା ପାଇଁ ଦାବି କରିଛନ୍ତି । ପ୍ରକାଶ ଥାଉ କି , ବଳରାମ ଗତ ପାଞ୍ଚ ବର୍ଷ ହେଲା ଠିକା କର୍ମଚାରୀ ଭାବେ ବିଦ୍ୟୁତ୍ ବିଭାଗରେ କାର୍ଯ୍ୟରତ ଥିବାବେଳେ ତାଙ୍କ ଘର ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ପାଇଲିପଡା ବୋଲି ଜଣାପଡ଼ିଛି ।

ରିପୋର୍ଟ- ସୁଶାନ୍ତ କୁମାର ବେହେରା

Leave A Reply

Your email address will not be published.