ଯାଜପୁର,୧୬/୦୫(ପିପିଟି):ସୁକିନ୍ଦା ବ୍ଲକ ଅନ୍ତର୍ଗତ ଖରଡ଼ି ପଞ୍ଚାୟତରେ ମନରେଗା ଯୋଜନାରେ ବ୍ୟାପକ ଅନିୟମିତତା ହେଉଥିବାର ଅଭିଯୋଗ ହେଉଛି,ମଣିଷ ବଦଳରେ ମେସିନ କାମ କରୁଥିବାର ଦେଖିବାକୁ ମିଳୁଛି। ଖରଡ଼ି ପଞ୍ଚାୟତ ରେ ଖରଡ଼ି ଠାରୁ ନାଉପାଳ ରାସ୍ତା ର ଉନ୍ନତି କରଣ ଏବଂ ନାଉପାଲ ସାହି ଖେଳ ପଡିଆର ଉନ୍ନତି କରଣ ଏହି ଦୁଇଟି କାର୍ଯ୍ୟ ପାଇଁ ୨୦୨୨-୨୩ ଆର୍ଥିକ ବର୍ଷରେ ମନରେଗା ଯୋଜନାରେ ୧୦ ଲକ୍ଷ ଲେଖାଏଁ ମୋଟ ୨୦ ଲକ୍ଷ ଟଙ୍କାର ବ୍ୟୟ ବରାଦ କରାଯାଇଛି । ଏହି କାର୍ଯ୍ୟ ପାଇଁ ପଞ୍ଚାୟତ ନିର୍ବାହୀ ଅଧିକାରୀ ଡ଼ାଙ୍ଗି ମୁର୍ମୁ ଙ୍କ ନାମରେ ବିଭାଗୀୟ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିବା ବେଳେ ପ୍ରକୃତ ପକ୍ଷେ ଏହି ଦୁଇ ମନରେଗା କାର୍ଯ୍ୟକୁ ସ୍ଥାନୀୟ ସରପଞ୍ଚଙ୍କ ସ୍ୱାମୀ ନିଜେ ମେସିନ ଓ ଟ୍ରାକ୍ଟର ଲଗାଇ କରୁଥିବାର ନାଉପାଳ ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି। କାର୍ଯ୍ୟ ସ୍ଥଳରେ ସୂଚନା ଫଳକ ଲଗାଇବା ପରିବର୍ତ୍ତେ ଲୋକଙ୍କ ଦୃଷ୍ଟି ରୁ ଦୂରେଇ ରଖିବା ପାଇଁ କାର୍ଯ୍ୟ ସ୍ଥଳର ଏକ କିଲୋମିଟର ଦୂରରେ ଏହି ଫଳକ ନିର୍ମାଣ କରାଯାଇଛି। ଏଷ୍ଟିମେଟ୍ ଅନୁସାରେ କାର୍ଯ୍ୟରତ ଶ୍ରମିକ ମାନଙ୍କ ବିଶ୍ରାମ ପାଇଁ ଆଶ୍ରୟ ସ୍ଥଳ,କ୍ରେଚ ଇତ୍ୟାଦି ନିର୍ମାଣର ବ୍ୟବସ୍ଥା ଥିଲେ ହେଁ ଏଭଳି କୌଣସି ନିର୍ମାଣ ଦେଖିବାକୁ ମିଳୁନାହିଁ।ଏପରିକି ଏହି କାର୍ଯ୍ୟରେ ଗ୍ରାମ ବାସୀଙ୍କୁ ସାମିଲ କରିବା ଓ ମେସିନ ବ୍ୟବହାର ବନ୍ଦ କରିବା ପାଇଁ ଗତ ଜାନୁଆରୀ ମାସ ଶେଷ ସପ୍ତାହରେ ଗ୍ରାମ ବାସୀ ମାନେ ତତ୍କାଳୀନ ବିଡ଼ିଓ ରେସମା ଟେଟେ ଓ ସୁକିନ୍ଦା ଥାନା ଅଧିକାରୀଙ୍କୁ ଭେଟି ଲିଖିତ ଅଭିଯୋଗ କରିଥିଲେ। ଏହି ପଞ୍ଚାୟତ ଦାୟିତ୍ଵରେ ଥିବା କନିଷ୍ଠ ଯନ୍ତ୍ରୀ ମେସିନ ବ୍ୟବହାର ନ କରିବାକୁ ବାରଣ କରିଥିଲେ ହେଁ ସରପଞ୍ଚଙ୍କ ସ୍ୱାମୀ ନିଜ କ୍ଷମତାର ଅପବ୍ୟବହାର କରି ଟ୍ରାକ୍ଟର ଓ ମେସିନ ଲଗାଇ କାମ ଜାରି ରଖିଥିବା ବେଳେ ମିଛ ମଷ୍ଟର ରୋଲ ତିଆରି କରି ନିଜ ଆତ୍ମୀୟ ଓ ସମର୍ଥକଙ୍କ ଜବ କାର୍ଡ ନମ୍ବର ପକାଇ ସେମାନଙ୍କ ନାମରେ ଟଙ୍କା ଉଠାଇବାର ଯୋଜନା କରିଛନ୍ତି।ପଞ୍ଚାୟତ ବ୍ୟବସ୍ଥାରେ ଥିବା ଏଭଳି ଅସାଧୁ ପ୍ରକୃତିର ଲୋକ ପ୍ରତିନିଧି ମାନଙ୍କ ଯୋଗୁଁ ସରକାରୀ ଯୋଜନା ର ସୁଫଳ ସାଧାରଣ ଲୋକ ପାଇ ପାରୁ ନାହାଁନ୍ତି ଓ ମନରେଗା ଭଳି ମହତ୍ତ୍ଵ ପୂର୍ଣ୍ଣ ଯୋଜନା ଲୋକଙ୍କ ହିତରେ ଆସୁନାହିଁ।ଖରଡ଼ି ପଞ୍ଚାୟତରେ ମନରେଗା ଯୋଜନାରେ ହେଉଥିବା ଏହି ଅନିୟମିତତା ପ୍ରତି ଜିଲ୍ଲାପାଳ ମହୋଦୟା ଦୃଷ୍ଟି ଦେବା ଓ ନିଜେ ସର ଜାମିନ ତଦନ୍ତ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।