ବାଲେଶ୍ୱର,୧୧/୧୧: ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ଖପରାପଦା ଛକରେ ଥିବା ଓଡିଶା ଗ୍ରାମ୍ଯ ବ୍ଯାଙ୍କର ଝରକା ଭାଙ୍ଗି ଚୋରି ହୋଇଛି। ରବିବାର ବିଳମ୍ବିତ ରାତିରେ କିଛି ଦୁର୍ବୁର୍ତ୍ତ ବିଲଡିଂର ଉପର ମହଲାରେ ଥିବା ଗ୍ରାମ୍ୟବ୍ୟାଙ୍କ ଝରକାର ଲୁହା ଗ୍ରିଲକୁ ଗ୍ଯାସ କଟରରେ କାଟି ବ୍ଯାଙ୍କ ଭିତରକୁ ପଶିଥିଲେ।ଦୁର୍ବୁତ୍ତ ମାନେ ବ୍ୟାଙ୍କର ଷ୍ଟ୍ରଙ୍ଗରୁମର ଲକର ଭାଙ୍ଗିବାକୁ ଚେଷ୍ଟା କରି ବିଫଳ ହୋଇଥିବା ବେଳେ ବ୍ୟାଙ୍କରୁ ଇନଭେଟର ବ୍ୟାଟେରୀ, ଗୋଟିଏ ଲାପଟପ୍ ଏବଂ ସିସିଟିଭି କ୍ୟାମେରା ଭାଙ୍ଗିବା ସହ ତାର ହାର୍ଡଡିସ୍କ ପ୍ରଭୃତି ଲୁଟି ନେଇଥିବା ଜଣାପଡିଛି ।ସୋମବାର ସକାଳେ ସ୍ଥାନୀୟ ଲୋକେ ବ୍ଯାଙ୍କର ଝରକା ଭଙ୍ଗାଯାଇ ଥିବା ଦେଖି ବ୍ଯାଙ୍କର ମ୍ଯାନେଜର ରାକେଶ କୁମାର ସାହୁ ଏବଂ ବାଲିଆପାଳ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ବାଲିଆପାଳ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ କରିବା ପରେ ଅପରାହ୍ନରେ ସାଇଣ୍ଟିଫିକ୍ ଟିମସହ ବାଲିଆପାଳ ପୋଲିସ ସନ୍ଧାନି କୁକୁର ସହାୟତାରେ ଘଟଣାର ତଦନ୍ତ କରିଛନ୍ତି । ଘଟଣା ସ୍ଥଳରେ ଗ୍ରାମ୍ୟବ୍ୟାଙ୍କର ରିଜିଓନାଲ ମ୍ୟାନେଜର ଆଶିଷ କୁମାର ନାୟକ ମଧ୍ୟ ପହଞ୍ଚି ସ୍ଥିତି ଅନୁଧ୍ୟାନ କରି ଫେରିଛନ୍ତି । ତେବେ ବ୍ୟାଙ୍କର ତଳ ମହଲାରେ ବ୍ୟାଙ୍କର ଏଟିଏମ୍ ରହିଥିଲେ ମଧ୍ୟ କୌଣସି ସୁରକ୍ଷା କର୍ମୀ ରହୁନାହାନ୍ତି । କିଛି ବର୍ଷ ପୂର୍ବରୁ ମଧ୍ଯ ଏହି ବ୍ଯାଙ୍କର ପଛ ପଟ ସ୍କାଇ ଲାଇଟ ଭାଙ୍ଗି କମ୍ପ୍ଯୁଟର ଏବଂ ବିଭିନ୍ନ ଆସବାବପତ୍ରକୁ ଦୁର୍ବୃତ୍ତ ମାନେ ଚୋରି କରିଥିଲେ । ତେବେ ବାଲିଆପାଳ ପୋଲିସର ହୁଗୁଳା ରାତ୍ରି ପହରା ଯୋଗୁଁ ଏହି ଅଞ୍ଚଳରେ ବାରମ୍ବାର ବିଭିନ୍ନ ଧର୍ମାନୁଷ୍ଠାନ,ବ୍ୟାଙ୍କ, ଏବଂ ଲୋକଙ୍କ ଘରୁ ମଧ୍ୟ ଚୋରି ହେଉଥିବା ବହୁ ବୁଦ୍ଧିଜୀବୀ ଘୋର କ୍ଷୋଭର ସହ କହିଛନ୍ତି। ପୁଲିସ ପେଟ୍ରୋଲିଂକୁ କଡାକଡି କରିବାକୁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି।