ବେଗୁନିଆପଡା,୧୮/୦୨(ପିପିଟି): ଜିଲ୍ଲା କୋଦଳା ତହସିଲ ଅନ୍ତର୍ଗତ ଖଣ୍ଡିଆନଈ ଗ୍ରାମର ମେନକା ସାହିରେ ରବିବାର ଅପରାହ୍ନ ପ୍ରାୟ ୧.୩୦ ମିନଟ ରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ଦୁଇ ଜଣଙ୍କ ଘର ସମ୍ପୂର୍ଣ ଭାବରେ ଜଳି ପୋଡି ପାଉଁଶ ହୋଇ ଯାଇଥିବା ବେଳେ ଜଣଙ୍କ ଘର ଆଂଶିକ ଭାବେ ପୋଡ଼ିଯାଇଛି । ଏହି ଅଗ୍ନିକାଣ୍ଡରେ ଭଜମନ ମହାନ୍ତି ଓ ଶିଶୁଳା ମହାନ୍ତିଙ୍କ ଘର ଜଳି ପୋଡି ଛାରଖାର ହୋଇଯାଇ ଥିବା ବେଳେ ନାରାୟଣ ମହାନ୍ତିଙ୍କ ଘର ଆଂଶିକ ପୋଡ଼ିଯାଇଛି । ଖବର ପାଇ କୋଦଳା ଦମକଳ ଓ ବେଗୁନିଆପଡା ପୋଲିସ ଓ ସ୍ଥାନୀୟ ଜନସାଧାରଣଙ୍କ ସହଯୋଗରେ ନିଆଁ କୁ ଆୟତ କରିଥିଲେ । ପ୍ରକାଶ ଥାଉ କି ଭଜମନ ନିଜ ଝିଅ ବାହାଘର ପାଇଁ ସମସ୍ତ ଆସବାବ ପତ୍ର କ୍ରୟ କରି ରଖିଥିଲେ । ଏହି ଅଗ୍ନି କାଣ୍ଡ ଯୋଗୁ ସମସ୍ତ ଜିନିଷ ପୋଡ଼ିଯାଇଛି । ଏହି ଘର ଆଗରେ ଅଳିଆ ଆବର୍ଜନା ରେ କିଏ ନିଆଁ ଲଗାଇ ଥିଲା । ଏହି ନିଆଁ ନିକଟରେ ଥିବା ବାଉଁଶ ବୁଦାରେ ଲାଗିଯାଇଥିଲା । ବୁଦା ରୁ ବାଉଁଶ ଫୁଟି ଉକ୍ତ ଘରେ ପଡି ନିଆଁ ଲାଗିଥିବା ସ୍ଥାନୀୟ ଲୋକମାନେ ସନ୍ଦେହ କରୁଛନ୍ତି । ତେବେ ତଦନ୍ତ ପରେ ପ୍ରକୃତ କାରଣ ଜଣାପଡିବ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ।)