ଯାଜପୁର,୨୭/୦୫(ପିପିଟି): ଆଜି ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର କୋରେଇ ବ୍ଳକ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ଅଭିଯୋଗ ଶିବିର ରେ ଉପସ୍ଥିତ ରହି ଅତିରିକ୍ତ ଜିଲ୍ଲାପାଳ,ପ୍ରଶାସନ ଯୁଧିଷ୍ଠିର ନାୟକ ଜନସାଧାରଣଙ୍କ ବିଭିନ୍ନ ଆପତ୍ତି ଅଭିଯୋଗର ଶୁଣାଣି କରିଥିଲେ। ବିଭାଗୀୟ ଅଧିକାରୀ ମାନେ ଏହି ଅଭିଯୋଗ ଗୁଡିକ ଯାଞ୍ଚ କରିବେ ଓ ଯେଉଁମାନେ ଯୋଗ୍ୟ ଅଛନ୍ତି ସେମାନଙ୍କର ଯଥାସମ୍ଭବ ସମସ୍ୟାର ସମାଧାନ କରାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ ପ୍ରକାଶ କରିଥିଲେ। ଆଜି ମୋଟ ୧୧୫ ଟି ଅଭିଯୋଗ ପଞ୍ଜୀକୃତ ହୋଇଥିଲା। ସେଥିମଧ୍ୟରୁ ବ୍ୟକ୍ତିଗତ ସମସ୍ୟା ସମ୍ପର୍କୀୟ ୪୩ ଗୋଟି, ଗୋଷ୍ଠୀଗତ ସମସ୍ୟା ସମ୍ପର୍କୀୟ /ଗ୍ରାମ୍ୟ ସମସ୍ୟା ସମ୍ପର୍କୀୟ ୦୪ ଗୋଟି, ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସହାୟତା ନିମନ୍ତେ ୬୮ ଗୋଟି ଅଭିଯୋଗର ଶୁଣାଣି କରାଯାଇଥିଲା। ୭୧ ଟି ଅଭିଯୋଗର ତତ୍କାଳ ଫଇସଲା କରାଯାଇଥିଲା । ଏହି ମିଳିତ ଜନ ଅଭିଯୋଗ ଶୁଣାଣି ଶିବିରରେ ଉପ ଆରକ୍ଷୀ ଅଧିକ୍ଷକ ଯାଜପୁର ରୋଡ, ଲକ୍ଷ୍ମୀଧର ସ୍ବାଇଁ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଅଶୋକ କୁମାର ବେହୁରିଆ, ଅତିରିକ୍ତ ଜିଲ୍ଲାପାଳ,କଳିଙ୍ଗନଗର ସପନ କୁମାର ନନ୍ଦ, ଉପ ଜିଲ୍ଲାପାଳ ତାପସ ରଞ୍ଜନ ଦେହୁରୀ,ଗୋଷ୍ଠୀ ଉନ୍ନୟନ ଅଧିକାରୀ, କୋରେଇ, ଅବନିକାନ୍ତ ସାହୁ, ତହସିଲଦାର,ବ୍ୟାସନଗର ଦେବାଶିଷ ରାଉତ ଓ ଜିଲ୍ଲା ସ୍ତରୀୟ ଅଧିକାରୀ, କ୍ଷେତ୍ରୀୟ ଅଧିକାରୀ, ବ୍ଲକ ସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ଜନସାଧାରଣଙ୍କର ଆପତ୍ତି ଅଭିଯୋଗ ର ଶୁଣାଣି କରିଥିଲେ।