କୋଭିଡ୍ ୧୯ ଆଇନ ଉଲ୍ଲଂଘନ ଖବର ପ୍ରସାରଣକୁ ନେଇ ସାମ୍ବାଦିକଙ୍କୁ ହତ୍ଯା ଧମକ,ଥାନାରେ ମାମଲା ରୁଜୁ ।

0 1,476

ପୋଲସରା, ୧୩/୦୭(ପିପିଟି); ଅଭିଯୁକ୍ତ ମାନଙ୍କ ପ୍ରତି ପୁଲିସର କୋହଳ ମନୋଭାବ ଯୋଗୁଁ ପୋଲସରା ଅଞ୍ଚଳରେ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ପ୍ରତି ଦିନକୁ ଦିନ ଧମକ ଚମକ ବୃଦ୍ଧି ପାଉଛି। ଏଥି ପାଇଁ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି। ସୂଚନାଯୋଗ୍ୟ ଯେ ଜୁନ୍ ମାସ ୨ ଦିନ ସଂଧ୍ୟା ବେଳେ ୪ ଜଣ ଅସାମାଜିକ ଯୁବକ ପୋଲସରା ର ସମାଜ ପ୍ରତିନିଧି ତଥା ବରିଷ୍ଠ ସାମ୍ବାଦିକ କିଶୋର ଚନ୍ଦ୍ର ଦାସଙ୍କୁ ଗାଳି ଗୁଲଜ କରିବା ସହିତ ହତ୍ୟା ଧମକ ଦେଇଥିଲେ। ଏ ସମ୍ପର୍କରେ ଶ୍ରୀ ଦାସ ପୋଲସରା ଥାନାରେ ଏତଲା ଦେଇଥିଲେ। ପୋଲିସ ଏତଲା ପଞ୍ଜିକୃତ କରିଥିଲେ ମଧ୍ୟ ଅଭିଯୁକ୍ତ ମାନଙ୍କୁ ଗିରଫ କଲା ନାହିଁ । ସେହି ମାସ ୨୩ ତାରିଖ ଦିନ ଧରିତ୍ରୀ ପ୍ରତିନିଧି ଶିବ ପ୍ରସାଦ ସାହୁଙ୍କ ସମ୍ପର୍କରେ ପୋଲସରା ବ୍ଳକ ଅଧିନସ୍ଥ ନିମିନା ଗ୍ରାମପଞ୍ଚାୟତ ସାନ ବରଗାଁର ବସନ୍ତ କୁମାର ସାହୁ ଫେସବୁକରେ ଅଶାଳୀନ ମନ୍ତବ୍ୟ ପୋଷ୍ଟ କରିଥିଲେ। ଶିବ ପ୍ରସାଦ ଏହାର କାରଣ ବୁଝିବାରୁ ବସନ୍ତ ସାହୁ ତାଙ୍କୁ ଧମକ ଦେଇଥିଲେ। ଏ ସମ୍ପର୍କରେ ଶିବ ପ୍ରସାଦ ପୋଲସରା ଥାନାରେ ଏତଲା ଦେବା ପରେ ପୋଲିସ ପୂର୍ବ ପରି ଏତଲା ପଞ୍ଜିକୃତ କରିଥିଲେ ବି ଅଭିଯୁକ୍ତକୁ ଗିରଫ କଲା ନାହିଁ । ଆଜି ପୁଣି ପୋଲସରା ବ୍ଳକ ଅନ୍ତର୍ଗତ ମଥୁରା ଗ୍ରାମର ନୃସିଂହ ନାଥ ସ୍ୱାଇଁଙ୍କୁ ଉକ୍ତ ଗ୍ରାମର ଅଜିତ ମହାପାତ୍ର ହତ୍ୟା ଧମକ ଦେଇଛନ୍ତି । ମଥୁରା ପଞ୍ଚାୟତରେ ସଟଡାଉନ ଚାଲିଥିବା ସମୟରେ ଗ୍ରାମର କେତେକ ଯୁବକ କୋଭିଡ୍ ନିୟମକୁ ଉଲଙ୍ଘନ କରି ଜୁଆ ଖେଳୁଥିବା ସମ୍ପର୍କରେ ଗୋଟିଏ ୱେବ ଚାନେଲ ରେ ନୃସିଂହ ଖବର ପ୍ରସାରଣ କରିଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ସମ୍ପୃକ୍ତ ଯୁବକ ଜଣକ ନୃସିଂହଙ୍କୁ ହତ୍ଯା ଧମକ ଦେଇଛି । ନୃସିଂହ ସଙ୍ଗେ ସଙ୍ଗେ ଥାନାରେ ଏତଲା ଦେଇଛନ୍ତି। ଆଜି ମଧ୍ୟ ପୋଲିସ କାଳ ବିଳମ୍ବ ନ କରି  ଥାନା କେସ୍ ନମ୍ବର ୧୭୨/୨୦୨୦ ଅନୁଯାୟୀ ୨୯୪/୫୦୬ ଦଫାରେ ମାମଲା ରୁଜୁ ହୋଇଛି । ତେବେ ବର୍ତ୍ତମାନ ସୁଧା ଗିରଫ କରି ନାହିଁ। ପୋଲସରା ଅଞ୍ଚଳରେ କାର୍ଯ୍ୟରତ ସାମ୍ବାଦିକ ମାନେ ସୁରକ୍ଷିତ ମଣୁ ନାହାଁନ୍ତି । ସ୍ଥାନୀୟ ପୁଲିସର କାର୍ଯ୍ୟାନୁଷ୍ଠାନ ଶୀତଳତା ପାଇଁ ଅପରାଧୀ ମାନେ  ସକ୍ରିୟ ହେଉଥିବା ନେଇ ସବୁଠି ଚର୍ଚ୍ଚା । ପୋଲସରା ଅଞ୍ଚଳର ଆଇନ ଶୃଙ୍ଖଳା ପ୍ରତି ଗଞ୍ଜାମ ଏସପି ଦୃଷ୍ଟି ଦେବା ପାଇଁ ସାମ୍ବାଦିକ ଓ ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଉଛି ।

Leave A Reply

Your email address will not be published.