ବେଗୁନିଆପଡା,୦୨/୧୧(ପିପିଟି):ଗଞ୍ଜାମ ଜିଲ୍ଲା କୋଦଳା ତହସିଲକୁ ସବ୍ ଡିଭିଜନ ମାନ୍ଯତା ଦାବି ଗୋଟିଏ ପଟେ ଜୋର୍ ଧରୁଥିବା ବେଳେ ଏହି ଦାବିକୁ ଏବେ ଅଦ୍ଭୁତପୂର୍ବ ଜନ ସମର୍ଥନ ମିଳୁଛି। ସବ୍ ଡିଭିଜନ ମାନ୍ଯତା ପ୍ରଦାନ ଦାବିରେ କୋଦଳା ସ୍ବାଭିମାନ ସୁରକ୍ଷା ଅଭିଯାନ ମଞ୍ଚ ଗଠନ କରାଯାଇଛି। ଅଞ୍ଚଳର ବିଭିନ୍ନ ପଞ୍ଚାୟତରେ ଏନେଇ ଜନ ସଚେତନତା କରାଯାଉଛି। ଏହି ମଞ୍ଚର ତୃତୀୟ ବୈଠକ ରବିବାର ବେଗୁନିଆପଡ଼ା ବ୍ଳକ ମର୍ଦ୍ଦମେଖ ପଞ୍ଚାୟତରେ ଅନୁଷ୍ଠିତ ହୋଇଯାଇଛି। ମଞ୍ଚ ପକ୍ଷରୁ ଏନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ସଚେତନତା କରାଯିବା ସହ ଲୋକଙ୍କ ସମର୍ଥନ ଲୋଡା ଯାଇଛି। ସବ୍ ଡିଭିଜନ ହେଲେ ଅଞ୍ଚଳର ଭିତ୍ତିଭୂମି ସୁଦୃଢ ହେବା ସହିତ ବିଭିନ୍ନ କ୍ଷେତ୍ରରେ ବିକାଶ ହୋଇ ପାରିବ। ଏଣୁ ଦଳମତ ନିର୍ବିଶେଷରେ ସମସ୍ତେ ମା ମାଟିର ସ୍ବାଭିମାନ ପାଇଁ ଏହାକୁ ସମର୍ଥନ କରନ୍ତୁ ଏବଂ ଦାବି ହାସଲ ପାଇଁ ଶେଷ ପର୍ଯ୍ୟନ୍ତ ସାଥିରେ ରୁହନ୍ତୁ ବୋଲି ଆହ୍ବାନ ଦେଇଛି କୋଦଳା ସ୍ବାଭିମାନ ସୁରକ୍ଷା ଅଭିଯାନ ମଞ୍ଚ । ପୂର୍ବରୁ ଇଂରେଜ ସରକାର ଅମଳରେ କୋଦଳାକୁ ଉପଖଣ୍ଡ ମାନ୍ଯତା ଦିଆଯାଇଥିବା ବେଳେ ଏବେ କୋଦଳା ତହସିଲ ଅଞ୍ଚଳର ସାମଗ୍ରିକ ବିକାଶ ପାଇଁ ସବ୍ ଡିଭିଜନ ମାନ୍ଯତା ନିହାତି ଆବଶ୍ୟକ ବୋଲି ମତ ପ୍ରକାଶ ପାଇଥିଲା। ଆଗାମୀ ଦିନରେ ବିଭିନ୍ନ ପଞ୍ଚାୟତରେ ଏଭଳି ସଚେତନତା ସଭା କରାଯାଇ ରାଜ୍ୟ ସରକାରଙ୍କ ପାଖରେ ଏନେଇ ଦାବି ଉପସ୍ଥାପନ କରାଯିବ ବୋଲି ମଞ୍ଚ ପକ୍ଷରୁ କୁହାଯାଇଛି। ମଞ୍ଚର ସଂଯୋଜକ ଦଣ୍ଡପାଣି ମହାପାତ୍ରଙ୍କ ସଂଯୋଜନାରେ କାର୍ଯ୍ୟକ୍ରମକୁ ମର୍ଦ୍ଦମେଖ ପଞ୍ଚାୟତ ସରପଞ୍ଚ ମଞ୍ଜୁଳା ମେହେଣା ଉଦଘାଟନ କରିଥିବା ବେଳେ କୋଦଳା ଏନ୍ଏସି ଉପାଧ୍ଯକ୍ଷା ରଞ୍ଜିତା ସେଠୀ, ଘୋଡାପଡା ସରପଞ୍ଚ ନୃସିଂହ ଚରଣ ପ୍ରଧାନ, ପୂର୍ବତନ ମର୍ଦ୍ଦକୋଟ ସରପଞ୍ଚ ସିମାଞ୍ଚଳ ସାମଲ,ଆସିକା ସମବାୟ ନିର୍ଦ୍ଦେଶକ ହୃଷିକେଶ ମେହେଣା,ସମାଜସେବୀ ତଥା ପୂର୍ବତନ କାଉନସିଲର ସନ୍ତୋଷ ନାୟକ, ଆଇନଜୀବୀ ମୀରାବାଈ ଦେଓ, କୋଦଳା ବରିଷ୍ଠ ନାଗରିକ ମଞ୍ଚର ସଭାପତି ସୂର୍ଯ୍ୟ ନାରାୟଣ ଦୋରା,କୋଦଳା ଏନ୍ଏସି କାଉନସିଲର ମନୋରଞ୍ଜନ ଡାକୁଆ, ଡଃ ଦୁର୍ଗା ପ୍ରସାଦ ଦାଶ,ସାମ୍ବାଦିକ ସୁଶାନ୍ତ କୁମାର ପଟ୍ଟନାୟକ,କୃଷ୍ଣଚନ୍ଦ୍ର ପଲେଇ,ସୂର୍ଯ୍ୟ ନାରାୟଣ ବଡୁଙ୍କ ସମେତ ମର୍ଦ୍ଦମେଖ ପଞ୍ଚାୟତର ବହୁ ଜନସାଧାରଣ ଉପସ୍ଥିତ ଥିଲେ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ)