କୋଦଳା,୦୫/୦୭(ପିପିଟି): ଶୁକ୍ରବାର ଗଞ୍ଜାମ ଜିଲ୍ଲା କୋଦଳା ବିଜ୍ଞାପିତ ଅଞ୍ଚଳ ପରିଷଦର ସାଧାରଣ ବୈଠକ ଏନ୍ଏସି କଲ୍ଯାଣ ମଣ୍ଡପ ପରିସର ରେ କାର୍ଯ୍ୟନିର୍ବାହୀ ଅଧିକାରୀ କୃଷ୍ଣ ଚନ୍ଦ୍ର ରଥଙ୍କ ତତ୍ୱାବଧାନ ରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଏନଏସି ଅଧ୍ଯକ୍ଷ ସୂର୍ଯ୍ୟ ନାରାୟଣ ନାୟକ ଅଧ୍ୟକ୍ଷତା କରିଥିବାବେଳେ ନବ ନିର୍ବାଚିତ ଆସିକା ସାଂସଦ ଅନୀତା ଶୁଭଦର୍ଶନୀ ପଟ୍ଟନାୟକ ଓ କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ।ଉଭୟ ସାଂସଦ ଏବଂ ବିଧାୟିକାଙ୍କୁ କୋଦଳା ବସଷ୍ଟାଣ୍ଡ ଠାରୁ ଏକ ବିରାଟ ପଟୁଆର ରେ କଲ୍ୟାଣ ମଣ୍ଡପ ନିକଟକୁ ପାଛୋଟି ଆଣିଥିବା ବେଳେ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଉଭୟଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏନ୍ଏସି ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ,ଉପାଧ୍ଯକ୍ଷା ରଞ୍ଜିତା ସେଠୀଙ୍କ ସମେତ ସମସ୍ତ କାଉନସିଲର ଉପସ୍ଥିତ ରହି ଆଲୋଚନା ରେ ଅଂଶ ଗ୍ରହଣ କରି ବିଗତ ଦିନରେ ଏନ୍ଏସିରେ ହୋଇଥିବା ଉନ୍ନୟନ କାର୍ଯ୍ୟ ବାବଦରେ ଆଲୋଚନା କରିଥିଲେ। ଆଗାମୀ ଦିନରେ ଏହି ସହରକୁ ସରସ ସୁନ୍ଦର ଓ ବିକଶିତ ସହର ଭାବେ ଗଢ଼ିବା ତୋଳିବା ପାଇଁ ସମସ୍ତଙ୍କ ସହଯୋଗ ଲୋଡ଼ିଥିଲେ ଉଭୟ ସାଂସଦ ଓ ବିଧାୟକ। ଶିକ୍ଷା,ସ୍ୱାସ୍ଥ୍ୟ, ଗମନା ଗମନ,ଡ୍ରେନ,ପାନୀୟଜଳ, ନୂତନ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ, କୋଦଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଅଭାବ ପୂରଣ,ବିଦ୍ଯାଳୟରେ ଶ୍ରେଣୀ ଗୃହ ଓ ଶିକ୍ଷକ ଅଭାବକୁ ନେଇ ଆଲୋଚନା ହୋଇଥିଲା। ସ୍ବାସ୍ଥ୍ୟ ସେବା ଏକ ପ୍ରମୁଖ ବିଷୟ ହୋଇଥିବା ବେଳେ ଡାକ୍ତର ଅଭାବକୁ ନେଇ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଓ ଜିଲ୍ଲାପାଳଙ୍କ ସହ ଆଲୋଚନା କରାଯାଇଥିବା କହିଥିଲେ ବିଧାୟକ ପ୍ରତାପ ଚନ୍ଦ୍ର ନାୟକ। କୋଦଳା ଅଞ୍ଚଳରେ ସାମୁହିକ ବିକାଶ ଓ ଉନ୍ନତି ପାଇଁ ସମସ୍ତ ଏନ୍ଏସି ପ୍ରତିନିଧି ଓ ଅଫିସ କର୍ମକର୍ତ୍ତା ମିଳିମିଶି କାର୍ଯ୍ୟ କରିବାକୁ ଆହ୍ବାନ ଦେଇଥିଲେ ସାଂସଦ ଅନୀତା ଶୁଭଦର୍ଶନୀ ପଟ୍ଟନାୟକ ।ଆଜିର ଏହି ବୈଠକରେ ସମସ୍ତ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିବା ବେଳେ ଏନ୍ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ କୃଷ୍ଣଚନ୍ଦ୍ର ରଥ ଧନ୍ୟବାଦ ଅର୍ପଣ କରିଥିଲେ ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ ।)