କୋଦଳା,୨୬/୦୯(ପିପିଟି):ଗଞ୍ଜାମ ଜିଲ୍ଲା କୋଦଳା ଏନ୍ଏସି ରେ ଅଧ୍ୟକ୍ଷ କାଉନସିଲର ମୁହାଁମୁହିଁ । ବୁଧବାର ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ନାୟକ ସାମ୍ବାଦିକ ସମ୍ମିଳନୀ କରି ୧୧ ନଂ ୱାର୍ଡ କାଉନସିଲର ଭଗବାନ ପାଢ଼ୀ ଙ୍କ ବିରୋଧରେ କିଛି ନିର୍ଦ୍ଧିଷ୍ଟ ଅଭିଯୋଗ ଆଣିବା ପରେ,ଆଜି କାଉନସିଲର ଭଗବାନ ପାଢ଼ୀ ଗଣମାଧ୍ୟମ ଆଗରେ ପ୍ରମାଣ ସହିତ ଉପସ୍ଥାପନ କରିଛନ୍ତି ଏନଏସି ରେ ଚାଲିଥିବା ମହାଘୋଟଲା । ଏନ୍ଏସି ଅଧ୍ୟକ୍ଷ ସରକାରୀ ବାବୁ ମାନଙ୍କୁ ହାତର କରି ବ୍ୟାପକ ଘୋଟାଲା କରିଥିବା ବେଳେ ଏଥିରେ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଯନ୍ତ୍ରୀ ସାମିଲ ଥିବା ନେଇ କରିଛନ୍ତି ସଙ୍ଗୀନ ଅଭିଯୋଗ । ଏନ୍ଏସି ରେ ବର୍ତ୍ତମାନ ଅନେକ କାର୍ଯ୍ୟ ବିନା ନିର୍ଦ୍ଧାରଣ ଓ ଵିଜ୍ଞାପନ ରେ ଚାଲୁରହିଛି । ପୋଖରୀ ରୁ ଦଳ ବାହାରକରିବା ସହିତ ମାଛ ଛାଡିବା ,ବୃକ୍ଷ ରୋପଣରେ ଏନ୍ଏସି ସଫେଇ କର୍ମଚାରୀଙ୍କୁ କାମରେ ଲଗାଇବା,ପୂର୍ତ୍ତବିଭାଗ ରାସ୍ତା ଠାରୁ ନାମଯଜ୍ଞା ମନ୍ଦିର ପର୍ଯ୍ୟନ୍ତ ରାସ୍ତାରେ ଫେବର ପକାଇବା କାମ ସମେତ ବିନା ନିର୍ଧାରଣ ଓ ଵିଜ୍ଞାପନରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ଅଧ୍ୟକ୍ଷଙ୍କ ଭାଇ ଦ୍ୱାରା କରାଯାଉଛି ବୋଲି ଅଭିଯୋଗ କରିଛନ୍ତି । ତତ ସହିତ ପୂର୍ବରୁ ଏନଏସି ସଫେଇ ଟେଣ୍ଡର ନେଇଥିବା ସଂସ୍ଥାକୁ ଅହେତୁକ ଅନୁକମ୍ପା ଦେଖାଯାଉଛି । ଉକ୍ତ ସଂସ୍ଥା ମାସକୁ ୩ ଲକ୍ଷରୁ ୪ ଲକ୍ଷ ଟଙ୍କା ସଫେଇ ବାବଦକୁ ନେଉଥିବା ବେଳେ ବର୍ତ୍ତମାନ ତାହା ୭ ରୁ ୮ ଲକ୍ଷ ଟଙ୍କା ବିଲ କରି ବାଟମାରଣା କରାଯାଉଛି ଏବଂ ଚାରି ମାସ ପୂର୍ବରୁ ସଂସ୍ଥାର ଲିଜ ଅବଧି ସରିଯାଇଥିଲେ ମଧ୍ୟ ଅଧ୍ୟକ୍ଷ ଜାଣିଶୁଣି ବର୍ତ୍ତମାନ ବିନା ଟେଣ୍ଡର ରେ ସଫେଇ ଦାୟିତ୍ୱ ପ୍ରଦାନ କରିଛନ୍ତି । ସେହିଭଳି ଏନଏସି ରେ ଲାଗିଥିବା ଗାଡିରେ ମଧ୍ୟ ରହିଛି ଘୋଟାଲା । ନିୟମ ମୁତାବକ ମାତ୍ର ୮ କିଲୋମିଟର ମଧ୍ୟରେ ନିର୍ବାହୀ ଅଧିକାରୀଙ୍କୁ ନେବା ଆଣିବା କରିବା ପାଇଁ ନିର୍ଦ୍ଦେଶ ଥିବାବେଳେ ପ୍ରତ୍ୟହ ନିର୍ବାହୀ ଅଧିକାରୀ ରହୁଥିବା ନିର୍ମଳଝର ପର୍ଯ୍ୟନ୍ତ ଚଳପ୍ରଚଳ କରୁଛି ଗାଡି । ଏହାକୁ ନେଇ ଯଦି ଆପତ୍ତି ଉଠାଉଛି ତେବେ କାର୍ଯ୍ୟନିର୍ବାହୀ ଅଧିକାରୀ ଅଧ୍ୟକ୍ଷଙ୍କ ଇଚ୍ଛାମୁତାବକ ମୋ ନାମରେ ଥାନାରେ ଅଭିଯୋଗ କରି ଧମାକାଉଛନ୍ତି । ଗତ ମାସରେ ଏନ୍ଏସି ରେ ବସିଥିବା କାଉନସିଲ ବୈଠକର ନିର୍ଦ୍ଧାରଣ କପି ରେ କିଛି ଜାଲିଆତି କରିବା ନିମନ୍ତେ ବର୍ତ୍ତମାନ ସୁଦ୍ଧା ପ୍ରଦାନ କରାଯାଉନାହିଁ । ତେବେ କାହିଁକି ନିର୍ଦ୍ଧାରଣ କପି ପ୍ରଦାନ କରାଯାଉ ନାହିଁ ବୋଲି କାଉନସିଲର ପ୍ରଶ୍ନ କଲେ ଥାନା ଓ ମାଡ଼ ର ଧମକ ମିଳୁଛି । ଜଣେ କାଉନସିଲର ହିସାବରେ ତଥ୍ୟ ଥାଇ ଦୁର୍ନୀତି ବିରୋଧରେ ସ୍ୱର ଉତ୍ତଳନ କଲେ ଅଧ୍ୟକ୍ଷ ମିଥ୍ୟା ଆରୋପ ଆଣିବା ସହ ହତ୍ୟା ଷଢଯନ୍ତ୍ର କରାଉଥିବା ଅଭିଯୋଗ କରିଛନ୍ତି କାଉସିଲର ଭଗବାନ ପାଢ଼ୀ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଏଠାରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ଦୀପିକା ବେହେରାଙ୍କ ସୂଚନା ତଥ୍ୟ ଅନୁଯାଇ କୌଣସି କାଗଜପତ୍ର ଠିକ ନଥିବା ବେଳେ ଏବଂ ଅନ୍ୟତ୍ର ବଦଳି ହୋଇସାରିଥିଲେ ମଧ୍ୟ କାହିଁକି ଅଧ୍ୟକ୍ଷ ଏବଂ ନିର୍ବାହୀ ଅଧିକାରୀ ଯନ୍ତ୍ରୀଙ୍କୁ ଘଣ୍ଟ ଘୋଡାଇ ରଖିଛନ୍ତି?ଯଦି ଅଭିଯୋଗ ମିଥ୍ୟା ଥାଏ ତେବେ ଏନଏସି ରେ ବର୍ତ୍ତମାନ ଚାଲିଥିବା ସମସ୍ତ କାର୍ଯ୍ୟଉପରେ ଜିଲ୍ଲା ପ୍ରଶାସନ ଓ ଭିଜିଲାନ୍ସ ତଦନ୍ତ କରାଗଲେ ,ସତ୍ୟତା ପଦାକୁ ଆସି ପାରିବ ବୋଲି ଦାବୀ କରିଛନ୍ତି କାଉନସିଲର । ଏହାକୁ ନେଇ ଅଧ୍ୟକ୍ଷ ସୂର୍ଯ୍ୟନାରାୟଣ ନାୟକ କହିଛନ୍ତି ଯେ ସବୁ ଠିକ ଠାକ ରେ ଚାଲିଛି ଯଦି କିଛି ଦୁର୍ନୀତି ତଥ୍ୟ କାହାର ହସ୍ତଗତ ହୋଇଛି ଆଇନର ଆଶ୍ରୟ ନେଇ ପାରନ୍ତି କିନ୍ତୁ ନିର୍ମାଣଧୀନ ରାସ୍ତା ଉପରେ କୌଣସି ସଠିକ ତଥ୍ୟ ଦେଇପାରି ନଥିଲେ । ପୂର୍ତ୍ତବିଭାଗ ରାସ୍ତା ଠାରୁ ନାମ ମଣ୍ଡପ କାର୍ଯ୍ୟ ଟେଣ୍ଡର ହୋଇନି ଯଦି ଯିଏ ବି ଉକ୍ତ କାର୍ଯ୍ୟ କରୁଛନ୍ତି ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । କୋଦଳା ଠାରେ ରହିବାକୁ ଘର ନ ମିଳିବାରୁ ମୁଁ ଅନ୍ୟତ୍ର ରହୁଛି ଆବଶ୍ୟକ ପଡିଲେ ଗାଡି ବ୍ୟବହାର କରୁଛି,କନିଷ୍ଠ ଯନ୍ତ୍ରୀଙ୍କ ବଦଳି ଉଚ୍ଚ ପଦସ୍ଥ ଅଧିକାରୀଙ୍କ ହାତରେ ବୋଲି କହିଛନ୍ତି ନିର୍ବାହୀ ଅଧିକାରୀ କୃଷ୍ଣ ଚନ୍ଦ୍ର ରଥ ।