ବ୍ରହ୍ମପୁର,୨୮/୦୩(ପିପିଟି): କୋଦଳା ଏନ୍ଏସି ନିର୍ବାଚନ ଫଳ ପ୍ରକାଶିତ ପରେ ଚର୍ଚ୍ଚାର ବିଷୟ ପାଲଟିଛି। ବିଜେଡି ଗଡରେ ବିଜେପି ବିଜୟ ହେବା ପରେ ବର୍ତ୍ତମାନ ଆନେକ ପ୍ରଶ୍ନ ଉଠୁଛି। କୋଦଳା ଏନ୍ଏସିର ୧୩ଟି ୱାର୍ଡ ମଧ୍ଯରୁ ୮ଟି ୱାର୍ଡ ବିଜେପି,୪ଟି ୱାର୍ଡ ବିଜେଡି ଏବଂ ଗୋଟିଏ ୱାର୍ଡ ସ୍ବାଧୀନ ପ୍ରାର୍ଥୀଙ୍କ ବିଜୟ ହୋଇଛି। କୋଦଳା ଏନ୍ଏସିର ୧୦୭୦୯ ଥିବାବେଳେ ୬୮୬୪ ଭୋଟ ମତଦାନ ଯାହାକି ୬୪.୧୦ ପ୍ରତିଶତ ହୋଇଛି। କୋଦଳା ଏନ୍ଏସିରେ ରାଜ୍ଯ ସରକାରଙ୍କ ଦ୍ବାରା ବହୁତ ଉନ୍ନୟନ କାର୍ଯ୍ଯ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ପ୍ରତି ବିପୁଳ ଜନସମର୍ଥନ ଥିବା ସ୍ବତେ କୋଦଳାରେ ବିଜେଡ଼ିର ବିପର୍ଯ୍ୟୟ ସମସ୍ତଙ୍କୁ ଚକିତ କରିଛି। ବିଜେଡି ବିଧାୟିକା ଲତିକା ପ୍ରଧାନ ଓ ବିଜେଡ଼ିର ବରିଷ୍ଠ ନେତା ତଥା ପୂର୍ବତନ ଅଧ୍ୟକ୍ଷ ହର ପ୍ରସାଦ ସାହୁଙ୍କ ନେତୃତ୍ବ ପ୍ରତି ଅଙ୍ଗୁଳି ଉଠୁଛି। ବିଜେଡି ନେତା ହର ପ୍ରସାଦ ସାହୁଙ୍କ ହାତରେ ଦୀର୍ଘ ବର୍ଷ ଧରି କୋଦଳା ଏନ୍ଏସି ରହିଥିଲା। ହରଙ୍କ ବିନା କୋଦଳା ଏନ୍ଏସି ରାଜନୀତି କଳ୍ପନା କରାଯାଇ ପାରିବ ନାହିଁ। ହର ପ୍ରସାଦ ସାହୁ ୨୦୧୯ ବିଧାନସଭା ନିର୍ବାଚନ ପାଇଁ ବିଜେଡିରୁ ବିଧାୟକ ପ୍ରାର୍ଥୀ ହେବା ପାଇଁ ଆଶାୟୀ ଓ ଦାବିଦାର ଥିଲେ। କିନ୍ତୁ ତାଙ୍କୁ ଟିକେଟ୍ ମିଳିନଥିଲା। ସେହି ଦିନ ଠାରୁ ସେ ବିଜେଡ଼ିର ଶୃଙ୍ଖଳିତ କର୍ମୀ କହି କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀର ସାଙ୍ଗଠନିକ କାର୍ଯ୍ୟକ୍ରମ ଠାରୁ ଦୂରେଇ ରହିଥିଲେ। ୨୦୧୭ ପଞ୍ଚାୟତ ନିର୍ବାଚନରେ ଶ୍ରୀ ସାହୁଙ୍କ ସମର୍ଥିତ ପଞ୍ଚାୟତ ସମିତିର ଉପାଧ୍ୟକ୍ଷ ପଦରେ ବିଜୟ ହୋଇଥିଲେ। ୨୦୨୨ ପଞ୍ଚାୟତ ନିର୍ବାଚନରେ ଶ୍ରୀ ସାହୁ ଶୃଙ୍ଖଳିତ କର୍ମୀ କହି ଦୂରେଇ ରହିଥିଲେ ମଧ୍ଯ କିଛି ପଞ୍ଚାୟତରେ ତାଙ୍କର ସମର୍ଥକ ମାନେ ପ୍ରାର୍ଥୀ ହୋଇଥିଲେ। ଯାହାବି ହେଉ ପଞ୍ଚାୟତ ସମିତି ନିର୍ବାଚନ ବିଜେଡ଼ି ସପକ୍ଷରେ ଯାଇଥିଲା। ଚଳିତ ପୌର ନିର୍ବାଚନ ସମୟରେ ବିଜେଡ଼ିର ଶୃଙ୍ଖଳିତ କର୍ମୀ ଶ୍ରୀ ସାହୁ ଦୂରେଇ ରହିବା ଏବଂ ବିଜେଡ଼ି ସପକ୍ଷରେ ପ୍ରଚାର ନକରିବା ଘଟଣାକୁ ନେଇ ଏବେ ସବୁଠି ଚର୍ଚ୍ଚା । କୋଦଳା ଏନ୍ଏସି ନିର୍ବାଚନ ହାରିବା ଘଟଣା ପାଇଁ ବିଧାୟିକା, ଶୃଙ୍ଖଳିତ କର୍ମୀ ଓ ରାଜ୍ଯ ନେତୃତ୍ବ ସମ ପରିମାଣ ଉତ୍ତର ଦାୟୀ। ପ୍ରଥମ କଥା ହେଲା ପୌର ନିର୍ବାଚନ ସଂପର୍କ ତଥାକଥିତ ରାଜ୍ଯ ନେତୃତ୍ବ ହର ସାହୁ ଓ ବିଧାୟିକା ଲତିକା ପ୍ରଧାନ ସହିତ କଥାବାର୍ତ୍ତ ହୋଇଥିଲେ କି ? ବରିଷ୍ଠ ନେତା ହର ସାହୁଙ୍କୁ କୋଦଳା ଏନ୍ଏସି ନିର୍ବାଚନ ପ୍ରଚାର କରିବା ଦାୟିତ୍ବ ରାଜ୍ଯ କମିଟି କାହିଁକି ଦେଲେ ନାହିଁ ? ସମସ୍ତଙ୍କର ନେତା ନବୀନ। କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନଙ୍କ ପାଇଁ ଉଭୟ ନେତା ମିଶି କାର୍ଯ୍ଯ କରିବାରେ ଅସୁବିଧା କେଉଁଠି ରହିଲା ? ୨୦୨୪ ସାଧାରଣ ନିର୍ବାଚନ ପାଇଁ ଯଦି ହର ସାହୁ ବିଜେଡି ପ୍ରାର୍ଥୀ ହେବା ପାଇଁ ଦାବିଦାର ତାହାହେଲ ସେ ଶୃଙ୍ଖଳିତ କର୍ମୀ କହି ସାଙ୍ଗଠନିକ କାର୍ଯ୍ଯରୁ ଦୂରେଇ ରହିବା କାରଣ କଣ ? ହର ସାହୁଙ୍କୁ ତଥାକଥିତ ରାଜ୍ଯ ନେତୃତ୍ବ ସଙ୍ଗଠନରୁ ଦୂରେଇ ରଖିବା ମତଲବ କଣ ? ବିଧାୟିକା ଓ ହର ବସି ଆଲୋଚନା କରିବାରେ ଅସୁବିଧା କେଉଁଠି ? ଦୀର୍ଘ ଦିନ ଧରି କୋଦଳା ଏନ୍ଏସି ହର ସାହୁଙ୍କ ନିୟନ୍ତ୍ରଣରେ ରହିଥିଲା ଏବଂ ବିଜେଡି ଶୃଙ୍ଖଳିତ କର୍ମୀ, ତାଙ୍କର ନେତା ନବୀନ ତଥାପି କୋଦଳା ଏନ୍ଏସି ନିର୍ବାଚନରେ ବିଜେପି ୨୫୭୨ ଖଣ୍ଡ ଭୋଟରେ ବିଜୟୀ ହେବ ଘଟଣା ତଥାକଥିତ ରାଜ୍ଯ ନେତା ନିଶ୍ଚିତ ବୁଝି ଯାଇଥିବେ । ଯେତେବେଳ କୋଦଳା ଏନ୍ଏସିରେ ପ୍ରାର୍ଥୀ ଚୟନ ହେଲା ନିଶ୍ଚିତ ଦଳୀୟ ବୈଠକ ହୋଇଥିବ, ଦଳୀୟ ପର୍ଯ୍ଯବେକ୍ଷକ ନିଶ୍ଚିତ ଆଲୋଚନା କରିଥିବେ ତାପରେ ଟିକେଟ ବଣ୍ଟନ କରାଯାଇଛି। ଯଦି ପ୍ରାର୍ଥୀ ଚୟନ ଠିକ୍ ନଥିଲା ତାହାହେଲେ ଦଳର ହିତ ଚାହୁଁ ଥିବା ନେତା ମାନେ ଦଳର ସଭାପତି ଓ ପର୍ଯ୍ଯବେକ୍ଷକଙ୍କୁ ଲିଖିତ ଅଭିଯୋଗ କରିଥିଲେ କି ? ସବୁ ରାଜନୈତିକ ଦଳ ଦଳୀୟ ନିଷ୍ପତ୍ତି ପରେ ତାଙ୍କ କର୍ମୀ ଓ ନେତୃତ୍ବ ତାକୁ କାର୍ଯ୍ଯକାରୀ କରିବା ପାଇଁ ଲାଗି ପଡନ୍ତି। ତମକୁ ଦଳୀୟ ଟିକେଟ ମିଳିଲେ ଦଳରେ କାର୍ଯ୍ଯ କରିବ, ଯଦି ଟିକେଟ ନମିଳିବ ତମେ ସଙ୍ଗଠନ ନକରି ନୀରବ ରହିବ ! କଂଗ୍ରେସ ,ବିଜେପି ,ଆପ୍ ଭଳି ଅନେକ ରାଜନୈତିକ ଦଳ ରହିଛି ସେହି ଦଳକୁ ଯାଇ ମଧ୍ଯ ରାଜନୀତି କରିହେବ। କିନ୍ତୁ ଶ୍ରୀ ସାହୁ ୨୦୧୪ ଠାରୁ ମୁଁ ସ୍ବାଧୀନ ମୋ ନେତା ନବୀନ କହି ଆଜି ପର୍ଯ୍ୟନ୍ତ ବିଜେଡ଼ିରେ କଣୋଠେସା ହୋଇ ରହିଛନ୍ତି। କୋଦଳା ଏନ୍ଏସିର ରାଜନୈତିକ ପରିବର୍ତ୍ତନ ଆଗାମୀ ଭବିଷ୍ୟତ ପାଇଁ ଅନେକ ସଙ୍କେତ ଦେଉଛି। କୋଦଳାରେ ବିଜେଡ଼ିର ପରାଜୟ ନିଶ୍ଚିତ ଭାବରେ ବିଧାୟିକା ଲତିକା ପ୍ରଧାନ, ବରିଷ୍ଠ ନେତା ତଥା ଶୃଙ୍ଖଳିତ କର୍ମୀ ହର ସାହୁ ଓ ତଥାକଥିତ ରାଜ୍ଯ ନେତୃତ୍ବଙ୍କୁ ଝଟକା ଲାଗିଛି। ନିର୍ବାଚନ ଶେଷ ସମୟ ବେଳକୁ କୋଦଳା ଏନ୍ଏସିର କିଛି ବିଜେଡି କର୍ମୀଙ୍କ ବିଜେପି ସପକ୍ଷରେ କାର୍ଯ୍ଯ କରିଥିଲେ। କୋଦଳା ଏନ୍ଏସିର ସ୍ଥିତି ସମ୍ପର୍କରେ ଗୁଇନ୍ଦା ତଥ୍ଯ ମଧ୍ଯ ବିଫଳ ହୋଇଥାଇପାରେ। ହର ସାହୁ ନିର୍ବାଚନ ଠାରୁ ଦୂରେଇ ଓ ନୀରବ ରହିବା ଦ୍ବାର ତାଙ୍କୁ ଭଲ ପାଉଥିବା ସମର୍ଥକ ମାନେ ସ୍ବାଭାବିକ ଭାବରେ ମନ ପରିବର୍ତ୍ତନ କରିଥିବା ନେଇ ଆଲୋଚନା ଶୁଣିବାକୁ ମିଳୁଛି। ଶୃଙ୍ଖଳିତ କର୍ମୀର ସଜ୍ଞା କଣ ହର ସାହୁ ଗଣମାଧ୍ୟମ ସମ୍ମୁଖରେ ମୁହଁ ଖୋଲିଲେ ଜଣାପଡିବ। ଆଗମୀ ଦିନରେ ବିଜେଡ଼ିର ପରାଜୟ ନେଇ ଦଳର ପର୍ଯ୍ଯବେକ୍ଷକ ଓ ସଭାପତି ସମୀକ୍ଷା କରିବେ। ଯହାବି ହେଉ ଗଞ୍ଜାମ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ବିଜେପି ନିଜର ଉପସ୍ଥିତ ଜାହିର କଲା। ଆଗାମୀ ସାଧାରଣ ନିର୍ବାଚନ ପାଇଁ ବିଜେପି କର୍ମୀ ମାନଙ୍କୁ ଉତ୍ସାହିତ କରିବ ଅଧିକ ଭଲ ପ୍ରଦର୍ଶନ କରିବା ପାଇଁ। କୋଦଳା ଏନ୍ଏସି ଦୀର୍ଘ ବର୍ଷ ଧରି ହର ସାହୁଙ୍କ ଦବଦବା ଏବଂ ୨୨ ବର୍ଷ ବିଜେଡି ଶାସନ ପ୍ରଭାବରୁ ମୁକ୍ତି ପାଇଛି କୋଦଳା। କୋଦଳା ଏନ୍ଏସିରେ ବିଜେଡିକୁ ହରାଇବା ପାଇଁ ଅଦୃଶ୍ଯ ଶକ୍ତି ଓ ଅଦୃଶ୍ଯ ଅର୍ଥ ବଳ କାର୍ଯ୍ଯ କରିବାରେ ସଫଳ ହୋଇଛି। ଯାହାବି ହେଉ ଗଣତନ୍ତ୍ରରେ ଜନମତକୁ ସମ୍ମାନ ଦେବା ସବୁ ଦଳର ଦାୟିତ୍ବ।