କୋଦଳାକୁ ସବ୍ ଡିଭିଜନ ମାନ୍ଯତା ଦାବି;ଚିଙ୍ଗୁଡିଖୋଲରେ ଜନସଭା ।

0 162

କୋଦଳା,୦୯/୧୧(ପିପିଟି):ଗଞ୍ଜାମ ଜିଲ୍ଲା କୋଦଳା ତହସିଲକୁ ସବ୍ ଡିଭିଜନ ମାନ୍ଯତା ଦାବି ଗୋଟିଏ ପଟେ ଜୋର୍ ଧରୁଥିବା ବେଳେ ଏହି ଦାବିକୁ ଏବେ ବିଭିନ୍ନ ପଞ୍ଚାୟତରେ ଜନ ସମର୍ଥନ ମିଳୁଛି। ସବ୍ ଡିଭିଜନ ମାନ୍ଯତା ପ୍ରଦାନ ଦାବିରେ କୋଦଳା ସ୍ବାଭିମାନ ସୁରକ୍ଷା ଅଭିଯାନ ମଞ୍ଚ ଗଠନ କରାଯାଇଛି। ଅଞ୍ଚଳର ବିଭିନ୍ନ ପଞ୍ଚାୟତରେ ଏନେଇ ଜନ ସଚେତନତା କରାଯାଉଛି। ଏହି ମଞ୍ଚର ଚତୁର୍ଥ ବୈଠକ ରବିବାର ବେଗୁନିଆପଡ଼ା ବ୍ଳକ ଚିଙ୍ଗୁଡିଖୋଲ ପଞ୍ଚାୟତ ଠାରେ ଅନୁଷ୍ଠିତ ହୋଇଯାଇଛି। ମଞ୍ଚ ପକ୍ଷରୁ ଏନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ସଚେତନତା କରାଯିବା ସହ ଲୋକଙ୍କ ସମର୍ଥନ ଲୋଡା ଯାଇଛି। ସବ୍ ଡିଭିଜନ ହେଲେ ଅଞ୍ଚଳର ଭିତ୍ତିଭୂମି ସୁଦୃଢ ହେବା ସହିତ ବିଭିନ୍ନ କ୍ଷେତ୍ରରେ ବିକାଶ ହୋଇ ପାରିବ। ଏଣୁ ଦଳମତ ନିର୍ବିଶେଷରେ ସମସ୍ତେ ମା ମାଟିର ସ୍ବାଭିମାନ ପାଇଁ ଏହାକୁ ସମର୍ଥନ କରନ୍ତୁ ଏବଂ ଦାବି ହାସଲ ପାଇଁ ଶେଷ ପର୍ଯ୍ୟନ୍ତ ସାଥିରେ ରୁହନ୍ତୁ ବୋଲି ଆହ୍ବାନ ଦେଇଛି କୋଦଳା ସ୍ବାଭିମାନ ସୁରକ୍ଷା ଅଭିଯାନ ମଞ୍ଚ ।ପୂର୍ବରୁ ଇଂରେଜ ସରକାର ଅମଳରେ କୋଦଳାକୁ ଉପଖଣ୍ଡ ମାନ୍ଯତା ଦିଆଯାଇଥିବା ବେଳେ ଏବେ କୋଦଳା ତହସିଲ ଅଞ୍ଚଳର ସାମଗ୍ରିକ ବିକାଶ ପାଇଁ ସବ୍ ଡିଭିଜନ ମାନ୍ଯତା ନିହାତି ଆବଶ୍ୟକ ବୋଲି ମତ ପ୍ରକାଶ ପାଇଥିଲା। ଆଗାମୀ ଦିନରେ ବିଭିନ୍ନ ପଞ୍ଚାୟତରେ ଏଭଳି ସଚେତନତା ସଭା କରାଯାଇ ରାଜ୍ୟ ସରକାରଙ୍କ ପାଖରେ ଏନେଇ ଦାବି ଉପସ୍ଥାପନ କରାଯିବ ବୋଲି ମଞ୍ଚ ପକ୍ଷରୁ କୁହାଯାଇଛି। ମଞ୍ଚର ସଂଯୋଜକ ଦଣ୍ଡପାଣି ମହାପାତ୍ରଙ୍କ ସଂଯୋଜନାରେ ପୂର୍ବତନ ଚିଙ୍ଗୁଡ଼ି ଖୋଲ ସରପଞ୍ଚ କାମ୍ପ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଚିଙ୍ଗୁଡ଼ି ଖୋଲ ସମିତି ସଭ୍ୟ ଜିତେନ୍ଦ୍ର ଗୌଡ଼, ସରପଞ୍ଚ ପ୍ରତିନିଧି ବସନ୍ତ ମଲ୍ଲିକ, ଅବସରପ୍ରାପ୍ତ ଶିକ୍ଷକ ଗୋଦାବରୀଶ ଶାଠୁଆ, କୋଦଳା ଏନ୍ ଏ ସି ଉପାଧ୍ୟକ୍ଷା ରଞ୍ଜିତା ସେଠୀ,ଆସିକା ସମବାୟ ନିର୍ଦ୍ଦେଶକ ହୃଷିକେଶ ମେହେଣା, ସମାଜସେବୀ ତଥା ପୂର୍ବତନ କାଉନସିଲର ସନ୍ତୋଷ ନାୟକ, କାଉନସିଲର ମନୋରଞ୍ଜନ ଡାକୁଆ, ଆଇନଜୀବୀ ତଥା ବିଜେପି ନେତ୍ରୀ ମୀରାବାଈ ଦେଓ,ବିଜେଡି ବ୍ଲକ ସଭାପତି ସିମାଞ୍ଚଳ ସାମଲ,ମଞ୍ଚର ଆବାହକ ମଣ୍ଡଳୀର ସୂର୍ଯ୍ୟ ନାରାୟଣ ବଡୁ, କୃଷ୍ଣଚନ୍ଦ୍ର ପଲେଇ,ସୁଶାନ୍ତ କୁମାର ପଟ୍ଟନାୟକ,ଚନ୍ଦନ ସ୍ୱାଇଁ,ଜୟରାମ ନାୟକ,କୋଦଳା ବରିଷ୍ଠ ନାଗରିକ ମଞ୍ଚର ସଭାପତି ସୂର୍ଯ୍ୟ ନାରାୟଣ ଦୋରାଙ୍କ ସମେତ ବହୁ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ ।)

Leave A Reply

Your email address will not be published.