କେନ୍ଦ୍ର ସରକାରଙ୍କ ଜନ ବିରୋଧି ନୀତି ବିରୁଦ୍ଧରେ କୃଷକ ଓ ଶ୍ରମିକ ସଂଗଠନଗୁଡ଼ିକ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ।

0 365

ଛତ୍ରପୁର,୨୬/୧୧(ପିପିଟି): ଦେଶର କୃଷକ ସଂଗଠନମାନଙ୍କ ସର୍ବଭାରତୀୟ ମଞ୍ଚ, ସଂଯୁକ୍ତ କିଶାନ୍ ମୋର୍ଚ୍ଚା ଓ ସର୍ବଭାରତୀୟ ଶ୍ରମିକ ସଂଗଠନମାନଙ୍କ ପକ୍ଷରୁ ଆଜି ମିଳିତ ଭାବେ କେନ୍ଦ୍ରର ମୋଦି ସରକାରର କୃଷକ, ଶ୍ରମିକ ତଥା ଜନବିରୋଧୀ ନୀତି ବିରୁଦ୍ଧରେ ଆନ୍ଦୋଳନର ଡାକରା ଦିଆଯାଇଥିଲା । ଏହି କ୍ରମରେ ଆଜି ସାରା ଦେଶରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କୃଷକ , ଶ୍ରମିକ ଓ କର୍ମଚାରୀମାନଙ୍କ ପକ୍ଷରୁ ଗଣବିକ୍ଷୋଭର ଆୟୋଜନ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ଆଜି ପୂର୍ବାହ୍ନରେ ଛତ୍ରପୁର ସ୍ଥିତ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲାର କୃଷକ ଓ ଶ୍ରମିକ ସଂଗଠନଗୁଡ଼ିକ ନେତୃତ୍ୱରେ ବିଭିନ୍ନ ବ୍ଳକରୁ ଶହ ଶହ ସଂଖ୍ୟାରେ କୃଷକ , ଶ୍ରମିକ ଓ ସାଧାରଣ ଜନତା ବିକ୍ଷୋଭ ପ୍ରଦର୍ଶନ କରିବା ସହ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ବିଭିନ୍ନ ଦାବି ସମ୍ବଳିତ ଏକ ସ୍ମାରକପତ୍ର ପ୍ରଦାନ କରିଥଲେ । ସ୍ଥାନୀୟ ନୂଆ ବସଷ୍ଟାଣ୍ଡ ଠାରୁ ପୂର୍ବାହ୍ନରେ ଏକ ବିଶାଳ ଶୋଭାଯାତ୍ରା ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା । ସେଠାରେ ଅଖିଳ ଭାରତ କିଶାନ୍ ମଜଦୁର ସଭା (AIKMS)ର ରାଜ୍ୟ ସମ୍ପାଦକ ପ୍ରତାପ କୁମାର ନାୟକଙ୍କ ସଂଯୋଜନାରେ ଆୟୋଜିତ ପ୍ରତିବାଦ ସଭାରେ ଋଷିକୂଲ୍ୟା ରଇତ ମହାସଭା ସମ୍ପାଦକ ସୀମଞ୍ଚଳ ନାହାକ,ଗଞ୍ଜାମ ଜିଲ୍ଲା ଦଳିତ ମହାସଭାର ଆବାହକ ସଂଗ୍ରାମ ନାୟକ, ସହ ଆବାହକ ସୁରେନ୍ଦ୍ର ନାଇକ, ଆଇଏଫଟିୟୁ ଜିଲ୍ଲା ସମ୍ପାଦକ ତଥା କର୍ମଚାରୀ ନେତା ପ୍ରଶାନ୍ତ ପରିଚ୍ଛା ପ୍ରମୁଖ ନିଜର ବକ୍ତବ୍ୟ ରଖି କେନ୍ଦ୍ର ସରକାର କିପରି କର୍ପୋରେଟମାନଙ୍କ ସ୍ଵାର୍ଥରେ ଦେଶର କୃଷକ ଓ ଶ୍ରମିକମାନଙ୍କୁ ପ୍ରତାରଣା କରୁଛନ୍ତି ବୋଲି କହିଥିଲେ। ସରକାରଙ୍କ କର୍ପୋରେଟ ପ୍ରୀତିର ଉଦାହରଣ ଦେଇ ଗତ ଦଶ ବର୍ଷ ମଧ୍ୟରେ ସରକାର ଦେଶର ହାତଗଣତି ପୁଞ୍ଜିପତିଙ୍କ ପ୍ରାୟ ୧୬ ଲକ୍ଷ କୋଟି ଟଙ୍କାର ବ୍ୟାଙ୍କ୍ ଋଣ ଛାଡ଼ କରିଥିବା ବେଳେ କୃଷକମାନଙ୍କ ଟଙ୍କା ଟିଏ ବି ଋଣଛାଡ଼ କରାଯାଇନି ବୋଲି କହିଥିଲେ । ଏହା ବ୍ୟତୀତ ଜନ ବିରୋଧି ବିଦ୍ୟୁତ୍ ବିଲ୍ – ୨୦୨୨ର ପ୍ରତ୍ୟାହାର,ସର୍ବନିମ୍ନ ମଜୁରୀକୁ ୨୬ ହଜାର ଟଙ୍କାକୁ ବୃଦ୍ଧି, ମନରେଗା ଯୋଜନାରେ ଦୈନିକ ମଜୁରୀ ୬୦୦ ଟଙ୍କାକୁ ଓ ବାର୍ଷିକ କାର୍ଯ୍ୟ ଦିବସକୁ ୨୦୦ ଦିନକୁ ବୃଦ୍ଧି କରିବାକୁ ତଥା ଶ୍ରମିକ ବିରୋଧି ଚାରି ଶ୍ରମକୋଡର ପ୍ରତ୍ୟାହାର ତଥା ପୁରୁଣା ପେନସନ ଯୋଜନା ଲାଗୁ କରିବା,ଦରଦାମ୍ ହ୍ରାସ କରିବା ଆଦି ଦାବି କରାଯାଇଥିଲା ।ଅନ୍ୟମାନଙ୍କ ମଧ୍ୟରେ କୃଷକ ନେତା କାଳିଚରଣ ନାୟକ,ଏଆଇକେଏମଏସ୍ ଜିଲ୍ଲା କମିଟି ସଭ୍ୟ ଲଡ଼ୁ କିଶୋର ଡାକୁଆ, ଆଦିବାସୀ ନେତା ରାଧା ମଳିକ, ସର୍ବିନ ଗମାଙ୍ଗ, ଦଳିତ ନେତା ବସନ୍ତ ନାୟକ,ସଞ୍ଜୟ ନାୟକ,ତାରିଣୀ ନାୟକ, ଯୁବନେତା ଲକ୍ଷ୍ମୀ ନୃସିଂହ ରଥ, ଜିଲ୍ଲା ସଫେଇ କର୍ମଚାରୀ ସମ୍ପାଦକ ଉତ୍ତମ ନାୟକ,ମହେଶ୍ୱର ନାୟକ ଓ ଦଳିତ ମହାସଭାର ନେତା ଗଣପତି ନାୟକ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଶେଷରେ ଭାରତର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ କୃଷକ ଓ ଶ୍ରମିକମାନଙ୍କ ସ୍ଵାର୍ଥ ସମ୍ବଳିତ ଏକ ସ୍ମାରକପତ୍ର ସ୍ଥାନୀୟ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା ।

Leave A Reply

Your email address will not be published.