କେନ୍ଦ୍ରମନ୍ତ୍ରୀଙ୍କ ଭଞ୍ଜନଗର ଗସ୍ତ; ଶିଶୁ ମନ୍ଦିରରେ ଅତିଶୀଘ୍ର +୨ଶ୍ରେଣୀ ଖୋଲିବ ।

0 147

ଭଞ୍ଜନଗର, ୨୬/୧୨(ପିପିଟି) : କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ସକାଳେ ଭଞ୍ଜନଗର ଗସ୍ତରେ ଆସି ବନବିଭାଗ ଡାକ ବଙ୍ଗଳାରେ ପହଞ୍ଚିବା ପରେ ସେଠାରୁ ଡ଼ିହ ପଢାଳ ଠାରେ ଥିବା ସରସ୍ୱତୀ ଶିଶୁ ଵିଦ୍ୟା ମନ୍ଦିରକୁ ଯାଇ ସେଠାରେ ବିଦ୍ୟାଳୟର ୩୫ତମ ବାର୍ଷିକ ଉତ୍ସବ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ମନ୍ତ୍ରୀଙ୍କୁ ଶୋଭାଯାତ୍ରାରେ ପାଛୋଟି ନେଇଥିଲେ। ଏହାପରେ ମନ୍ତ୍ରୀ ଶ୍ରୀ ପ୍ରଧାନ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଥିବା ବେଳେ ଓଏନଜିସି ତରଫରୁ ଦେଇଥିବା ୧କୋଟି ୮୮ଲକ୍ଷ ଟଙ୍କା ଅନୁଦାନରେ ନିର୍ମିତ ନୂତନ ଭବନର ଉଦଘାଟନ କରିଥିଲେ।ସେଠାରୁ ବିଦ୍ୟାଳୟ ପରିସରରେ ଆୟୋଜିତ ଏକ ସାଧାରଣ ସଭାରେ ଯୋଗ ଦେଇଥିଲେ।ସେଠାରେ ମୁଖ୍ୟ ଅତିଥି ମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ସହ ସମ୍ମାନିତ ଅତିଥି ରୂପେ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ,ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ,ବିଦ୍ୟା ଭାରତୀ ସଙ୍ଗଠନ ମନ୍ତ୍ରୀ ଗୋବିନ୍ଦ ଚନ୍ଦ୍ର ମହାନ୍ତ,ମାଛ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲିକ,ଆସ୍କା ସାଂସଦ ଅନିତା ଶୁଭ ଦର୍ଶିନୀ,ବିଧାୟକ ସରୋଜ କୁମାର ପାଢୀ,ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀ,ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ,କବିସୂର୍ଯ୍ୟ ନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ,ଫୁଲବାଣୀ ବିଧାୟକ ଉମା ଚରଣ ମଲିକ,ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ,ଭଞ୍ଜନଗର ଏନଏସି ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର, ବ୍ଲକ ଅଧ୍ୟକ୍ଷ ନରୀ ସଭା ନାୟକ,ପ୍ରାକ୍ତନ ସଭାପତି ଡ଼. କମ୍ବୁପାଣି ସାମନ୍ତ, ବିଦ୍ୟାଳୟ ସଭାପତି ଡ଼. ପ୍ରଦୀପ ପଟ୍ଟନାୟକ, ସମ୍ପାଦକ ପଦ୍ମନାଭ ପ୍ରଧାନ,ପ୍ରଧାନଚାର୍ଯ୍ୟ ପୁର୍ଣ୍ଣଚନ୍ଦ୍ର ପଣ୍ଡା ମଞ୍ଚରେ ଉପସ୍ଥିତ ଥିଲେ। ଭଞ୍ଜନଗର ଏକ ଉପାନ୍ତ ଅଞ୍ଚଳ ହୋଇଥିବା ବେଳେ ଶିକ୍ଷା କ୍ଷେତ୍ରରେ ଏହାର ଉନ୍ନତି ପାଇଁ ଡବଲ ଇଞ୍ଜିନ ସରକାର ଏହାର ଦାୟିତ୍ୱ ନେଇ ଭଞ୍ଜନଗର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରକୁ ଜିଲ୍ଲାରେ ଶ୍ରେଷ୍ଠ ବିଦ୍ୟାଳୟ ଭାବେ ଗଢ଼ି ତୋଳିବ।ଅତିଶୀଘ୍ର ଏଠାରେ ଯୁକ୍ତ ଦୁଇ ବିଜ୍ଞାନ ମହାବିଦ୍ୟାଳୟ ଖୋଲାଯିବ।ଯାହା ଫଳରେ ଗଞ୍ଜାମ, କନ୍ଧମାଳ ସମେତ ଆଖପାଖ ଜିଲ୍ଲାର ଛାତ୍ରଛାତ୍ରୀ ମାନେ ଏହି ଆବାସିକ ବିଦ୍ୟାଳୟ ମାଧ୍ୟମରେ ଉଚ୍ଚ ଶିକ୍ଷାଲାଭ କରିପାରିବେ।ଅନ୍ୟ ଘରୋଇ ସ୍କୁଲ ଠାରୁ ଏହା ସମସ୍ତ କ୍ଷେତ୍ରରେ ଆଗୁଆ ହେବ। ଏଥିସହ ଭଞ୍ଜମଟି କଳା, ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ ପ୍ରସିଦ୍ଧି ଲାଭ କରିଛି।କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ରଚିତ ବୈଦେହୀଶ ବିଳାସ ଏକ କାଳଜୟୀ ପୁସ୍ତକ।କୌଣସି ଗୁଣରେ ଏହା ଅନ୍ୟ ପୁସ୍ତକ ଠାରୁ କମ ନୁହେଁ।ତେଣୁ ଏ ଅଞ୍ଚଳର ବିକାଶ ପାଇଁ ସବୁ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ନିଜ ବକ୍ତବ୍ୟରେ କହିଥିଲେ।ସୁଶାନ୍ତ କୁମାର ବେହେରା କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ।ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ଅଭିଭାବକ, ବୁଦ୍ଧିଜୀବୀ,ବିଜେପି ନେତୃବୃନ୍ଦ ଉପସ୍ଥିତ ଥିଲେ।

ରିପୋର୍ଟ- (ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.