କୃଷି ବିଭାଗ ଦ୍ଵାରା ମାଣ୍ଡିଆ ଦିବସ ପାଳିତ ।

0 177

ମାଲକାନଗିରି,୦୬/୧୧(ପିପିଟି):ଜିଲ୍ଲା କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ମାଲକାନଗିରି ଦ୍ବାରା ଶ୍ରୀଅନ୍ନ ଅଭିଯାନ ଓ ଜିଲ୍ଲା ପ୍ରଶାସନଙ୍କ ଉପସ୍ଥିତିରେ ମାଣ୍ଡିଆ ଦିବସ ଉତ୍ସାହ ପୂର୍ଣ୍ଣ ଭାବେ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଥିଲା ପୌଷ୍ଟିକ ଖାଦ୍ୟ, ସୁସ୍ଥିର କୃଷି ଓ ଗ୍ରାମୀଣ ଜୀବିକାରେ ମାଣ୍ଡିଆ ଓ ଅନ୍ୟାନ୍ୟ ଶ୍ରୀ ଅନ୍ନ ଫସଲର ଗୁରୁତ୍ୱ ବିଷୟରେ ସଚେତନତା ସୃଷ୍ଟି କରିବା।
ଏହି ମାଣ୍ଡିଆ ଦିବସରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରି ଟାଙ୍ଗୁଲୁ, ଅତିରିକ୍ତ ଜିଲ୍ଲାପାଳ ସାଧାରଣ ସୋମନାଥ ପ୍ରଧାନ ଏବଂ ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ବେଦବର ପ୍ରଧାନଙ୍କ କରକମଳରେ ଉଦ୍‌ଘାଟିତ ହୋଇଯାଇଛି । କୃଷି ବିଜ୍ଞାନ କେନ୍ଦ୍ର ବୈଜ୍ଞାନିକ ସିଦ୍ଧାର୍ଥ କର ଓ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ମହେଶ ପାଢ଼ୀ ମାଣ୍ଡିଆକୁ ପୋଷଣ ଓ ପରିବେଶ ସହିତ ଜଡିତ ଫସଲ ବୋଲି ବର୍ଣ୍ଣନା କରିଥିଲେ । ବର୍ତ୍ତମାନ କିଭଳି ବୈଜ୍ଞନିକ ପଦ୍ଧତିରେ ଉନ୍ନତମାନର ଚାଷ କରାଯାଇ ପାରିବ ତାହା ବିସ୍ତୃତ ଭାବରେ ଚାଷୀଙ୍କୁ ଅବଗତ କରିଥିଲେ। ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଚାଷୀଙ୍କୁ ଉନ୍ନତ ମାନର ପ୍ରଶିକ୍ଷଣ ଏବଂ ଚାଷ ବିଷୟରେ ସଚେତନତାମୂଳକ କାର୍ଯ୍ୟକ୍ରମ ବୃଦ୍ଧି କରିବା ପାଇଁ ଉପଦେଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ମିଶନ ଶକ୍ତି ବିଭାଗର ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ, ୱାସନ୍ ର କର୍ମକର୍ତ୍ତା, ଶ୍ରୀଅନ୍ନ ଅଭିଯାନରେ ଜଡିତ ବେସରକାରୀ ସଂସ୍ଥା , ଏଫ୍ ପି ଓ ଓ ମହିଳା ସ୍ଵୟଂସହାୟକ ଗୋଷ୍ଠୀ ସମୂହ ଏବଂ ଚାଷୀ ଭାଇ ଓ ଭଉଣୀମାନେ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ।
ଏହି ମାଣ୍ଡିଆ ଦିବସଟି “କୃଷି ଐତିହ୍ୟ ଓ ଜୈବ ବିବିଧତା ସଂରକ୍ଷଣରେ ମହିଳାଙ୍କ ସହଭାଗିତା ଉପରେ ଆଧାରିତ ଥିଲା। ଏଥିରେ ମାଣ୍ଡିଆ ଉତ୍ପାଦ ପ୍ରଦର୍ଶନୀ, ବିଜ ପ୍ରଦର୍ଶନ ଓ ପୌଷ୍ଟିକ ଖାଦ୍ୟ ରାଗି ଲଡୁ, ବିସ୍କୁଟ୍ ଓ ମିଲେଟ ଚାଖିବା ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମର ଶେଷରେ ପ୍ରଗତିଶୀଳ କୃଷକ ଓ ମହିଳା ସମୂହ ସଦସ୍ୟମାନଙ୍କୁ ସମ୍ମାନିତ କରାଯାଇଥିଲା। ଯେଉଁଥିରେ ଚିତ୍ରକୋଣ୍ଡା ବ୍ଲକର ତୁଳା ଦଳେଇ, କୋରୁକୋଣ୍ଡା ବ୍ଲକର ସାବିତ୍ରୀ,ଖଇରପୁଟ ବ୍ଲକର ସବିତା ଚପାଡ଼ି, ମାଲକାନଗିରି ବ୍ଲକର ଭାନୁମତି ପାଙ୍ଗି ଓ ମାଥିଲି ବ୍ଲକର ଭାନୁମତି ପାଙ୍ଗି ଶ୍ରେଷ୍ଠ ମାଣ୍ଡିଆ ଚାଷୀ ଭାବେ ସମ୍ମାନିତ ହୋଇଥିଲେ । ବସନ୍ତ ଖିଲ ଶ୍ରେଷ୍ଠ ସଂରକ୍ଷିତ ଚାଷୀ , ସମାରି ନାୟକ ଶ୍ରେଷ୍ଠ ମହିଳା ମଣ୍ଡି ଉଦ୍ୟୋଗୀ, ପରିବର୍ତ୍ତନ ବେସରକାରୀ ସଂସ୍ଥା – ମାଥିଲି, ଚାଷୀ ଭାଇ ଚାଷ ଉତ୍ପାଦକାରୀ ସଂସ୍ଥା ଓ ମା’ ବିରଜା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଶ୍ରେଷ୍ଠ ପୁରସ୍କାରରେ ସମ୍ମାନିତ ହୋଇଥିଲେ।
କାର୍ୟକ୍ରମ ଶେଷରେ ମୁଖ୍ୟ କୃଷି ଜିଲ୍ଲା ଅଧିକାରୀ ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭା ସମାପ୍ତ କରିଥିଲେ ଏବଂ ସମସ୍ତେ ଶ୍ରୀ ଅନ୍ନ ଅଭିଯାନ ମାଧ୍ୟମରେ ମାଣ୍ଡିଆ ଚାଷ ଓ ଖାଦ୍ୟ ବ୍ୟବହାର ବୃଦ୍ଧି ପାଇଁ ପ୍ରତିଶ୍ରୁତି ଦେଇଥିଲେ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.