ବୋଲଗଡ଼,୨୫/୧୨(ପିପିଟି)ବୋଲଗଡ଼ ବ୍ଲକର ପ୍ରାୟ ସମସ୍ତ ଚାଷ ବିଲରେ ଲଘୁଚାପ ଜନିତ ତିନିଦିନିଆ ଲଗାଣ ବର୍ଷା କାରଣରୁ କଟା ହୋଇ ଜମିରେ ପଡ଼ିଥିବା ଧାନ କିମ୍ବା ବିଡ଼ା ବନ୍ଧା ହୋଇ ଗଦା ଧାନ ଓଦା ହୋଇ ନଷ୍ଟ ହୋଇ ଯାଇଛି।ତେବେ ଏହି ଓଦାଧାନକୁ ଶୁଖାଇ ଅମଳ କରିବାକୁ ସୁଯୋଗ ନଦେଇ ପ୍ରକୃତି ପୁଣି ଦାଉ ସାଧିଛି।ପୁଣି ଲଘୁଚାପ ଜନିତ ବର୍ଷା ସୋମବାର ରାତିରୁ ଆରମ୍ଭ ହୋଇ ମଙ୍ଗଳବାର ଦିନ ତମାମ ବର୍ଷୀ ଚାଲିଛି।ଫଳରେ ଧାନ ଫସଲକୁ ଉଦ୍ଧାର କରିବା ପ୍ରକ୍ରିୟା ବାଧାପ୍ରାପ୍ତ ହେବା ସହ ଧାନ ସବୁ ବତୁରି ଗଜା ହେବା ସ୍ଥିତିକୁ ଆସିଯାଇଛି।ଏଥିନେଇ ଧାନ ଅମଳ ପରିମାଣ କମିବା ସହ ଧାନର ମାନରେ ଅବନତି ଘଟିବା ନିଶ୍ଚିତ ହୋଇ ଯାଇଛି।ଋଣ ସହାୟତାରେ ଚାଷୀ ପରିଶ୍ରମ କରି ଚଳିତ ଖରିଫରେ ଉପୂଜାଇଥିବ ଅର୍ଥକାରୀ ଧାନ ଫସଲ ଏମିତି ଅଚାନକ ପାଣିରେ ବୁଡି ନଷ୍ଟ ହୋଇଯିବା ପରେ ସରକାରଙ୍କ ସହାୟତା କୁ ଅପେକ୍ଷା କରିଛି।ତେବେ ଏଥିନେଇ ମଧ୍ୟ କୃଷି ବିଭାଗ ଓ ରାଜସ୍ବ ବିଭାଗ ପକ୍ଷରୁ ବିଭିନ୍ନ ଅଞ୍ଚଳରେ କ୍ଷୟକ୍ଷତିର ଆକଳନ ଆରମ୍ଭ ହୋଇଯାଇଛି। ଏହି ପଞ୍ଚାୟତୱାରି ଆକଳନରେ ଆରଆଇ,ଗ୍ରାମ୍ୟ କୃଷି କର୍ମଚାରୀ ଓ ଅନ୍ୟମାନେ ସାମିଲ ହୋଇଛନ୍ତି।ଏହି କ୍ରମରେ ଆଜି ଧଳାପଥର ରାଜସ୍ବ ନିରିକ୍ଷିକା ସବିତା ବେହେରା ଓ ଗ୍ରାମ୍ୟ କୃଷି କର୍ମଚାରୀ ଅନିଲ ମଲ୍ଲିକ, ଦୁଷ୍ମନ୍ତ କୁମାର ସ୍ବାଇଁ ପ୍ରମୁଖ ଠଣାପଲ୍ଲୀ ଓ ଅନ୍ୟାନ୍ୟ ଅଞ୍ଚକର କ୍ଷତିଗ୍ରସ୍ତ ଜମିକୁ ଯାଇ କ୍ଷୟକ୍ଷତି ପରିମାଣ ତହସିଲ ଓ କୃଷି ବିଭାଗକୁ ପ୍ରଦାନ କରିବେ। ପରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ପ୍ରକ୍ରିୟାକରଣ ହେବ ।ସମବାୟ ସମିତି କିମ୍ବା ବିଭିନ୍ନ ବ୍ୟାଙ୍କରୁ କୃଷି ଋଣ ନେଇ ବୀମାଭୁକ୍ତ କିମ୍ବା ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ପଞ୍ଜୀକୃତ ହୋଇଥିବା କ୍ଷତିଗ୍ରସ୍ତ ଚାଷୀ ମାନେ ୭୨ଘଣ୍ଟାମଧ୍ୟରେ ସରକାରଙ୍କ ଦ୍ଵାରା ଜାରୀ ହୋଇଥିବା କୃଷି ରକ୍ଷକ ପୋର୍ଟାଲ କିମ୍ବା ସହାୟତା ନମ୍ବର ୧୭୭୭୪ରେ ଯୋଗାଯୋଗ କରି ଜଣାଇବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଚାଷୀ ମାନଙ୍କୁ ସୂଚନା ଦିଆଯାଇଛି।ଏହା ପରେ ଚାଷୀୱାରି ଯୁଗ୍ମ ତଦନ୍ତ କରାଯିବ। ବୀମା କମ୍ପାନୀ ମାନେ ମଧ୍ୟ କ୍ଷୟକ୍ଷତି ଆକଳନ କରି ଋଣଛାଡ ବ୍ୟବସ୍ଥା କରିବେ ବୋଲି ଜଣାପଡିଛି। ବ୍ଲକ କୃଷି ଅଧିକାରୀ ପ୍ରଶାନ୍ତ କୁମାର ପରିଡ଼ା କ୍ଷତିଗ୍ରସ୍ତ ଜମି ପରିଦର୍ଶନ କରିବା ସହ କର୍ମଚାରୀଙ୍କ ଦ୍ଵାରା ଚାଲିଥିବା ଆକଳନ କାର୍ଯ୍ୟକୁ ତଦାରଖ କରୁଛନ୍ତି।ବ୍ଲକର ଖଙ୍ଗୁରିଆ, ବୋଲଗଡ଼, ସାଗରଗୁଆଁ,ପିଚୁକୁଳୀ, ବାଙ୍କୋଇ,ଧଳାପଥର, ଫାସୀଓଦା, ବଡ଼କୁମାରୀ, ଗୋପାଳପୁର ସମେତ ପ୍ରାୟ ପ୍ରତ୍ୟେକ ଗ୍ରାମ ଗହିର ଗୁଡ଼ିକ ପାଣିରେ ଭାସୁଛି। ଚାଷୀଙ୍କ ପାଇଁ ଏହି ଲଗାଣ ବର୍ଷା କାଳ ସାଜିଛି।
(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)