ଭୁବନେଶ୍ୱର,୧୨/୦୩(ପିପିଟି):କଂଗ୍ରେସ ଭବନ ଠାରେ ଆଜି ଏକ ଅଭିନବ ଢ଼ଙ୍ଗରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଗ୍ୟାସ ଏବଂ ପେଟ୍ରୋଲ ଦ୍ରବ୍ୟକୁ ନେଇ କେନ୍ଦ୍ର ସରକାରଙ୍କ ଅଭାବି ବିକ୍ରୀ ମସୁଧା ଏବଂ ମୂଲ୍ୟବୃଦ୍ଧି ବିରୋଧରେ କଂଗ୍ରେସ ଦଳର ମୁଖପାତ୍ର ଏବଂ ମହିଳା କଂଗ୍ରେସର ସଦସ୍ୟ ଯୋଗଦେଇ ନିଜ ମତାମତ ଉପସ୍ଥାପନ କରିଥିଲେ ।
ଏହି ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ମୁଖପାତ୍ର ସୋନାଲି ସାହୁ କହିଥିଲେ, ବିଜେପି ସରକାର ସାଧାରଣ ଜନତାଙ୍କୁ ଏକ ସଂକଟମୁହାଁ ପରିସ୍ଥିତି ଆଡକୁ ଟାଣିନେବାକୁ ବାଧ୍ୟ କରୁଛନ୍ତି ।
ସାରା ଦେଶ ସମେତ ରାଜ୍ୟରେ ଗ୍ୟାସ ପାଇଁ ହାହାକାର ପଡ଼ିଥିବା ବେଳେ ସରକାର ଘରୋଇ ଗ୍ୟାସ ଫିଲିଂ ପିଛା ୬୦ ଟଙ୍କା ଓ ବ୍ୟବସାୟିକ ଫିଲିଂ ପିଛା ୧୧୫ ଟଙ୍କା ବଢ଼ାଇ ଦେଲେ । ଯାହା ୬ ବର୍ଷରେ ସର୍ବାଧିକ । ନୋଟ ବନ୍ଦୀ ପରି ଗ୍ୟାସ୍ ବନ୍ଦ କରି ପ୍ରଧାନମନ୍ତ୍ରୀ ସାରାଦେଶକୁ ପୁଣି ଲାଇନରେ ଛିଡ଼ା କରାଇବା ଦୁର୍ଭାଗ୍ୟଜନକ । ୟୁପିଏ ସରକାର ଘରୋଇ ସିଲିଣ୍ଡର ଗ୍ୟାସ ଫିଲିଂ ୪୩୭ ଟଙ୍କା ଥିବାବେଳେ ବିଜେପିର ସିଲିଣ୍ଡର ରାନୀ, ସ୍ମୃତିଇରାନୀ ବେଶ ଶାଶୁ ବୋହୁର ଡ୍ରାମା କରୁଥିଲେ । ଆଜି ଯେତେବେଳେ ଗ୍ୟାସ୍ ଦର ୬୩୯ ଟଙ୍କାରେ ପହଞ୍ଚଛି, ସେତେବେଳେ ସ୍ମୃତି ଇରାନୀ ଚୁପ୍ କାହିଁକି ? ନୂଆ ନୂଆ ସ୍ଥିତି ଇରାନୀଙ୍କ ଯାଗା ନେଇଥିବା କଙ୍ଗନା ରଣାୱତ ଚୁପ୍ କାହିଁକି ? କ’ଣ ସାପ ସୁଙ୍ଘି ଦେଇଛିକି?
ଠନ୍ ଠନ୍ ଠନ୍ ଠନ୍ କରି ସୁଭଦ୍ରା ଯୋଜନାରେ ପଇସା ପଠାଇବାର ଭାଷଣ ମାରୁଥିବା ମୁଖ୍ୟମନ୍ତ୍ରୀଙ୍କୁ ଆଜି ରାଜ୍ୟର ମହିଳାମାନେ ପ୍ରଶ୍ନ କରୁଛନ୍ତି, ଆମେ ବି ଠନ୍ ଠନ୍ ଠନ୍ ଠନ୍ କରି ପଇସା ଦେଉଛୁ । କିନ୍ତୁ ଆମ ହାଣ୍ଡିଶାଳକୁ ଗ୍ୟାସ ଦିଅ । ସରକାର ପ୍ରଥମେ ଗ୍ୟାସ୍ ଫିଲିଂ ଅବଧି ୧୫-୨୧ ଦିନ, ତାପରେ ଏବେ କହିଲେଣି ୨୫ ଦିନ ପୂର୍ବରୁ ବୁକିଂ ହୋଇପାରିବନି । ଖାଲି ସେତିକି ନୁହେଁ ଗତ ୫ ତାରିଖରୁ ଅର୍ଥାତ ଆଜିକୁ ୮ଦିନ ହେଲାଣି ନାଁ ମୋବାଇଲରେ ବୁିକଂ ହେଉଛି, ନା ହାଟସ୍ଆପରେ । ଜାଣିସୁଣି ସରକାର କଳାବଜାରୀ ମାନଙ୍କ ସହିତ ମହିଳାମାନଙ୍କୁ ଶୋଷଣ କରିବାପାଇଁ ଗ୍ୟାସର ଅଭାବୀ ବିକ୍ରିକୁ ବଢ଼ାଇଦେଲେ । ଯାହା ଫଳରେ ଲୋକେ ବ୍ଲାକ୍ ରେ ୨୦୦୦ ରୁ ୨୫୦୦ ଟଙ୍କା ଦେଇ ଗ୍ୟାସ ଫିଲିଂ କରିବାକୁ ବାଧ୍ୟ ହେଉଛନ୍ତି, ଭାବନ୍ତୁ ଗୃହିଣୀମାନଙ୍କୁ ସରକାର କେମତି କନ୍ଦାଉଛନ୍ତି । ସୁଭ୍ରଦା ଏବେ ହାଣ୍ଡିଶାଳରେ କାନ୍ଦୁଛି । ମହିଳାମାନେ ଚୁଲିରେ ରୋେଇ କରିବା ଦ୍ୱାର ତାଙ୍କର କୁଆଡ଼େ ଆଖିକୁ କଷ୍ଟ ଦେଉଥିଲା, ସେଇ କଥାକୁ ବାହୁନି ବାହୁନି ମନକି ବାତରେ କହୁଥିଲେ ତେଣୁ ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନାରେ ଗ୍ୟାସ କନେକସନ୍ ନେବାକୁ କମ୍ପାନୀ ମାନଙ୍କ ପାଇଁ ମାର୍କେଟିଂ କରାଇଲେ । ଆଜି ଯେତେବେଳେ ମହିଳାଙ୍କୁ ବାଧ୍ୟ କରାଯାଉଛି ପୁଣି ସେଇ ଚୂଲିରେ ରୋଷେଇ କରିବାକୁ ? କ’ଣ କହିବେ ମୋଦି ? ଆଜି କ’ଣ ମା’ ମାନଙ୍କୁ ଆଖି ଖରାପ ହେଉନି ? ମା’ ମାନଙ୍କ ପାଇଁ ଆଜି କଷ୍ଟ ଲାଗୁନି ମୋଦିଙ୍କୁ ? ସାରା ଦେଶରେ ଏବେ ୧ କୋଟି ୯୦ ହଜାର ଘରୋଇ ଗ୍ୟାସ ଉପଭୋକ୍ତା ରହିଛନ୍ତି । ଏଥିମଧ୍ୟରୁ ୫୫ ଲକ୍ଷ ୪୭ ହଜାର ୩୫୭ ଜଣ ଉଜ୍ଜ୍ୱଳା ଗ୍ୟାସ ହିତାଧିକାରୀ ରହିଛନ୍ତି । ରାଜ୍ୟରେ ଦୈନିକ (ଘରୋଇ ଓ ବ୍ୟବସାୟିକ) ହିତାଧିକାରୀମାନେ ହାରାହାରି ୩୨ଲକ୍ଷ କେଜି ଗ୍ୟାସ ବ୍ୟବହାର କରିଥାନ୍ତି । କିନ୍ତୁ ସେପଟେ ରାଜ୍ୟରେ ଥିବା ୯୬୬ ଗ୍ୟାସ ଏଜେନ୍ସିକୁ ସୋମବାର ଠାରୁ କର୍ମସିଆଲ ଟାଙ୍କି ଯୋଗାଣ ବନ୍ଦ । ଯାହା ଫଳରେ ରାଜ୍ୟର ସମସ୍ତ ସହରରେ ଥିବା ପ୍ରାୟ ୧୦,୦୦୦ ରୁ ଉର୍ଦ୍ଧ୍ୱ ରେଷ୍ଟୁରାଣ୍ଟ ବନ୍ଦ । ସମସ୍ତ ଉଠା ଜଳଖିଆ ଦୋକାନ ବନ୍ଦ । ୨୦ % ହୋଟେଲ ବନ୍ଦ । ଅନଲାଇନ ଫୁଡ ଡେଲିଭରି ଏକ ପ୍ରକାର ବନ୍ଦ । ଏହି ଇଣ୍ଡଷ୍ଟ୍ରି ସହିତ ଓ ଇଣ୍ଡଷ୍ଟ୍ରି କାମ କରୁଥିବା ପ୍ରାୟ ୧୮ରୁ ୨୦ଲକ୍ଷ ବ୍ୟକ୍ତି ସିଧାସଳଖ ରୋଜଗାର ହରେଇଛନ୍ତି । ମାସକୁ ୧୦ ରୁ ୧୨ ହଜାର ପର୍ଯ୍ୟନ୍ତ ରୋଜଗାର କରୁଥିବା ସ୍ୱିଗୀ, ଯୋମାଟୋ ଭଳି ବ୍ୟକ୍ତି ବେରୋଜଗାର ହେବାକୁ ଯାଉଛନ୍ତି । ଏହା ଦ୍ୱାରା ପ୍ରାୟ ସିଧାସଳଖ ୨୫ ଲକ୍ଷରୁ ଉର୍ଦ୍ଧ୍ୱ ପରିବାର ଆର୍ଥିକ ଦୃଷ୍ଟିରୁ କ୍ଷତିଗ୍ରସ୍ତ ହେବାକୁ ଯାଉଛନ୍ତି । ଆଗକୁ ଓଡ଼ିଶା ଭୟଙ୍କର ଆର୍ଥିକ ସଂକଟର ସମ୍ମୁଖିୀନ ହେବାକୁ ଯାଉଛି । ସାରା ରାଜ୍ୟରେ ୱେଲଡିଂ ଠାରୁ ଆରମ୍ଭ କରି ନିର୍ମାଣ କାର୍ଯ୍ୟ ପର୍ଯନ୍ତ ସବୁ ଠପ୍ । ଗ୍ୟାସ ନଥିବା କାରଣରୁ ସତ୍ୟନଗର ଶ୍ମଶାନରେ ଶବଦାହ କାର୍ଯ୍ୟ ବନ୍ଦ । କୋରାପୁଟରେ ବାଣିଜ୍ୟକ ଗ୍ୟାସ ସିଲିଣ୍ଡର ବିକ୍ର ବନ୍ଦ କରିବାକୁ ଏଜେନ୍ସି କରିସାରିଲେଣି । ଏତେ ସବୁ ଅବ୍ୟବସ୍ଥା ଭିତରେ ସରକାର କ’ଣ କରୁଛନ୍ତି ? ବର୍ତ୍ତମାନ କେତେଦିନ ପାଇଁ ଗ୍ୟାସ ମହଜୁଦ ଅଛି ତାହା ଯୋଗାଣ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସ୍ପଷ୍ଟ କରୁ ନାହାନ୍ତି କାହିଁକି? ଯଦି, ଶିଶୁ ସରକାର ଆଉ କୁଆଁ କୁଆଁ ହୋଇ କାନ୍ଦିବା ଆପଣଙ୍କ ଅଭ୍ୟାସ,ତେବେ ଉଭୟ ବିରୋଧି ଦଳ ସହିତ ବସି ଏହାର ସମାଧାନ କାହିଁକି କରୁନାହାଁନ୍ତି ? କାଳେ ଆପଣଙ୍କ ପ୍ରଧାନମନ୍ତ୍ରୀଙ୍କର ଆମ୍ବାନୀଙ୍କ ସହିତ ସମ୍ପର୍କ ପଦାରେ ପଡ଼ିଯିବ ବୋଲି, ନାଁ ଲୋକଙ୍କୁ ଲୁଟିବା ପାଇଁ ରଚିଥିବା ଷଡଯନ୍ତ୍ର ଧରାପଡ଼ିବ ବୋଲି । ଲୋକଙ୍କୁ ଲୁଟିବାପାଇଁ ପ୍ରଥମେ ଗ୍ୟାସର ନିଅଣ୍ଟିଆ ପରିସ୍ଥିତି ସୃଷ୍ଟି କରାଗଲା । ତା’ପରେ ୬୦ ଟଙ୍କା ବଢ଼ାଗଲା । ଅନ୍ୟପଟେ ଗୁଜୁରାଟରେ ଜାମନଗରରେ ଥିବା ରିଲାଏନ୍ସ ଇଣ୍ଡ୍ରଷ୍ଟ୍ରିର ପେଟ୍ରୋ ରସାୟନ ପରିସରରେ ଏଲପିଜି ଉତ୍ପାଦନକୁ ବୃଦ୍ଧି କରାଯିବାକୁ ନିଷ୍ପତ୍ତି ନିଆଗଲା । ବିଶ୍ୱର ଅବସ୍ଥା ବିଷୟରେ କ’ଣ ସରକାର ଅବଗତ ନଥିଲେ, ନା ସରକାର ପାଖରେ ଦୈନିକ କେତେ ଗ୍ୟାସର ଆବଶ୍ୟକତା ରହିଛି ସେ ତଥ୍ୟ ନଥିଲା । ସରକାର ଜାଣିଶୁଣି ରିଲାଏନ୍ସ ଜରିଆରେ ଲୋକଙ୍କୁ ଲୁଟ ପାଇଁ ଏକ ବଡ଼ ଷଡଯନ୍ତ୍ର କରିଛନ୍ତି । ଯୁଦ୍ଧକୁ ଆଳକରି ସେଥିରୁ ବି ମୁନାଫା କମେଇବାକୁ ବସିଛନ୍ତି । ସେପଟେ କଳାବଜାରୀ ରୋକିବାପାଇଁ ଦେଶବ୍ୟାପି “ଅତ୍ୟାବଶ୍ୟକ ସାମଗ୍ରୀ ଅଧିନିୟମ- ୧୯୫୫” (ଏସମା) ଲାଗୁ କରିଦେଇ ଚୁପଚାପ ତାମସା ଦେଖୁଛନ୍ତି । ରାଜ୍ୟରେ ଅନେକ ଯାଗାରେ ପେଟ୍ରୋଲ ପମ୍ପ ଆଗରେ ଲମ୍ବା ଲାଇନ୍ ଦେଖାଯାଇଛି । ମାଲକାନଗିରିରୁ ଭୟଙ୍କର ଚିତ୍ର ସାମ୍ମାକୁ ଆସିଛି । ଜିଲ୍ଲାର ଅନେକ ପେଟ୍ରୋଲ ପମ୍ପ ଖାଲି ପଡ଼ିଛି । ଯଦି ପରିସ୍ଥିତି ଏପରି ରୁହେ ତେବେ ଦମକଳ ଆମ୍ବୁଲାନ୍ସ ଭଳି ଜରୁରୀ ସେବା ଠପ୍ ହେବାକୁ ବେଶୀ ସମୟ ଲାଗିବନି । ଆଗକୁ ପରିବହନ ସଂସ୍ଥା ମଧ୍ୟ ଠପ୍ ହେବାକୁ ଯାଉଛି । ପେଟ୍ରୋଲ ଡିଜେଲର ଦର କ୍ରମାଗତ ବୃଦ୍ଧି ପାଇବାରୁ ଲୋକଙ୍କୁ ଇଲେକ୍ଟ୍ରୋନିକ୍ସ ସିଏନଜି ଗ୍ୟାସ ଚାଳିତ ଯାନ ବ୍ୟବହାର କରିବାକୁ ସରକାର କହିଲେ । ରାଜ୍ୟରେ ମଧ୍ୟ ୨୦୨୫ ତଥ୍ୟ ଅନୁସାରେ ୭.୭% କାର ଓ ୧୧% ଥ୍ରି ହ୍ୱିଲର ସିଏନଜି ଅନୁସାରେ ଚାଲିଛି ଏବଂ ବର୍ତ୍ତମାନ ଏହା ଆହୁରି ବଢ଼ିଛି । ସୁଲଭ ଦରରେ ସିଏନଜି ଯୋଗାଇ ଦେବାପାଇଁ ରିଲାଏନ୍ସ ବାୟୋ ଏନରଜି ପ୍ଲାଣ୍ଟ ଢ଼େଙ୍କାନାଳରେ ସିବିଜି ବା (କମ୍ପୋଜ ବାୟୋ ଗ୍ୟାସ) ପ୍ରଡକ୍ସନ ୟୁନିଟ କରି ସିଏନଜି ରିଲିଆନ୍ସ ଜିଓ ପେଟ୍ରୋଲ ପମ୍ପରେ ବିକ୍ରି କରୁଛନ୍ତି । ପ୍ରାୟ ୧୦୦ ଏକର ଜମିରେ ପ୍ରତିଷ୍ଠା ହୋଇଥିବା ୟୁନିଟ ଏଇଠାରୁ ଗୋବର କଲେକସନ କରି ଚାଷୀମାନଙ୍କ ଠାରୁ ୨୫ କେଜି ନଡା ଓ ପାଳକୁ ୩୧ ଟଙ୍କାରେ ସିଏନଜି ପ୍ରସ୍ତୁତ କରି ୮୭.୨୬ ପଇସାରେ ବିକ୍ରୀ କରୁଛନ୍ତି । ଏପରି ପରିସ୍ଥିତିରେ ସରକାର କିପରି ଖାଉଟି କମ୍ଦାମରେ ସିଏନଜି ପାଇବେ ସେ ବ୍ୟବସ୍ଥା କରନ୍ତୁ ।
ଏହି ସାମ୍ବାଦିକ ସମ୍ମିଳନୀରେ ମହିଳା କଂଗ୍ରେସ ସଭାପତି ମିନାକ୍ଷୀ ବାହିନୀପତି ବିଜେପି ସରକାରଙ୍କ ନାରୀ ବିରୋଧୀ ମନୋବୃତ୍ତିକୁ ତୀବ୍ର ବିରୋଧ କରିବା ସହ ଗ୍ୟାସ ଅଭାବୀ ବିକ୍ରୀ ସିଧାସଳଖ ପେଟରେ ଓ ହାଣ୍ଡିରେ ଲାତ ବୋଲି ଅଭିହିତ କରିଥିଲେ । ପିସିସି ମୁଖପାତ୍ର ମନୀଷା ଦାସ ପଟ୍ଟନାୟକ, ଜୟଶ୍ରୀ ପାତ୍ର,ଅମ୍ରିତା ଦାସ,ମହିଳା କଂଗ୍ରେସ ଉପସଭାନେତ୍ରୀ ଜୟଶ୍ରୀ ପଟ୍ଟନାୟକ ଓ ମହିଳା ନେତ୍ରୀ ଜୟସ୍ମିତା ମହାନ୍ତି କୃତ୍ରିମ ଗ୍ୟାସ ସଙ୍କଟକୁ ନେଇ ଉଦ୍ବେଗ ପ୍ରକାଶ କରିବା ସହ ଅତିଶୀଘ୍ର ଏହି ସମସ୍ୟାର ସମାଧାନ ପାଇଁ ସରକାରଙ୍କ ଠାରେ ଦାବି ଉପସ୍ଥାପନ କରିଥିଲେ ।