ଯାଜପୁର,୨୭/୦୧(ପିପିଟି): ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜିଲ୍ଲାପାଳଙ ସମ୍ମିଳନୀ କକ୍ଷରେ କୁଷ୍ଠ ନିରାକରଣ ପାଇଁ ଜିଲ୍ଲା ସଂଯୋଜନା କମିଟି ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ଶିବାନନ୍ଦ ସ୍ୱାଇଁ, ଅତିରିକ୍ତ ମୁଖ୍ୟ ଜନ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ ଜିଲ୍ଲାର ଡାକ୍ତରମାନେ ଉପସ୍ଥିତ ଥିଲେ। କୁଷ୍ଠ ରୋଗ ନିରାକରଣ ପାଇଁ ତୃଣମୂଳ ସ୍ତରରେ ତଥା ଗ୍ରାମାଞ୍ଚଳରେ ଜନ ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରାଯିବା ନେଇ ଆଲୋଚନା ହୋଇଥିଲା। କୁଷ୍ଠ ରୋଗୀଙ୍କୁ ଘୃଣା ନକରି ସେମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ଆପଣାଇବା ପାଇଁ ଲୋକଙ୍କୁ ଉତ୍ସାହିତ କରିବା ପାଇଁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସ୍ୱାଇଁ କହିଥିଲେ। କୁଷ୍ଠ ରୋଗର ପ୍ରାକ୍ ଚିହ୍ନଟ ପ୍ରକ୍ରିୟାକୁ ବ୍ୟାପକ କରିବା ଉପରେ ଅତିରିକ୍ତ ମୁଖ୍ୟ ଜନ ସ୍ୱାସ୍ଥ୍ୟ ଅଧିକାରୀ ଗୁରୁତ୍ବ ଦେଇଥିଲେ। କୁଷ୍ଠ ରୋଗ ସମ୍ବନ୍ଧୀୟ ଭ୍ରାନ୍ତ ଧାରଣା ଓ ଭେଦଭାବ ଦୂର କରିବା ପାଇଁ ଚଳିତ ବର୍ଷ ୩୦ ଜାନୁଆରୀ ରୁ ୧୩ ଫେବୃଆରୀ ଯାଏଁ ସ୍ପର୍ଶ କୁଷ୍ଠ ରୋଗ ସଚେତନତା ଅଭିଯାନ ଆୟୋଜିତ ହେବ। ଏହି ଅଭିଯାନରେ କୁଷ୍ଠ ରୋଗ ସମ୍ପର୍କିତ ଜିଲ୍ଲାପାଳଙ୍କ ସଚେତନତା ବାର୍ତ୍ତା ଗ୍ରାମାଞ୍ଚଳରେ ପହଞ୍ଚିବା ସହ ଗ୍ରାମ ସଭା ମାଧ୍ୟମରେ କୁଷ୍ଠ ରୋଗୀଙ୍କ ଭେଦଭାବ ଦୂର କରିବା ପାଇଁ ପ୍ରୟାସ କରାଯିବ। ଏହାସହ କୁଷ୍ଠ ରୋଗାକ୍ରାନ୍ତ ରୋଗୀ, ଆଶା ଓ ଏଏନଏମ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରାଯିବ। ଜାତୀୟ କୁଷ୍ଠ ରୋଗ ଦୂରୀକରଣ ପ୍ରୋଗ୍ରାମ ଅଧୀନରେ ଜିଲ୍ଲାରେ ବିଭିନ୍ନ ପଦକ୍ଷେପ ନିଆଯାଇଛି । ଏହାସହ ମହାତ୍ମା ଗାନ୍ଧୀଙ୍କ ଶହୀଦ ଦିବସ ଜାନୁଆରୀ ୩୦ କୁ ଜାତୀୟ ଆଣ୍ଟି-ଲେପ୍ରୋସି ଦିବସ ଭାବେ ପାଳନ କରାଯିବ। ଏହି ବୈଠକରେ ଉପସ୍ଥିତ ଅଧିକାରୀ ଏବଂ ଡାକ୍ତରମାନେ କୁଷ୍ଠ ରୋଗ ନିରାକରଣ ଓ ଭେଦଭାବ ଦୂର କରିବା ପାଇଁ ଶପଥ ପାଠ କରିଥିଲେ।