ଭଞ୍ଜନଗର, ୨୬/୦୨(ପିପିଟି):ଆସନ୍ତା ୨ତରିଖରେ କୁଲାଡ଼ ଠାରେ ହେବାକୁ ଥିବା ଐତିହ୍ୟ ସମ୍ପନ୍ନ ପ୍ରସିଦ୍ଧ ଦୋଳଯାତ୍ରାରେ ହଜାର ହଜାର ଭକ୍ତଙ୍କ ଗହଣରେ କୁଲାଡ଼ ବଡଦାଣ୍ଡରେ ଚାରି ଠାକୁର ଶ୍ରୀ ନାରାୟଣ ସ୍ୱାମୀ, ଜଗନ୍ନାଥ ସ୍ୱାମୀ, ଗୋପୀନାଥ ସ୍ୱାମୀ, ରଘୁନାଥ ସ୍ୱାମୀଙ୍କ ମହା ମିଳନ ପର୍ବ ବହୁ ଆଡମ୍ବର ସହକାରେ ଅନୁଷ୍ଠିତ ହେବ।ଏହି ଯାତ୍ରାରେ ଗଞ୍ଜାମ ଜିଲ୍ଲା ବ୍ୟତୀତ ନୟାଗଡ ଏବଂ କନ୍ଧମାଳ ଜିଲ୍ଲାର ଭକ୍ତମାନଙ୍କ ସମାଗମ ହେବ। ଚଳିତ ବର୍ଷ ଚନ୍ଦ୍ର ଗ୍ରହଣ ପୁର୍ଣିମା ତିଥିରେ ପଡୁଥିବା କାରଣରୁ ଚତୁର୍ଦ୍ଦଶୀ ରାତ୍ର ୮ଟା ସମୟରେ ଦୋଳ ଗୋବିନ୍ଦଙ୍କ ମିଳନ କରାଯିବ।ତେଣୁ ଆଜି ଅପରାହ୍ନ ୪ଟା ସମୟରେ ତହସିଲଦାର ଅଭିପ୍ସା ପଟନାୟକ କୁଲାଡ଼ ଠାରେ ପହଞ୍ଚି ଶୃଙ୍ଖଳିତ ଭାବେ କିପରି ଠାକୁରଙ୍କ ଯାତ୍ରା ସମାପନ ହେବ ସେସମ୍ପର୍କରେ ସ୍ଥିତି ଅନୁଧ୍ୟାନ କରିଥିଲେ। ରାତ୍ରି ସମୟରେ ଭକ୍ତ ମାନଙ୍କ ଭିଡ଼କୁ ଦେଖି ଜଗନ୍ନାଥ ମନ୍ଦିର ଠାରୁ ବଡ଼ନଦୀ ଏବଂ ରାଜାଗ୍ନୀ ବେଦି ପର୍ଯ୍ୟନ୍ତ ସମସ୍ତ ସ୍ଥାନରେ ଆଲୋକୀକରଣ କରାଯିବ ଏବଂ ବଡଦାଣ୍ଡର ଉଭୟ ପାର୍ଶ୍ୱ ସଫା କରାଯିବା ସହ ସମସ୍ତ ଉଠା ଦୋକାନୀ ମାନଙ୍କୁ ଉକ୍ତ ଦିନ ଦୋକାନ ନ ଖୋଲିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଚାରି ଠାକୁର ଙ୍କ ମିଳନ ସ୍ଥଳ ଏବଂ ସମସ୍ତ ସ୍ଥାନରେ ପ୍ରଯ୍ୟାପ୍ତ ପୋଲିସ କର୍ମଚାରୀ ମୃତୟନ କରାଯିବ।ପୌରାଣିକ ରୀତି ନୀତି ଅନୁଯାୟୀ ସଖିନାଟ ଲୋକ କଳାକୁ ଗୁରୁତ୍ୱ ଦେଇ ସୁଚାରୁ ରୂପେ ଯାତ୍ରା ଜରାଯିବ ବୋଲି ତହସିଲଦାର କହିଛନ୍ତି।ଏହି ସମୟରେ ଅତିରକ୍ତି ତହସିଲଦାର ଅବିନାଶ ମାହାର, ରାଜସ୍ୱ ନିରୀକ୍ଷକ ଭଗବାନ ବେହେରା ମନ୍ଦିର ପରିଚାଳନା କମିଟି ସଦସ୍ୟ ଏବଂ ସ୍ଥାନୀୟ କିଛି ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ।
ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)