କୁଚିଣ୍ଡା,୧୩/୦୪: ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡିୟ ମହୁକୁମା ରେ ଥିବା ଏକ କପଡା ଦୋକାନରେ ନିଆଁ ଲାଗି ଭୟାବାହ ଅଗ୍ନିକାଣ୍ଡ ଘଟିଛି । ନିଆଁର ପ୍ରକୋପ ଏତେ ପ୍ରଖର ଅଛି ଯେ ହରିନାରାୟଣ କମ୍ପ୍ଲେକ୍ସରେ ଥିବା ଅନ୍ୟ ଦୋକାନୀ ମହଲ ରେ ଆତଙ୍କ ଖେଳିଯାଇଛି ।
ସୂଚନା ଅନୁଯାଇ କୁଚିଣ୍ଡା ମହୁକୁମାସ୍ଥ କ୍ୱାଲିଟି କଲେକ୍ସନ ନାମକ ଏକ କପଡା ଦୋକାନ ରହିଥିଲା । ତିନି ମହଲା ବିଶିଷ୍ଟ ଦୋକାନରେ ଆଜି ସକାଳେ ଆକସ୍ମିକ ଭାବେ ଉପର ମହଲାରେ ନିଆଁ ଲାଗିଥିଲା । ନିଆଁର ପ୍ରକୋପ ଏତେ ବୃଦ୍ଧି ପାଇଥିଲା ଯେ ସ୍ୱଳ୍ପ ସମୟ ବ୍ୟବଧାନରେ କୋଠାର ଉପର ମହଲା ସମ୍ପୂର୍ଣ୍ଣ ଭସ୍ମଭୂତ ହୋଇଥିଲା । କୁଚିଣ୍ଡା ସହର ରେ ଥିବା ଏକ ମାତ୍ର ଦମକଳ ନିଆଁ ଲିଭେଇବାରେ ସକ୍ଷମ ହୋଇ ନଥିଲା । ପରେ ପୁଲିସ ପ୍ରଶାସନ ଉପସ୍ଥିତି ରେ କୁଚିଣ୍ଡା,ସମେତ ଜମନକିରା,ବାମରା, କୁଲାବିରା ଅଞ୍ଚଳ ର ୫ ଗୋଟି ଦମକଳ ସାହାଯ୍ୟରେ ନିଆଁକୁ ଆୟତ୍ତ ପାଇଁ ଅକ୍ଲାନ୍ତ ପରିଶ୍ରମ କରିଥିବା ସତ୍ୱେ ସୁଲୁସୁଳିଆ ପବନରେ ନିଆଁ ହୁତୁ ହୁତୁ ଜାଳିଥିଲl । ନିଆଁ କୁ ନିୟନ୍ତ୍ରଣ ପାଇଁ ତଳ ଦୁଇ ମହଲାରେ ସମସ୍ତ କପଡା, ଆଦିକୁ ସ୍ଥାନୀୟ ଲୋକଙ୍କ ସହଯୋଗରେ ବାହାର କରାଯାଇଥିଲା । ନିଆଁ ଲିଭାଇବା କାର୍ଯ୍ୟ ଅବ୍ୟାହତ ରହିଛି ।