ଆକାଶରେ ନୂଆ ମେଘ ମାରେ ଘନେ ବିଜୁଳି
ପବନ ବହୁଛି ଖରେ ଉଡ଼େ ପତ୍ର ଭୂ-ଧୂଳି !!
ବୃକ୍ଷ ଶାଖା ନାଚେ ଶୁଭେ ପବନର ଝଙ୍କାର
ସନ୍ଧ୍ୟାକାଶେ ମେଘ ବର୍ଷା ଚାରି ଆଡେ଼ ଅନ୍ଧାର !!
ଦାଣ୍ଡେ ଉଡ଼େ ଚାଳ ଟିଣ ଭାଙ୍ଗେ ବୃକ୍ଷ ପ୍ରଶାଖା
ଉପୁଡେ କେଉଁଠି ବୃକ୍ଷ ତିଳେ ନାହିଁ ସୁରକ୍ଷା !!
ବତୀ ଖୁଣ୍ଟି ଶୋଇପଡେ ତାର ଛିନ୍ନ ଛତର
ଗଛ ଡ଼ାଳ ପଡି ପଥ ଅବରୋଧ ମାତର !!
କାଳ ବଇଶାଖୀ କାଳ ଡାକିଆଣେ ବିପଦ
ଛାରଖାର କରି ଦିଏ ଧନ ଆଉ ସଂପଦ !!
ବିଜୁଳି ମାରଇ ଆଣ୍ଟେ ବଜ୍ର ପାତ ନିନାଦ
ହୃଦୟ ଥରାଇ ଦିଏ ଘଡ଼ଘଡ଼ି ଶବଦ !!
ଡେଙ୍ଗା ଡେଙ୍ଗା ତାଳ ଗଛ ଜାଳି ଦିଏ ବିଜୁଳି
ବଜ୍ରାଘାତେ ମୃତ୍ୟୁ ଘଟେ ନପାରେ କେ ମୁକୁଳି !!
ସାବଧାନ ନ ହୋଇଲେ ଅଘଟଣ ନିଶ୍ଚିତ
କାଳ ବଇଶାଖୀ ବର୍ଷା କରେ ବେଶି ବିତ୍ପାତ !!
ଗ୍ରୀଷ୍ମ ଦିନେ ଅଚାନକ ମାଡି ଆସେ ବୈଶାଖୀ
ଅରଣ୍ୟରେ ଆନନ୍ଦରେ ନାଚେ କେକୀ କାହିଁକି !!
ପାଏ ସେ ଆନନ୍ଦ କିମ୍ପା ଦେଖି ମେଘ ମାଳାକୁ
ଆନ୍ଯ ପକ୍ଷୀ ଭୟେ ରାବେ ଥରାଇଣ ଗଳାକୁ !!
ବୃକ୍ଷ ଶାଖା ନୀଡ ଭାଙ୍ଗି ଝଡେ ଅଣ୍ଡା ଶାବକ
ଅକାଳ କାଳ ଆଣଇ ଏହି କାଳ ବୈଶାଖ !!
ରାକ୍ଷସ ସମ ଧ୍ବଂସ କରି କି କରେ ପ୍ରକୋପ
ପ୍ରାପ୍ତ ହୋଇଛି ଅବା କାହା ଠାରୁ ଅଭିଶାପ !!
ଏଣେ ଗ୍ରୀଷ୍ମ ଦେଲା କି କଷ୍ଟ ଦୁଃଖ ନିର୍ଯାତନା
କାଳବୈଶାଖୀ ଅକାଳ ପ୍ରକୃତି ସଂରଚନା..!!
(କବି କେଶବ ଚନ୍ଦ୍ର ନାୟକ)
(ସଭାପତି, ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି)
ମୋନ:୯୪୩୭୭୭୯୪୪୭