କାଲି ବବି କହିଲେ ପୁଣି ଲଢ଼ିବି, ଆଜି ବିଧାୟିକା ଓ ଜିଲ୍ଲା ସଭାପତି କହୁଛନ୍ତି ଭିନ୍ନ କଥା।

0 230

ଯାଜପୁର,୦୩/୧୦(ପିପିଟି): ଗତକାଲି ଯାଜପୁର ନିର୍ବାଚନ ମଣ୍ଡଳୀ ଦଶରଥପୁର ବ୍ଲକ ଠାରେ ପୂର୍ବତନ ବିଧାୟକ ତଥା ପୂର୍ବତନ ରାଜ୍ୟ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଦଳର ପଦଯାତ୍ରା କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଏହି ଉପଲକ୍ଷେ ଆୟୋଜିତ ସଭାରେ ବବିଙ୍କ ସହିତ ପୂର୍ବତନ ସାଂସଦ ଶର୍ମିଷ୍ଠା ସେଠୀ, ଯାଜପୁର ବିଧାୟିକା ସୁଜାତା ସାହୁ, ଜିଲ୍ଲା ବିଜେଡି ସଭାପତି ସରୋଜ ମହାପାତ୍ର, ବରିଷ୍ଠ ନେତା କାର୍ଣ୍ଣାଟ କେଶରୀ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ସଭାରେ ବବି ନିଜ ବକ୍ତବ୍ୟରେ କହିଥିଲେ ଯାଜପୁରର ବିକାଶ କରିବା ଯଦି ପାପ ସେଇ ପାପ ମୁଁ ବାରମ୍ବାର କରିବି । ଯଦି ଦୁର୍ନୀତି କରିଛି ତେବେ ମତେ ଜେଲରେ ପୁରାଅ । ବବିଙ୍କ ଦମ୍ଭିକତା ପୂର୍ଣ୍ଣ ଭାଷଣ ବେଶ ରୋମାଞ୍ଚ ସୃଷ୍ଟି କରିଥିଲା ସଭାରେ । ବିପୁଳ କରତାଳି ମାରି ଉପସ୍ଥିତ କର୍ମୀ ଏହାକୁ ସ୍ୱାଗତ କରିଥିଲେ । ଉତ୍ସାହିତ ବବି ଆଉ ଗୋଟିଏ ପାଦ ଆଗକୁ ଯାଇ କହିଥିଲେ ମୁଁ ପୁଣି ଲଢ଼ିବି । ଯାହା ଗତକାଲି ଠାରୁ ଗଣ ମାଧ୍ୟମରେ ଏକ ପ୍ରକାର ନିଆ ଲଗାଇ ଦେଇଛି । ସବୁ ଗଣ ମଧ୍ୟମ ଏହାକୁ ପ୍ରାଥମିକତା ବି ଦେଇଛନ୍ତି । ଆଜକୁ ବେଶ କିଛି ଦିନ ହେଲା ଯାଜପୁରରେ ଉପ ନିର୍ବାଚନ ହେଉଛି ଓ ବବି ପୁଣି ପ୍ରାର୍ଥୀ ହେବେ ଏଭଳି ଚର୍ଚ୍ଚା ଘୁରି ବୁଲୁଛି । ଆଉ ଗତକାଲି ବବି ଯେତେବେଳେ କହିଲେ “ମୁଁ ପୁଣି ଲଢ଼ିବି” ତାହା ଏହି ଚର୍ଚ୍ଚାକୁ ଖୋରାକ ଯୋଗାଇଲା । ଏହାକୁ ନେଇ ସମର୍ଥକ ଓ ଵିରୋଧି ସାମାଜିକ ଗଣ ମାଧ୍ୟମରେ ଏକ ପ୍ରକାର ଯୁଦ୍ଧ ଆରମ୍ଭ ଜରି ଦେଇଛନ୍ତି । ଏଭଳି ତମାମ ଆଲୋଚନା ଓ ପର୍ଯ୍ୟାଲୋଚନା ଭିତରେ ଆଜି କିନ୍ତୁ ଯାଜପୁର ବିଧାୟିକା ସୁଜାତା ସାହୁ ଏହାକୁ ନାକଚ କରିଛନ୍ତି । ସେ କହିଛନ୍ତି ମୋର ଇସ୍ତଫା ଦେବାର ନାହିଁ କି ମୋତେ ଗଢିଥିବା ନେତା ଏ ନେଇ ମୋ ସହିତ କିଛି ଆଲୋଚନା କରି ନାହାଁନ୍ତି । ବବି ବାବୁ ନିଜ ନିର୍ବାଚନ ମଣ୍ଡଳୀ ପାଇଁ ଲଢ଼ିବାକୁ କହିଛନ୍ତି । ଅପରପକ୍ଷେ ଜିଲ୍ଲା ବିଜେଡି ସଭାପତି ମଧ୍ୟ ବବି ନିର୍ବାଚନ ଲଢ଼ିବା କଥା କହି ନାହାଁନ୍ତି ବୋଲି ସଫେଇ ଦେଇଛନ୍ତି । ଉଭୟଙ୍କ କଥାରେ ବେଶ ତାଳମେଳ ଥିଲା ବେଳେ ଉଭୟ ବବିଙ୍କ ନିର୍ଦ୍ଦେଶରେ ଏହା କହି ଥାଇ ପାରନ୍ତି । ହେଲେ ପୁଣି ଲଢ଼ିବି ଶବ୍ଦର ଅର୍ଥ କେହି ବୁଝାଇ ନାହାନ୍ତି । ବବି ଯଦି ପୁଣି ଲଢ଼ିବି କହିଲେ ସେଇ ପୁଣିର ଅର୍ଥ କଣ । ଯଦି ପୁଣିର ଅର୍ଥ ନିର୍ବାଚନ ଲଢ଼ିବା ନୁହେଁ ତେବେ ବବି କଣ ଯାଜପୁର ପାଇଁ ଲଢ଼ିବା ଛାଡି ଦେଇଥିଲେ କି ଯେ ପୁଣି ଲଢ଼ିବେ । ଏହି ଶବ୍ଦ ଆଜି ସମସ୍ତଙ୍କୁ ଆନ୍ଦୋଳିତ କରୁଛି । ହୁଏତ ବବି ଏଭଳି ଉଦ୍ୟମ କରି ଯାଜପୁର ଭୋଟରଙ୍କ ମାନସିକତାକୁ ମାପିବାର ଉଦ୍ୟମ କରୁଛନ୍ତି । ହେଲେ ଅନ୍ୟପକ୍ଷରେ ଦେଖିବାକୁ ଗଲେ ବବି ଯଦି ଲଢ଼ିବାର ନିଷ୍ପତି ନେବେ ଆଜି ସୁଜାତା ଯେଉଁ ଦମ୍ଭିକତା ଦେଖାଉଛନ୍ତି ତାହା ରହିବ ତ । ବବିଙ୍କ ସମ୍ମୁଖକୁ ଯାଇ ନୀରବରେ ଇସ୍ତଫା ଦେଇ ଦେବେ ନାହିଁ ତ ସୁଜାତା । ସମୟ ଆଗକୁ ସବୁର ଉତ୍ତର ଦେବ, କେବଳ ସମୟକୁ ଅପେକ୍ଷା କରାଯାଉ । କିନ୍ତୁ ସାରା ରାଜ୍ୟବାସୀ ବବିଙ୍କ ପୁଣି ଲଢ଼ିବିର ଅର୍ଥ ଖୋଜୁଛନ୍ତି ନିଶ୍ଚିତ । କିନ୍ତୁ ବବି କାଲି କହିଥିବା କଥା ଆଜିକି ନାହିଁ ଯେମିତି ସକାଳ ସୂରୁଜ ସଞ୍ଜକୁ ନାଇଁ ।

(ରିପୋର୍ଟ- ଅକ୍ଷୟ କୁମାର ରାଉତ)

Leave A Reply

Your email address will not be published.