ଭଞ୍ଜନଗର, ୧୯/୦୨(ପିପିଟି):ଗଞ୍ଜାମ ଜିଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଅନ୍ତର୍ଗତ ମୁଜାଗଡ ରେଞ୍ଜ ବଜ୍ରକୋଟ ଗ୍ରାମ ନିକଟରେ ବୁଧବାର ସନ୍ଧ୍ୟାରେ ଏକ କଲରାପତରିଆ ବାଘ ଛୁଆର ମୃତଦେହ ପଡ଼ିଥିବା ଖବର ପାଇ ଡିଏଫ୍ଓ ହିମାଂଶୁ ଶେଖର ମହାନ୍ତି, ରେଞ୍ଜର ବିମ୍ବାଧର ସାହୁ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରି ଫେରିଛନ୍ତି। ଆଜି ଭଞ୍ଜନଗର ରୁ ଡାକ୍ତରୀ ଦଳ ସେଠାରେ ପହଞ୍ଚି ମୃତ ବାଘର ବ୍ୟବଚ୍ଛେଦ କରିଛନ୍ତି।ପୋଷ୍ଟ ମଟମ ରିପୋର୍ଟ ଆସିଲେ ବାଘ କେମିତି ମରିଛି ତାର ପ୍ରକୃତ କାରଣ ଜଣା ପଡିବ ବୋଲି ଉତ୍ତର ଘୁମୁସର ଡ଼ିଏଫଓ ହିମାଂଶୁ ଶେଖର ମାହାନ୍ତି କହିଛନ୍ତି।
ବାଘ ଛୁଆଟିର ବୟସ ପ୍ରାୟ ଦୁଇ ବର୍ଷରୁ ଊର୍ଦ୍ଧ୍ୱ ହେବ। ଛୁଆଟି କେଉଁଭଳି ପରିସ୍ଥିତିରେ ମୃତ୍ୟୁବରଣ କରିଛି ତାହା ସଠିକ୍ କିଛି ଜଣାପଡ଼ିନାହିଁ।
ଘଟଣାରୁ ପ୍ରକାଶ ଯେ, ଗତ କାଲି ଅପରାହ୍ନ ପ୍ରାୟ ୪ ଟା ସମୟରେ ବଜ୍ରକୋଟ ବିଦ୍ୟାଳୟ ନିକଟରେ କିଛି ପିଲାମାନେ ବଲ୍ ଖେଳୁଥିଲେ।ବଲ୍ ଟି ଏକ ବୁଦା ମୂଳେ ପଡ଼ିଥିଲା।ତେଣୁ ଜଣେ ଛାତ୍ର ବଲଟିକୁ ଗୋଟାଇବାକୁ ବୁଦା ଆଡ଼େ ଯାଇଥିଲେ। ଏହି ସମୟରେ ସେଠାରେ ଏକ ବନ୍ୟଜନ୍ତୁ ମରି ପଡ଼ିଥିବା ଦେଖି ଅନ୍ୟ ସାଥିମାନଙ୍କୁ କହିଥିଲେ। ଏହାପରେ କଥା ଯାଇ ଗ୍ରାମବାସୀଙ୍କ ପାଖରେ ପହଞ୍ଚିବା ପରେ ଲୋକେ ରୁଣ୍ଡ ହୋଇ ତାହା ବାଘ ଛୁଆ ବୋଲି ଜଣାପଡିଥିଲା। ଏହାପରେ ସନ୍ଧ୍ୟାରେ ବନ ବିଭାଗ ଅଧିକାରୀମାନେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ।ମୃତ ବାଘ ଛୁଆଟିର ଶରୀରରେ କୌଣସି ଆଘାତ ଚିହ୍ନ ନାହିଁ। ତେଣୁ ବାଘ ଛୁଆର ମୃତ୍ୟୁର ସଠିକ୍ କାରଣ ଜଣାପଡିନାହିଁ।
ରିପୋର୍ଟ୍ -ଜେ କେ ପଟ୍ଟନାୟକ