ଯାଜପୁର,୨୬/୧୦(ପିପିଟି): କିଛି ରାଜନେତାଙ୍କ ପାଇଁ ବିଜୟ ଓ ପରାଜୟ ବେଶ ମୂଲ୍ୟବାନ । ନିଜର ବିଜୟ ରାଜନେତାଙ୍କୁ ଖୁସି ତ ଦିଏ କିଛି ରାଜନେତାଙ୍କ ପାଇଁ ଅନ୍ୟର ପରାଜୟ ନିଜ ବିଜୟ ଠାରୁ ଅଧିକ ଖୁସି ଦିଏ । ହେଲେ ଏହାର ବ୍ୟତିକ୍ରମ ହେଉଛନ୍ତି ସୁକିନ୍ଦାର ପୂର୍ବତନ ବିଧାୟକ ତଥା ରାଜ୍ୟର ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ । ପ୍ରୀତିରଞ୍ଜନ ନାମରେ ଯେତିକି ପରିଚୟ ତା ଠାରୁ କେଇ ଗୁଣା ଅଧିକ ପରିଚୟ ଡ୍ୟାନି ନାମରେ ରହିଛି । ଯୁବକଙ୍କ ଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଆଦର ସାଉଁଟିଛନ୍ତି ଡ୍ୟାନି ନାମରେ । ଯୁବକ ମାନଙ୍କ ପାଇଁ ଏହି ନା ତ ବ୍ରାଣ୍ଡ ହୋଇ ସାରିଛି କେବେ ଠାରୁ । ସଵୁବେଳେ ହସ ହସ ମୁହଁରେ କର୍ମ ତତ୍ପର ରହୁଥିବା ଡ୍ୟାନି ନିକଟରେ ଅନୁଷ୍ଠିତ ନିର୍ବାଚନରେ ପରାଜିତ ହୋଇଛନ୍ତି । ଏହି ଅପ୍ରତ୍ୟାଶିତ ପରାଜୟ ତାଙ୍କୁ ଭଲ ପାଉଥିବା ଓ ସମର୍ଥନ କରୁଥିବା ବ୍ୟକ୍ତିଙ୍କୁ ମର୍ମାହତ କରିଛି; ହେଲେ ପରାଜୟ ଡ୍ୟାନିଙ୍କୁ ନା ମର୍ମାହତ କରିଛି ନା ବିଚଳିତ କରି ପାରିଛି । ତାଙ୍କ କର୍ତ୍ତବ୍ୟ ଆଗରେ ବିଜୟ ଓ ପରାଜୟ ମୂଲ୍ୟହୀନ ହୋଇଯାଇଛି । ଦୀର୍ଘ ୧୫ ବର୍ଷ ଧରି ବିଜୟୀ ହୋଇ ଯେଉଁ ଉତ୍ସାହରେ କାମ କରୁଥିଲେ ଆଜି ପରାଜିତ ହୋଇ ମଧ୍ୟ ସାମାନ୍ୟ ବ୍ୟତିକ୍ରମ ତାଙ୍କ ନିକଟରେ ଦେଖିବାକୁ ମିଳିନାହିଁ । ଆଜିବି ସେ ନିଜ ନିର୍ବାଚନ ମଣ୍ଡଳୀରେ ଘୁରି ବୁଲି ଲୋକଙ୍କ ସମସ୍ୟାକୁ ଆହୁରି ନିକଟରୁ ପରଖୁଛନ୍ତି । କିଏ ଜଣେ ଅଫେରା ରାଇଜକୁ ଚାଲିଗଲେ ଖବର ପାଇ ତାଙ୍କ ପରିବାର ନିକଟରେ ପହଞ୍ଚି ସାନ୍ତ୍ୱନା ଦେବା ସହିତ ମଶାଣି ପର୍ଯ୍ୟନ୍ତ ଯାଉଛନ୍ତି ନିଜ ପରିବାର ସଦସ୍ୟଙ୍କ ଭଳି । ବିଭିନ୍ନ ସଙ୍ଗଠନକୁ ମଜବୁତ କରି ନିଜ ସାଙ୍ଗଠନିକ ଦକ୍ଷତା ବି ଦେଖାଇ ଚାଲିଛନ୍ତି । ସମାଜର ତଳ ସ୍ତରରେ ଥିବା ଲୋକଟି ଯେମିତି ଅବହେଳିତ ନ ହେବ ସେଥିପାଇଁ ବେଶ ଯତ୍ନବାନ ହୋଇଛନ୍ତି । ଗତ କିଛି ଦିନ ହେଲା ବାତ୍ୟା ଦାନା କୁ ନେଇ ବେଶ ଚର୍ଚ୍ଚା ସୃଷ୍ଟି ହୋଇଥିଲା । ବାତ୍ୟା ଦ୍ୱାରା ଲୋକେ ପ୍ରଭାବିତ ହେବାର ଆଶଙ୍କା ମଧ୍ୟ ରହିଥିଲା । ବାତ୍ୟା ପୂର୍ବରୁ ନିଜ ନିର୍ବାଚନ ମଣ୍ଡଳୀରେ ବୁଲି ବୁଲି ଲୋକଙ୍କୁ ସଚେତନ କରିବା ସହିତ ସାମାଜିକ ଗଣ ମାଧ୍ୟମରେ ବେଶ ସଚେତନ କରିଥିଲେ । ଏହା ସହିତ ବିପଦ ଟାଳିବାକୁ ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କୁ ମଧ୍ୟ ପ୍ରାର୍ଥନା କରିଥିଲେ । ଗତ ୨୪ ତାରିଖ ରାତିରେ ବାତ୍ୟାର ପ୍ରଭାବ ପଡିବାର ଆଶଙ୍କା କରାଯାଇଥିଲା। ପବନ ସହିତ ପ୍ରବଳ ବର୍ଷାର ଆଶଙ୍କା ଥିଲା ବେଳେ ଭୁବନେଶ୍ୱରରୁ ରାତି ପ୍ରାୟ ୯ ଟା ବେଳେ ପହଞ୍ଚିଥିଲେ ନିଜ ନିର୍ବାଚନ ମଣ୍ଡଳୀରେ । ତାଙ୍କ ନିର୍ଦ୍ଦେଶରେ ତାଙ୍କ ସହଯୋଗୀ ଯୁବକ ମାନେ ମଧ୍ୟ ପ୍ରସ୍ତୁତ ହୋଇ ସାରିଥିଲେ । ସେ ପହଞ୍ଚିବା ପରେ ସମସ୍ତେ ମିଳିତ ହୋଇ ବାହାରି ଯାଇଥିଲେ ବିଭିନ୍ନ ପଞ୍ଚାୟତକୁ । ବାତ୍ୟା ଆଶ୍ରୟ ସ୍ଥଳି ରେ ପହଞ୍ଚି ସମସ୍ତଙ୍କ ଭଲ ମନ୍ଦ ବୁଝିଥିଲେ । ଘର ଛାଡିନଥିବା କିଛି ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେଇଥିଲେ । ପବନର ଭୟ ଭିତରେ କିନ୍ତୁ ନିଜ କର୍ତ୍ତବ୍ୟ କରି ଚାଲିଥିଲେ । ସହଯୋଗୀ ମାନେ ଭୟ କରୁଥିଲା ବେଳେ ସେ କହୁଥିଲେ ଆମେ ଭଲ କାମ କରୁଛନ୍ତି ଭୟ କାହିଁକି । ଏହି କାମ ଚାଲିଥିଲା ରାତି ପ୍ରାୟ ତିନିଟା ପର୍ଯ୍ୟନ୍ତ । ବାତ୍ୟାର ପ୍ରଭାବ ହ୍ରାସ ପାଇବା ପରେ ଫେରିଥିଲେ ନିଜ ବାସ ଗୃହକୁ । ତାଙ୍କ ଏହି ମହତ କାମ ଆଜି ଦିନ ତମାମ ଖୁବ ଆଲୋଚ୍ୟର ବିଷୟ ହୋଇଛି ଜିଲ୍ଲାରେ । ବାତ୍ୟା ଦାନାରେ ନିଜ କର୍ତ୍ତବ୍ୟ କରି ସମସ୍ତଙ୍କ ମନ କିନ୍ତୁ ଜିତିଛନ୍ତି ଡ୍ୟାନି । ବାତ୍ୟା ପ୍ରଭାବ କମିବା ପରେ ମହାପ୍ରଭୁ ଜଗନ୍ନାଥ ଓ ମା ବିରଜାଙ୍କୁ କିନ୍ତୁ କୃତଜ୍ଞତା ଦେବାକୁ ଭୁଲି ନାହାଁନ୍ତି ସେ । ତାଙ୍କ ଆଶିର୍ବାଦ ବଡ଼ ବିପଦରୁ ଆମକୁ ଉଦ୍ଧାର କରିଛି ବୋଲି କହି କୋଟି ପ୍ରଣାମ ଜଣାଇଛନ୍ତି ମହାପ୍ରଭୁ ଜଗନ୍ନାଥ ଓ ମା ବିରଜାଙ୍କୁ ।