ମାଲକାନଗିରି।ତା:୧୧/୮(ପିପିଟି) :ମାଲକାନଗିରିର ମାଟିର ସୁନାମଧନ୍ୟ କବି କେଶବ ଚନ୍ଦ୍ର ନାୟକଙ୍କ ଭଜନ ସଂକଳନ ଦାରୁବ୍ରହ୍ମ ପୁସ୍ତକ ଶନିବାର ଦିନ ସରକାରୀ ବହୁ ବୃତ୍ତି ପ୍ରତିଷ୍ଠାନ (ପଲିଟେକନିକ୍) ପରିସରରେ ଉନ୍ମୋଚିତ ହୋଇପାରିଛି। ଏହି ଉତ୍ସବରେ ଉତ୍କଳ ସାହିତ୍ୟ ସଂସଦ ସଭାପତି କେଶବ ଚନ୍ଦ୍ର ନାୟକ ସଭାପତିତ୍ବ କରିଥିଲା ବେଳେ ମୁଖ୍ୟଅତିଥି ଭାବେ ଜିଲ୍ଲା ଯୋଗାଣ ଅଧିକାରୀ ମନମୋହନ ପଟ୍ଟନାୟକ, ମୁଖ୍ୟ ବକ୍ତା ଭାବେ ମାଲକାନଗିରି ମହାବିଦ୍ୟାଳୟ ଓଡ଼ିଆ ଅଧ୍ଯାପକ
ତପନ କୁମାର ବେହେରା, ସମ୍ମାନିତ ଅତିଥି ଭାବେ ଇଂରାଜୀ ଅଧ୍ୟାପକ ଉମେଶ ରାଉତ, ମାଲ୍ଯବନ୍ତଶ୍ରୀର ସଂପାଦକ ମନୋଜ ସାହୁ, ଆଇନଜୀବୀ ତଥା ପୂର୍ବତନ ଉପଜିଲ୍ଲାପାଳ ରଥିକୃଷ୍ଣ ପାତ୍ର, ସରକାରୀ ବହୁ ବୃତ୍ତି ପ୍ରତିଷ୍ଠାନ ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରୀତି ରଞ୍ଜନ ପାତ୍ର, ଚିତ୍ରକୋଣ୍ଡା ବନ୍ୟାଞ୍ଚଳ ଅଧିକାରୀ ବଳରାମ ନାୟକ ପ୍ରମୁଖ ମଞ୍ଚାସୀନ ଥିଲେ। ଉତ୍କଳ ସାହିତ୍ୟ ସଂସଦର ସଂପାଦକ ଅନନ୍ତ କିଶୋର ନନ୍ଦ ଅତିଥିମାନଙ୍କ ପରିୟଚ ପ୍ରଦାନ କରିବା ସହ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ।
ମୁଖ୍ୟ ବକ୍ତା ଓଡ଼ିଆ ଅଧ୍ୟାପକ ପତନ କୁମାର ବେହେରା କବି କେଶବ ଚନ୍ଦ୍ର ନାୟକଙ୍କ ରଚିତ ଦାରୁବ୍ରହ୍ମ ଭଜନ ସଂକଳନଟିକୁ ସମୀକ୍ଷା କରିବା ସହ ଜଗନ୍ନାଥ ତତ୍ତ୍ଵ ଉପରେ ଆଲୋକପାତ କରିଥିଲେ। ପୂର୍ବରୁ ଶ୍ରୀ ନାୟକଙ୍କ ରଚିତ ମାଲକାନଗିରି ବଡ଼ ଯାତ୍ରା, ପୁନା ଚୁକ୍ତି,ବୁଦ୍ଧ ଶିକ୍ଷା କ’ଣ ପାଇଁ, ଜୀବନ ନାଟକ (କବିତା ସଂକଳନ), ମଶାଣି (କବିତା ସଂକଳନ),ମେଘ ମହ୍ଲାର (କବିତା ସଂକଳନ) ଆଦି ପୁସ୍ତକ ପ୍ରକାଶିତ ହୋଇସାରିଛି।
। ଶ୍ରୀ ନାୟକ୧୯୯୦ ମସିହାରୁ ମାଲକାନଗିରି ଭଳି ଏକ ଆଦିବାସୀ ଅଧ୍ୟୁଷିତ ଅନୁନ୍ନତ ଅଞ୍ଚଳରୁ ଏକ ଆଦର୍ଶ ସାମ୍ବାଦିକ ଭାବେ କର୍ମମୟ ଜୀବନ ଆରମ୍ଭ କରନ୍ତି। ନିରପେକ୍ଷ ଓ ସତ୍ୟ ତଥ୍ୟ ଉପରେ ଆଧାରିତ ସାମ୍ବାଦିକତାକୁ ଏକ ଜନ ସେବା ଭାବେ ଉତ୍ସର୍ଗ କରି ମାଲକାନଗିରି ଜିଲ୍ଲାରେ ତାଙ୍କର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ଏଣୁ ୨୦୨୦ ମସିହା ସାଧାରଣ ତନ୍ତ୍ର ଦିବସରେ ଓଡ଼ିଶା ସରକାରଙ୍କ ଦ୍ଵାରା ଉତ୍ତମ ସାମ୍ବାଦିକ ଭାବେ ମାନପତ୍ର ଓ ଉପଢ଼ୌକନ ଦ୍ବାରା ସମ୍ବର୍ଦ୍ଧିତ କରାଯାଇଛି।
ଏହା ବ୍ୟତୀତ ମାଲକାନଗିରି ଭଳି ଏକ ଉପାନ୍ତ ଜିଲ୍ଲା ରେ ଓଡିଆ ଭାଷା ସାହିତ୍ୟ ସଂସ୍କୃତି ଚରମ ଅବହେଳା ଓ ଅବକ୍ଷୟ କୁ ହୃଦବୋଧ କରି ଗଠନ କରନ୍ତି – ଉତ୍କଳ ସାହିତ୍ୟ ସଂସଦ । ନିଜେ ଏହି ସାହିତ୍ୟ ଅନୁଷ୍ଠାନ ର ସଭାପତି ଭଳି ପ୍ରମୁଖ ଦାୟିତ୍ଵ ରହି ଓଡ଼ିଆ ସାହିତ୍ୟ ,ଭାଷା ଓ ସଂସ୍କୃତିକୁ ପ୍ରଚାର ପ୍ରସାର ଦିଗରେ ସମଗ୍ର ଜୀବନ ଉତ୍ସର୍ଗୀକୃତ। ଶ୍ରୀ ନାୟକ ଏକାଧାରରେ ଜଣେ ସୁନାମଧନ୍ୟ ସାମ୍ବାଦିକ, କବି,ଲେଖକ, ପ୍ରାବନ୍ଧିକ,ଗାଳ୍ପିକ, ଉପନ୍ଯାସିକ, ନାଟ୍ୟକାର, ଅନୁବାଦକ, ସୁବକ୍ତା, ବିଚାରକ, ସମାଲୋଚକ , ଓଡ଼ିଆ ସାହିତ୍ୟର ବ୍ୟାଖ୍ୟାକାର ଏବଂ ସମ୍ପାଦକ (ଶକ୍ତି ପତ୍ରିକା) ଅଟନ୍ତି। ତାଙ୍କ ଦ୍ବାରା ରଚିତ କବିତା, ପ୍ରବନ୍ଧ ,ଗଳ୍ପ ଗୁଡ଼ିକ ପ୍ରତି ଦିନ ଓଡିଶା ବହୁ ପତ୍ର ପତ୍ରିକାରେ ପ୍ରକାଶିତ। ଓଡ଼ିଶାର ବହୁ ସାହିତ୍ୟ ଅନୁଷ୍ଠାନରୁ କବି କେଶବ ଚନ୍ଦ୍ର ନାୟକଙ୍କୁ ଦୁଇ ଶତରୁ ଊର୍ଦ୍ଧ୍ଵ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଛି। ଏହା ବ୍ୟତୀତ ବହୁ ସାହିତ୍ୟ ପଦବୀ ଦ୍ବାରା ଆଭୂଷଣ କରାଯାଇଛି। ଓଡ଼ିଶା ରାଜ୍ୟ ସରକାରଙ୍କ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଦ୍ବାରା କବି କେଶବ ଚନ୍ଦ୍ର ନାୟକଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ତିନି ଥର ସମ୍ମାନୀତ କରାଯାଇଛି। ରାଜ୍ୟ ମାଲକାନଗିରି ଜିଲ୍ଲା କୁ ସବୁଜ ସୁନ୍ଦର କରିବା ପାଇଁ ପ୍ରତି ବର୍ଷ ବୃକ୍ଷ ରୋପଣ କରି କବି କେଶବ ଚନ୍ଦ୍ର ନାୟକଙ୍କୁ ୨୦୧୩ ମସିହାରେ ଓଡ଼ିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ଦ୍ୱାରା ପ୍ରକୃତି ବନ୍ଧୁ ପୁରସ୍କାର ପ୍ରଦାନ କରାଯାଇଛି। ଏହା ବ୍ୟତୀତ ୨୦୦୩ ମସିହାରୁ ମାଲକାନଗିରି ଜିଲ୍ଲା ପ୍ରଶାସନ ଦ୍ବାରା ମାଲ୍ଯବନ୍ତ ମହୋତ୍ସବରେ ପ୍ରକାଶିତ “ସପ୍ତଧାର” ପତ୍ରିକାର ସମ୍ପାଦନା କାର୍ଯ୍ୟରେ ଶ୍ରୀ ନାୟକ ନିୟୋଜିତ ରହି ଗୁରୁଦାୟିତ୍ଵ ନିର୍ବାହ କରି ଆସୁଛନ୍ତି। ବର୍ତ୍ତମାନ ଶ୍ରୀ ନାୟକ ବୟସର ଅପରାହ୍ନରେ ଉପନିତ ହୋଇ ଥିଲେ ମଧ୍ୟ ମାଲକାନଗିରି ଭଳି ଉପାନ୍ତ ଅଞ୍ଚଳରେ ରହି ନିଃସ୍ଵାର୍ଥପର ଭାବେ ଓଡ଼ିଆ ସାହିତ୍ୟ ର ବିକାଶରେ ଦିଗରେ ଆକ୍ଳାନ୍ତ ଉଦ୍ୟମ ଜାରି ରଖିଛନ୍ତି ବୋଲି ମୁଖ୍ୟ ଅତିଥି ଜିଲ୍ଲା ଯୋଗାଣ ଅଧିକାରୀ ମନମୋହନ ପଟ୍ଟନାୟକ ମତବ୍ୟକ୍ତ କରି ଥିଲେ।
କବି କେଶବ ଚନ୍ଦ୍ର ନାୟକଙ୍କ ଦ୍ବାରା ରଚିତ ଦାରୁବ୍ରହ୍ମ ଭଜନ ସଂକଳନ ଅତିଥିମାନଙ୍କ ଦ୍ବାରା ଉନ୍ମୋଚିତ ହୋଇଥିଲା। ଚିତ୍ରକୋଣ୍ଡା ବନ୍ୟାଞ୍ଚଳ ଅଧିକାରୀ ବଳରାମ ନାୟକଙ୍କୁ ଉତ୍ତମ ସେବା ପାଇଁ ତାଙ୍କୁ “ସବୁଜଶ୍ରୀ” ସମ୍ମାନରେ ଉତ୍କଳ ସାହିତ୍ୟ ସଂସଦ ଦ୍ବାରା ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ କବିତା ଆସର ଅନୁଷ୍ଠିତ ହୋଇଥିଲା । ଉକ୍ତ କବିତାଗୁଡ଼ିକୁ ସୁସାହିତ୍ଯିକ କବିର ମୋହନ ବେହେରା ସଂଯୋଜନା କରିଥିଲେ। ଶେଷରେ ଅନନ୍ତ କିଶୋର ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)