ଯାହା ମୁଁ କହୁଛି କବିତା ହେଉଛି
ଚିନ୍ତନ କବିତା ପଂକ୍ତି…..
ଭାଷା ଯେତେ ମୋର ପ୍ରଷ୍ଫୁଟିତ ପୁଷ
ମାଳା କରି ଦିଏ ଗୁନ୍ଥି….!!
କବି କଲା ମୋତେ ଏ ନୀଳ ଆକାଶ
ପୂନେଇ ଚାନ୍ଦର ଜ୍ୟୋତ୍ସ୍ନା….
ବସନ୍ତ ମଳୟ ଫୁଲର ପସରା
ସୁମନ ମଧୁର ବାସ୍ନା….!!
ଚୋରାଇ ନେଲା ମୋ ମନ ମୀନ ସତେ
ନିର୍ମଳ ନିର୍ଝର ଝର…..
ମିଠା ମିଠା ଗୀତ ହରି ନେତା ଚିତ୍ତ
ବନେ ବନପ୍ରିୟ ଗିର….!!
ନୀଳ ସଲିଳରେ ପଦ୍ମ କୁମୁଦର
ଦେଖି ହସ ହସ ମୁଖ…..
ସଂସାର ଜଞ୍ଜାଳ ଅତି ପରବଳ
ବିନାଶିଲା ସର୍ବ ଦୁଃଖ…..!!
ଯଉବନ ଯେବେ ଛୁଇଁଲା ଦେହକୁ
ମନ୍ମଥ ବିନ୍ଧିଲା ଶର….
ରମଣି ମଣିର ଚୋରା ଚାହାଣିରେ
ହୃଦେ କମ୍ପେ କାମ ଜ୍ବର….!!
ବାସନା ବିଷୟ କ୍ଷଣିକ ମାତର
ବିଭ୍ରମ କରଇ ମତି…..
ବିଜ୍ଞ ହେଉ ଅବା ହେଉ ଯତି ପତି
ଟାଳି କେ ପାରିବ ରତି….!!
ପ୍ରକୃତି କେମିତି କ୍ଷଣେ କ୍ଷଣେ ଆନ
ବିଚିତ୍ର ବର୍ଣ୍ଣର ଛବି….
ସେପରି ଚରିତ୍ର ଆବୋରିଣ ଗାତ୍ର
କବଳିତ ହୁଏ କବି….!!
କାଳ ପାତ୍ର ରୂପ ରେଖ ଗତି ସ୍ଥିତି
ଚରିତ୍ର ଚିତ୍ରଣ କରି….
କବି ଆଙ୍କି ଥାଏ ସୁନ୍ଦର କବିତା
ଶବ୍ଦ କୁ ସାଉଁଟି ଧରି….!!
(କବି କେଶବ ଚନ୍ଦ୍ର ନାୟକ)
(ସଭାପତି, ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି)
ମୋନ:୯୪୩୭୭୭୯୪୪୭