କଂଗ୍ରେସ ପକ୍ଷରୁ କୁଶ ପୁତ୍ତଳିକା ଦାହ ଏବଂ ଦାବିପତ୍ର ପ୍ରଦାନ ।

0 279

ଭଞ୍ଜନଗର, ୨୩/୧୨(ପିପିଟି) : ସମ୍ବିଧାନ ପ୍ରଣେତା ବାବାସାହେବ ଆମ୍ବେଦକରଙ୍କ ପ୍ରତି ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଦେଇଥିବା ଅପମାନ ସୂଚକ ମନ୍ତବ୍ୟ ପ୍ରତିବାଦରେ ଭାରତୀୟ ଜାତୀୟ କଂଗ୍ରେସ ପାର୍ଟି ଘୁମୁସର ସଙ୍ଗଠନ ତରଫରୁ ତାଙ୍କର ଇସ୍ତଫା ଦାବିରେ ଆଜି ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଶାନ୍ତ ବିଷୋୟୀଙ୍କ ନେତୃତ୍ୱରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ତାଙ୍କର କୁଶ ପୁତ୍ତଳିକା ଦାହ କରାଯାଇଛି। ଏନେଇ ରାଷ୍ଟ୍ରପତିଙ୍କୁ ଭଞ୍ଜନଗର ଉପଜିଲ୍ଲାପାଳଙ୍କ ଜରିଆରେ ଏକ ଅଭିଯୋଗପତ୍ର ପ୍ରଦାନ କରାଯାଇଛି।ସଂସଦର ପବିତ୍ର ମନ୍ଦିର ପରିସରରେ ଭାରତବର୍ଷର ସମ୍ବିଧାନ ପ୍ରଣେତା ଡଃ. ଭୀମରାଓ ଆମ୍ବେଦକରଙ୍କ ଉଦ୍ଦେଶ୍ୟରେ ଅମିତ ଶାହାଙ୍କର ଟିପ୍ପଣୀ କୋଟି କୋଟି ଭାରତୀୟଙ୍କ ଭାବାବେଗକୁ କୁଠାରାଘାତ କରିଛି। ସଂସଦର ଶୀତକାଳୀନ ଅଧିବେଶନ ଚାଲିଥିବା ସମୟରେ ସଂସଦୀୟ ମର୍ଯ୍ୟାଦା ଓ ଶୃଙ୍ଖଳା ଆବଦ୍ଧରେ ରହି ବିରୋଧୀ ଦଳର ଅନେକ ସାଂସଦ କେନ୍ଦ୍ରସରକାରଙ୍କର ସମ୍ବିଧାନ ବିରୋଧୀ କାର୍ଯ୍ୟକଳାପର ଦୃଢ଼ ପ୍ରତିବାଦ କରିବା ଅବସରରେ ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ନାମ ବାରମ୍ବାର ଉଚ୍ଚାରଣ କରିବାର ଦେଖାଯାଇଥିଲା।କଂଗ୍ରେସ ପାର୍ଟି ପକ୍ଷରୁ ଶାହାଙ୍କୁ ଦେଶବାସୀଙ୍କ ସମ୍ମାନରେ ମଥାନତ ହୋଇ କ୍ଷମା ପ୍ରାର୍ଥନା କରିବା ସହ ଅବିଳମ୍ବେ ଇସ୍ତଫା ପ୍ରଦାନ କରିବାକୁ ଦାବି ହୋଇଛି । ଯଦି ଶାହ ତୁରନ୍ତ ନିଜ କୁକର୍ମର ପ୍ରାୟଶ୍ଚିତ ନ କରନ୍ତି ତେବେ ଆଗାମୀ ଦିନରେ ବାବା ସାହେବଙ୍କ ସମ୍ମାନ ରକ୍ଷା କରିବା ଉଦ୍ଦେଶ୍ୟରେ କଂଗ୍ରେସ ପାର୍ଟି ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଆନ୍ଦୋଳନର ଚେତାବନୀ ଦିଆଯାଇଛି।ଏଥିରେ ଦେବନାଥ ଶର୍ମା, ହରେକୃଷ୍ଣ ରଥ, ନିରାକାର ନାୟକ,ରଙ୍କ ଗୌଡ଼, ବାଲ୍ୟ ବେହେରା ଓ ଅନ୍ୟମାନେ ଉପସ୍ଥିତ ଥିଲେ।

ରିପୋର୍ଟ- (ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.