ବ୍ରହ୍ମପୁର,୨୨/୦୩(ପିପିଟି):ଗଞ୍ଜାମ ଜିଲ୍ଲାର ସହରାଞ୍ଚଳ ପରିମଳ ସେବାରେ ନିୟୋଜିତ ସ୍ୱଚ୍ଛସାଥି ଓ ସୁପରଭାଇଜରମାନଙ୍କ ଏକ ଜିଲ୍ଲାସ୍ତରୀୟ ସମାବେଶ ଆଜି ସ୍ଥାନୀୟ ଗୋଲୀଲା ସାହି କୋଠଘର ପରିସରରେ ଅନୁଷ୍ଠିତ ହୋଇଯାଇଛି । ସ୍ୱଚ୍ଛସାଥି ଓ ସୁପରଭାଇଜର ସଙ୍ଘର ରାଜ୍ୟ କାର୍ଯ୍ୟକାରୀ ସଦସ୍ୟା ସଂଯୁକ୍ତା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାବେଶରେ ଜିଲ୍ଲାର ବିଭିନ୍ନ ପୌରାଞ୍ଚଳର କର୍ମକର୍ତ୍ତା ଯୋଗ ଦେଇଥିଲେ ।
କେନ୍ଦ୍ର ସରକାରଙ୍କ ସ୍ଵଛ ଭାରତ ମିଶନ ଅଧୀନରେ କାର୍ଯ୍ୟରତ ଏହି କର୍ମଚାରୀମାନେ ଦୀର୍ଘ ଦିନ ହେବ ସହରାଞ୍ଚଳର ପରିମଳ କାର୍ଯ୍ୟ ସହ ବିଭିନ୍ନ ସରକାରୀ ଯୋଜନା ଗୁଡିକୁ ସଫଳ ରୂପାୟନ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରି ଆସୁଛନ୍ତି । ସହରାଞ୍ଚଳରେ ଏହି ଶିକ୍ଷିତ ମହିଳାମାନେ ଅବର୍ଜନା ହଟାଇବା କାମର ତଦାରଖ ସହ ନାଗରିକ ମାନଙ୍କ ଠାରୁ ପୌର ପ୍ରଶାସନ ପାଇଁ ହୋଲଡିଂ ଟିକସ,ପରିମଳ ବାବଦ ୟୁଜର୍ସ ଫି ଆଦି ଆଦାୟର ଦାୟିତ୍ୱକୁ ସୁଚାରୁ ରୂପେ ତୁଲାଇ ଆସୁଛନ୍ତି । ତେବେ ପରିତାପର ବିଷୟ ବର୍ଷ ବର୍ଷ ଧରି ଉଭୟ ଅନଲାଇନ ଓ ଅଫ୍ ଲାଇନ୍ କାମରେ ନିରବଛିନ୍ନ ଭାବେ ଲାଗିଥିଲେ ମଧ୍ୟ ଏଯାଏଁ ସରକାର ତାଙ୍କୁ କର୍ମଚାରୀର ମାନ୍ୟତା କିମ୍ବା ସର୍ବନିମ୍ନ ମଜୁରୀ ଦେଉନାହାଁନ୍ତି । ଏପରିକି ପୂର୍ବ ସରକାରଙ୍କ ଦ୍ୱାରା ସ୍ୱଚ୍ଛସାଥିଙ୍କୁ ମାସିକ ପାରିତୋଷିକ ଚାରି ହଜାର ଟଙ୍କାଙ୍କୁ ଆଠ ହଜାର ଟଙ୍କାକୁ ଓ ସୁପରଭାଇଜରଙ୍କ ପାରିତୋଷିକକୁ ମାସିକ ଆଠ ହଜାର ଟଙ୍କାରୁ ବାର ହଜାର ଟଙ୍କକୁ ବୃଦ୍ଧି କରିବାକୁ ଘୋଷଣା କରିଥିଲେ ମଧ୍ୟ ବର୍ତ୍ତମାନର ସରକାର ତାକୁ ଦେବାରେ ଟାଳଟୂଳ ନୀତି ଅବଲମ୍ବନ କରୁଛନ୍ତି ।ରାଜ୍ୟ ସରକାର ନିର୍ଦ୍ଦେଶାବଳୀ ନାମରେ ପୂର୍ବ ସରକାରଙ୍କ ଘୋଷଣାକୁ ସବୁ ୟୁଏଲବି ରେ ଲାଗୁ କରୁ ନାହାଁନ୍ତି ଏବଂ ଅନେକ ଗୁଡିଏ ସର୍ତ୍ତ ଲାଗୁ କରିଛନ୍ତି । ନାମକୁ ମାତ୍ର ପାରିଶ୍ରମିକ ପାଉଥିବା ଏହି ସ୍ଵଳ୍ପ ବେତନ ଭୋଗୀ କର୍ମଚାରୀଙ୍କ ଉପରେ ଏକାଧିକ ଅତିରିକ୍ତ କାମକୁ ଲଦି ସେସବୁକୁ କରିବା ପାଇଁ ବାଧ୍ୟ କରାଯାଉଛି । ଏଭଳି ନୀତିକୁ ବଦଳାଇବା ସଙ୍ଘ ବହୁଦିନରୁ ଦାବୀ କରି ଆସୁଛି ।
ରାଜ୍ୟରେ କାର୍ଯ୍ୟରତ ହଜାର ହଜାର ସ୍ଵଚ୍ଛସାଥୀ ଓ ସୁପରଭାଇଜରମାନଙ୍କୁ କର୍ମଚାରୀର ମାନ୍ୟତା,ସର୍ବନିମ୍ନ ମଜୁରୀ ପ୍ରଦାନ,ସାମାଜିକ ସୁରକ୍ଷା ଯୋଜନାରେ ସାମିଲ କରିବା,ମାସିକ ଚାରି ଦିନ ସବେତୈନିକ ଛୁଟି, ଇପିଏଫ୍/ଇଏସଆଇର ସୁବିଧା ପ୍ରଦାନ, ପ୍ରସୂତୀକାଳୀନ ଛୁଟି ଆଦି ଦାବି ନେଇ ସଂଘ ଲଗାତାର ଭାବେ ସରକାରଙ୍କ ନିକଟରେ ଦାବି କରି ଆସିଛି । ଉପରୋକ୍ତ ଆଗାମୀ ଦିନରେ ସଙ୍ଘ ପକ୍ଷରୁ ସାରା ରାଜ୍ୟରେ ଆନ୍ଦୋଳନକୁ ଓଲ୍ହାଇବାକୁ ନିଷ୍ପତ୍ତି ହେବା ପରିପ୍ରେକ୍ଷୀରେ ଆଜି ସଙ୍ଘର ଗଞ୍ଜାମ ଜିଲ୍ଲା ଶାଖା ପକ୍ଷରୁ ଘୋଷଣା କରାଯାଇଛି । ଆଜିର ସାଧାରଣ ବୈଠକରେ ସଂଘର ନୂତନ ଜିଲ୍ଲା କାର୍ଯ୍ୟକାରୀ କମିଟି ଗଠିତ କରାଯାଇଛି । ୧୬ ଜଣିଆ କମିଟି ଗଠନ ସହ ବିଭିନ୍ନ କର୍ମକର୍ତ୍ତା ମଧ୍ୟ ଚୟନ କରାଯାଇଛି । ଆସନ୍ତା ଏପ୍ରେଲ ମାସରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଶ୍ରମିକ ବିରୋଧି ୪ ଶ୍ରମ କୋଡ଼ ଲାଗୁ କରିବାକୁ ଘୋଷଣା କରାଯାଇ ଥିବାରୁ ଆଜିର ବୈଠକରେ ତା’କୁ ବିରୋଦ୍ଧ କରାଯାଇଛି । ଆଜିର ବୈଠକରେ ସଂଘର ଉପଦେଷ୍ଟା ଭାଲଚନ୍ଦ୍ର ଷଡ଼ଙ୍ଗୀ, ସର୍ବଭାରତୀୟ ଶ୍ରମିକ ସଂଗଠନ ଆଇଏଫଟିୟୁ (ଇଫଟୁ)ର ରାଜ୍ୟ ସଭାପତି ପ୍ରତାପ ପ୍ରଧାନ, ପୌର କର୍ମଚାରୀ ନେତା ପ୍ରଶାନ୍ତ ପରିଛା, ସ୍ଵଚ୍ଛସାଥୀ ଓ ସୁପରଭାଇଜର ସଂଘର ରାଜ୍ୟ ସମ୍ପାଦିକା ସୁଦଷ୍ଣା ନାୟକ, ମାମାଲି ଦାସ,ବି.ସଂଗୀତା,ବ୍ରହ୍ମପୁର ମହାନଗର ନିଗମ ଶାଖାର ସଭାନେତ୍ରୀ ସବିତା ପାଢ଼ୀ,ସମ୍ପାଦିକା ମିତା ପାଢ଼ୀ ଓ ଜିଲ୍ଲାର ବିଭିନ୍ନ ଏନ୍ଏସି ଓ ମ୍ୟୁନିସିପାଲିଟିର ସ୍ୱଚ୍ଛସାଥି ଓ ସୁପରଭାଇଜରମାନେ ଉପସ୍ଥିତ ଥିଲେ ।