ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ ମାଲକାନଗିରିରୁ ୪ଜଣ ସଫଳ ।

0 239

.ମାଲକାନଗିରି ,୨୦/୧୦(ପିପିଟି) :ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ ଗର୍ବ ସାଉଁଟିଛନ୍ତି ବଣ୍ଡାଜାତିର ଝିଅ ବିନି ମୁଦୁଲି । ପ୍ରଥମ ବଣ୍ଡାଜନଜାତି ଭାବେ ଓସିଏସ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ମାଲକାନଗିରି ଜିଲ୍ଲାରେ ମୋଟ ୪ ଜଣ ପ୍ରାର୍ଥୀ କୃତକାର୍ଯ୍ୟ ହୋଇ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି । ସେମାନେ ହେଉଛନ୍ତି କୋରକୁଣ୍ଡା ବ୍ଲକ ପଟ୍ରେଲ୍ ଗ୍ରାମ ନିବାସୀ ଶ୍ୟାମା ମାଢୀ, ମେଣ୍ଡୁକୁଲି ଗ୍ରାମର ଭାଗ୍ୟଶ୍ରୀ ମିଶ୍ର ,ମାଲକାନଗିରି ସଦର ମହକୁମାରର ପିଲହୋଲିକା ପ୍ରିୟଦର୍ଶିନୀ ଏବଂ ଖାଇରପୁଟ ବ୍ଲକ ଗୋବିନ୍ଦପଲ୍ଲୀ ନିକଟସ୍ଥ ଖେମାଗୁଡା ବାସିନ୍ଦା ବିନି ମୁଦୁଲି ।
ଓଡିଶା ସିଭିଲ ସର୍ଭିସ ପରୀକ୍ଷାରେ ମାଥିଲି ବ୍ଲକ ର ମେଣ୍ତୁକୁଲି ଗ୍ରାମର ଭାଗ୍ୟ ଶ୍ରୀ ମିଶ୍ର ୧୩୮ ରେଙ୍କ୍ ରଖି ଉତ୍ତୀର୍ଣ୍ଣ ହୋଇଥିଲା ବେଳେ ସେ ବର୍ତ୍ତମାନ ପୋଷ୍ଟ ମାଷ୍ଟର ଚାକିରୀ କରୁଛନ୍ତି। ତାଙ୍କ ବାପା ବିରଞ୍ଚି ମିଶ୍ର ଜଣେ ଚାଷୀ। ଭାଗ୍ୟ ଶ୍ରୀ ମିଶ୍ର ପ୍ରଥମେ ୨୦୨୦/୨୧ ରେ ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ ଅକୃତକାର୍ଯ୍ୟ ହୋଇଥିଲେ । ପୁନଶ୍ଚ ସେ ହାରି ନଯାଇ ୨୦୨୨/୨୩ ରେ ପରୀକ୍ଷା ଦେଇ ସଫଳତା ଅର୍ଜନ କରିଥିଲେ।
ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ ୫୯୬ ରାଙ୍କରେ ଉତ୍ତୀର୍ଣ୍ଣ ହୋଇଛନ୍ତି ବଣ୍ଡା ଝିଅ ବିନି ମୁଦୁଲି । ଖାଇରପୁଟ ବ୍ଲକ ଗୋବିନ୍ଦପଲ୍ଲୀ ନିକଟସ୍ଥ ଆଦିମ ଜନଜାତି ବଣ୍ଡା ସମ୍ପ୍ରଦାୟର ଖେମାଗୁଡା ବାସିନ୍ଦା ରାମ ମୁଦୁଲିଙ୍କ ଝିଅ ହେଉଛନ୍ତି ବିନି । ବର୍ତ୍ତମାନ ବଣ୍ଡାଘାଟିର ମୁଦୁଲିପଡା ହାଇସ୍କୁଲର ରୋଷେୟା ଭାବେ କାମ କରୁଛନ୍ତି ତାଙ୍କ ବାପା । ମାଆ ସୁନାମଣି କିର୍ସାନି ଅଙ୍ଗନବାଡି କର୍ମୀ ଅଟନ୍ତି । ବିନି ପ୍ରାଥମିକ ଶିକ୍ଷା ବଣ୍ଡାଘାଟିର ମୁଦୁଲିପଡା ପ୍ରାଥମିକ ବିଦ୍ୟାଳୟରେ ଅଧ୍ୟାୟନ କରିଥିବା ବେଳେ ମାଲକାନଗିରି ନବୋଦାୟରେ ଯୁକ୍ତ ଦୁଇ ପର୍ଯ୍ୟନ୍ତ ପାଠ ପଢିଥିଲେ। ପରେ ସେ ସ୍ନାତକ କରିବା ପରେ ଓପିଏସସି ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇଥିଲେ । ଗତ ୨୦୨୨ରେ ପରୀକ୍ଷା ଦେଇଥିଲେ। ଫଳାଫଳ ବାହାରିବା ପରେ ତାଙ୍କ ନାମ ରହିଥିବାରୁ ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି ।ସେ ୟୁଟ୍ୟୁବକୁ ବ୍ୟବହାର କରି ପରୀକ୍ଷା ଦେଇଥିବା ବେଳେ କୋୖଣସି ଅନୁଷ୍ଠାନରୁ କୋଚିଂ ନ ନେଇ କୃତ କାର୍ଯ୍ୟ ହାସଲ କରିଥିଲେ।
ଆଦିବାସୀ ସମ୍ପଦ୍ରଦାୟର ଶ୍ୟାମା ମାଢି ଓଏଏସ ୨୦୨୨-୨୩ ପରୀକ୍ଷାରେ ୬୩୧ ସ୍ଥାନ ହାସଲ କରିଛନ୍ତି । ପଟ୍ରେଲ୍ ଗ୍ରାମ ନିବାସୀ ବାସୁଦେବ ମାଢି ଓ ୱାଗେ ମାଢିଙ୍କ ପୁଅ ହେଉଛନ୍ତି ଶ୍ୟାମା । ୨୦୧୪ରେ ଗୋବିନ୍ଦପାଲ୍ଲୀ ଉଚ୍ଚ ବିଦ୍ୟାଳୟରୁ ଦଶମ ଶ୍ରେଣୀ, କିସ୍ ଭୁବନେଶ୍ବରରୁ ଯୁକ୍ତ ଦୁଇ ଏବଂ ମାଲକାନଗିରି ମଡେଲ ଡ଼ିଗ୍ରୀ କଲେଜରୁ ବଟାନୀରେ ସ୍ନାତକ ଉତ୍ତୀର୍ଣ୍ଣ ହୋଇଥିଲେ । ଜିଲ୍ଲା ପ୍ରଶାସନ ଦ୍ଵାରା ଜିଲ୍ଲାର ଯୁବ ଗୋଷ୍ଠୀଙ୍କୁ ପ୍ରତିଯୋଗିତାମୂଳକ ପରୀକ୍ଷାରେ କୃତକାର୍ଯ୍ୟ ହେବା ପାଇଁ କୋଚିଂ ସେଣ୍ଟର ଆରମ୍ଭ କରାଯାଇଛି । ଯେଉଁଠାରେ କୋଚିଂ ନେଉଥିଲେ ଶ୍ୟାମା । ତାଙ୍କୁ ଗୁରୁକୁଳ ଆଇଏଏସ ଏକାଡେମୀ ତରଫରୁ ଅନଲାଇନ ଓ ଅଫଲାଇନ ମାଧ୍ୟମରେ ସମସ୍ତ ପ୍ରକାର ସୁବିଧା ସହ କୋଚିଂ ପ୍ରଦାନ କରାଯାଉଥିଲା । ଜିଲ୍ଲା ପ୍ରଶାସନର ଏହି ପ୍ରୟାସ ଦ୍ବାରା ଶ୍ୟାମାଙ୍କ ସ୍ବପ୍ନ ସାକାର ହୋଇପାରିଛି। ତାଙ୍କର ଏହି ସଫଳତା ଅନ୍ୟ ଯୁବକ ଯୁବତୀଙ୍କୁ ପ୍ରେରଣା ଯୋଗାଇବ।ସେହିପରି ପିଲିହୋଲିକା ପ୍ରିୟଦର୍ଶିନୀ ୪୮୪ ରେଙ୍କ୍ ରଖି ଓପିଏସସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି।ସେ ମାଲକାନଗିରି ଦୀପ୍ତି କନଭେଣ୍ଟରେ ପ୍ରଥମରୁ ୫ମ ,୬ଷ୍ଠ ରୁ +୨ ଜେଏନଭି ମାଲକାନଗିରି ଏବଂ+୩ ବିଜ୍ଞନ ଉତ୍କଳ ବିଶ୍ୱବିଦ୍ୟାଳୟ ଭୁବନେଶ୍ଵରରେ ଅଧ୍ୟୟନ କରୁ ଥିଲେ। ତାଙ୍କ ବାପା ମହାଦେବ ମହାନନ୍ଦିଆ ହେଉଛନ୍ତି ମାଲକାନଗିରି ଶିକ୍ଷା ବିଭାଗର ଜଣେ ବରିଷ୍ଠ କିରାଣି।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.