ବୋଲଗଡ଼,୦୪/୧୧(ପିପିଟି): ଆ, କା, ମା, ବୈ ପାନ ଗୁଆ ଥୋଇ, ପାନ ଗୁଆ ତୋର ମାସକ ଧରମ ମୋର…
ଆମ ଉତ୍କଳୀୟ ସଂସ୍କୃତି ଓ ପରମ୍ପରାର ପ୍ରତୀକ କାର୍ତ୍ତିକ ପୂର୍ଣ୍ଣିମାର ଡଙ୍ଗା ଭସା ପ୍ରଥା କାହିଁ କେଉଁ କାଳରୁ ରହିଆସିଛି । ଓଡ଼ିଆ ମାନଙ୍କର ବଡ଼ ପର୍ବ ।ଓଡ଼ିଶାର ପ୍ରତେକ ଗ୍ରାମ ଠାରୁ ସହରାଞ୍ଚଳ ପର୍ଯ୍ୟନ୍ତ ଉତ୍ସାହସହ ପାଳନ ହୋଇଆସୁଛି ଡଙ୍ଗା ଭସାଇବାର ପରମ୍ପରା। ନଦୀ ଓ ପୋଖରୀରେ ଲୋକ ମାନେ ଡଙ୍ଗା ଭସାଇ ଐତିହ୍ୟ କଥାକୁ ମନେ ପକାଇ ଥାନ୍ତି। ଏହି ଦିନ ସୋଲରେ ତିଆରି ବିଭିନ୍ନ ରଙ୍ଗ ବେରଙ୍ଗର ଡଙ୍ଗା ଏବଂ ପାରମ୍ପରିକ କଦଳୀ ପଟୁକାରେ ନିର୍ମିତ ଡଙ୍ଗା ଭସାଇ ଥାନ୍ତି। ଏହି ଦିନ ପ୍ରତ୍ୟୁଷରୁ ଆବାଳ ବୃଦ୍ଧ ବନିତା ନଦୀ ହେଉ ଅବା ପୋଖରୀ ରେ ଗାଧୋଇ ସୋଲ ଡଙ୍ଗା ହେଉ କିମ୍ବା କଦଳୀ ପଟୁକାରେ ଡଙ୍ଗା ତିଆରି କରି ଡଙ୍ଗାରେ ଦୀପ ଜାଳି ଏବଂ ସେଥିରେ ପାନଗୁଆ ଥୋଇ ଡଙ୍ଗାକୁ ଭସାଇଥାନ୍ତି। ଡଙ୍ଗାକୁ ଭସାଇବା ସହିତ ଶ୍ରଦ୍ଧାର ସହ ଗାଇଥାନ୍ତି ‘ଆ- କା- ମା- ବୈ, ପାନ ଗୁଆ ଥୋଇ, ପାନଗୁଆ ତୋର ମାସକ ଧରମ ମୋର। ହିନ୍ଦୁ ରୀତିନୀତି ଅନୁଯାୟୀ ଡଙ୍ଗା ଭସାଇ ସାରିଲା ପରେ ପ୍ରତେକ ମନ୍ଦିରରେ ଯାଇ ଦର୍ଶନ କରିଥାନ୍ତି। ବିଶ୍ୱାସ ରହିଛି କାର୍ତ୍ତିକ ମାସ ହବିଷ ଗ୍ରହଣ କରି ଯଦି କାର୍ତ୍ତିକ ପୂର୍ଣ୍ଣିମା ଦିନ ଡଙ୍ଗା ନ ଭସା ଯାଏ ତେବେ ଫଳ ମିଳିପାରେ ନାହିଁ। ଐତିହାସି ଅନୁସାରେ ନୌବାଣିଜ୍ୟ ପରମ୍ପରାକୁ ବଞ୍ଚାଇ ରଖିବା ପାଇଁ କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସା ଯାଇଥାଏ । ସାଧବ ପୁଅ ଏହିଦିନ ସାତ ଦରିଆ ପାରିହୋଇ ଜାଭା ସୁମାତ୍ରା ଆଦି ଦେଶକୁ ଯାତ୍ରା କରି ବାଣିଜ୍ୟ ଆରମ୍ଭ କରୁଥିଲେ ।
ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।