ଓଡ଼ିଶାର ସଫଳ ‘ଧାନ କ୍ରୟ ମଡେଲ’ ଅନୁଧ୍ୟାନ କରିଛନ୍ତି ଛତିଶଗଡ଼ ପ୍ରତିନିଧି ଦଳ ।

0 102

​ଭୁବନେଶ୍ୱର,୧୮/୦୩(ପିପିଟି):ଛତିଶଗଡ଼ର ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଓ ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ବିଭାଗର ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ଆଜି ଲୋକସେବା ଭବନସ୍ଥିତ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ସମ୍ମିଳନୀ କକ୍ଷରେ ​ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଭାଗର ଅତିରିକ୍ତ ସଚିବ ସୁଦାମ ଚରଣ ମଣ୍ଡଳ ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ। ଯୋଗାଣ ବିଭାଗର ସାଧାରଣ ପରିଚାଳକ(ସଂଗ୍ରହଣ) ଏଲୋରା ସାମଲ, ଖାଦ୍ୟ ଓ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଉପସଚିବ ସରୋଜ କୁମାର ପଣ୍ଡା ଉପସ୍ଥିତ ରହି ବିଭାଗର ବିଭିନ୍ନ ଯୋଜନା ଓ ଡିଜିଟାଲ ପ୍ରକ୍ରିୟା ବିଷୟରେ ଛତିଶଗଡ଼ ପ୍ରତିନିଧି ଦଳଙ୍କୁ ଅବଗତ କରିଛନ୍ତି। ପ୍ରତିନିଧି ଦଳରେ ଛତିଶଗଡ଼ ୱେୟାରହାଉସ୍‌ କର୍ପୋରେସନର ପରିଚାଳନା ନିର୍ଦେଶକ ଆଶିଷ ଟିକରିହା, ଛତିଶଗଡ଼ ଖାଦ୍ୟ ଓ ନାଗରିକ ଯୋଗାଣ ଓ ଗ୍ରାହକ ସଂରକ୍ଷଣ ବିଭାଗ ଉପସଚିବ ବିଭୋର ଅଗ୍ରୱାଲ, ଛତିଶଗଡ଼ ବିପଣନ ସଂଘର ଦୁଇ ଜଣ ବିଶେଷଜ୍ଞ ରହିଥିଲେ। ସାଟେଲାଇଟ୍‌ ଡାଟା ସହିତ କ୍ଷେତ୍ରସ୍ତରୀୟ ଯାଞ୍ଚର ସମନ୍ୱୟ, ‘ଟୋକନ୍’ ପ୍ରଦାନ ପ୍ରକ୍ରିୟା କିପରି କାର୍ଯ୍ୟ କରୁଛି, ଆଧାର ଇ-କେୱାଇ ସି ଭିତ୍ତିକ ଚାଷୀ ପଞ୍ଜିକରଣ,​ ସମୟ ଭିତ୍ତିକ ସ୍ୱୟଂଚାଳିତକରଣ, ​ଭୂଲେଖ ସହିତ ସଂଯୋଗ, ​ଆଇଆରଏସ୍‌ ସ୍କାନ ମାଧ୍ୟମରେ କ୍ରୟ, ଏସ୍‌ଏମ୍‌ଏସ୍‌ ଭିତ୍ତିକ ସୂଚନା, ​ଇ-ବାହନ ସହ ସଂଯୋଗ,​ ଧାନ ସଂଗ୍ରହର ୨୪ରୁ ୪୮ ଘଣ୍ଟା ମଧ୍ୟରେ ଚାଷୀଙ୍କୁ ଡିଜିଟାଲ ପଦ୍ଧତିରେ ଅର୍ଥ ପ୍ରଦାନ ପରି ବିଷୟରେ ଛତିଶଗଡ଼ ପ୍ରତିନିଧି ଦଳ ଅବଗତ ହୋଇଛନ୍ତି। ଓଡ଼ିଶାର ଏହି ‘ଡିଜିଟାଲ୍ ସେଫଗାର୍ଡ’ ବ୍ୟବସ୍ଥା ଆଗାମୀ ଦିନରେ ଛତିଶଗଡ଼ରେ ମଧ୍ୟ ଲାଗୁ କରାଯାଇ ସେଠାକାର ଧାନ କ୍ରୟ ପ୍ରକ୍ରିୟାରେ ସ୍ୱଚ୍ଛତା ଆଣିବା ସହ ସରକାରୀ ପାଣ୍ଠିର ଦୁରୂପଯୋଗ ରୋକାଯାଇପାରିବ ବୋଲି ପ୍ରତିନିଧି ଦଳ ଆଲୋଚନା କରିଛନ୍ତି ।

Leave A Reply

Your email address will not be published.